ନୂଆଦିଲ୍ଲୀ : ସୁରକ୍ଷା ପରିଷଦର ୪ ରାଷ୍ଟ୍ର (ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ରୁଷିଆ)ର ଦୃଢ ସମର୍ଥନ ସତ୍ତ୍ବେ ମାସୁଦ ଅଝାରଙ୍କୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବାରେ ଜାତିସଂଘ ପୁଣି ଥରେ ବିଫଳ ହୋଇଛି । ଏହାକୁ ନେଇ ରାଜନୈତିକ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆକ୍ରମଣାତ୍ମକ ଢଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଛନ୍ତି ଯେ, ଦୁର୍ବଳ ମୋଦୀ ଚିନଫିଙ୍ଗଙ୍କୁ ଡରୁଛନ୍ତି । ବିଫଳ ମୋଦୀ ସରକାରଙ୍କ ବିଫଳ ବିଦେଶ ନୀତି । କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀଙ୍କ ଏହି ଆକ୍ରମଣର କଡା ଜବାବ ଦେଇ କହିଛନ୍ତି, ଚୀନ ସହ ରାହୁଲ ଗାନ୍ଧୀଙ୍କ ଉତ୍ତମ ସମ୍ପର୍କ ରହିଛି । ଭାରତକୁ ଆକ୍ରମଣ ହେଲେ ରାହୁଲ ଗାନ୍ଧୀ ଖୁସୀ କାହିଁକି ହୁଅନ୍ତି ବୋଲି ଆଇନ ମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆହୁରି ମଧ୍ୟ କହିଛନ୍ତ ଯେ, ଆତଙ୍କବାଦୀ ମସୁଦ ଅଜହରକୁ ବିଶ୍ବ ଆତଙ୍କୀ ଘୋଷଣା କରିବା ପାଇଁ ଏଥର ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ ରୁଷିଆ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଚୀନ ବ୍ୟତୀତ ଅନ୍ୟ ସମସ୍ତ ଦେଶ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ଚୀନର ଏହି ପଦକ୍ଷେପ ଭାରତବାସୀଙ୍କୁ ବହୁତ ଦୁଃଖ ପହଞ୍ଚାଇଛି । କେବଳ ଚୀନକୁ ଛାଡି ଅନ୍ୟ ସମେସ୍ତ ରାଷ୍ଟ୍ର ଆଜି ଭାରତ ସପକ୍ଷରେ ରହିଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତ କୁଟନୀତିର ଏକ ରକମର ଜିତ୍ ହୋଇଛି ବୋଲି କୁହାଯାଇପାରିବ ।
ଏହା ସହ କେନ୍ଦ୍ର ମନ୍ତ୍ରୀ ରାହୁଲଙ୍କୁ ପ୍ରଶ୍ନ କରିଛନ୍ତି ଯେ, ମାସୁଦ ଅଝାର ଭଳି ଆତଙ୍କବାଦୀ ମାମଲାରେ କଂଗ୍ରେସ ସ୍ବର କ’ଣ ଭିନ୍ନ ହେବ କି ? ରାହୁଲ ଗାନ୍ଧୀଙ୍କ ଟୁଇଟରୁ ଜଣାପଡୁଛି ଯେ ଏହି ମାମଲରେ ସେ ବହୁତ ଖୁସୀ ଅଛନ୍ତି । ଯେବେ ଭାରତକୁ ଆକ୍ରମଣ ହୁଏ ରାହୁଲ ଗାନ୍ଧୀ ଖୁସୀ କାହିଁକି ହୁଏନ୍ତି ? ଆତଙ୍କବାଦୀ ବିରୋଧରେ କଂଗ୍ରେସର ଲଢେଇ ଗମ୍ଭୀର ନୁହେଁ ବୋଲି କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।



