www.samajalive.in
Saturday, December 13, 2025
27.1 C
Bhubaneswar

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର

ଭୁବନେଶ୍ବର : ଦୁର୍ନୀତି ଏପରି ଏକ ବ୍ୟାଧି, ଯାହା ଆମର ପୂରା ସମାଜକୁ ଗ୍ରାସ କରିଛି। ଲୋକତନ୍ତ୍ର ଓ ସାମାଜିକ ନ୍ୟାୟ ବିପଦରେ ପଡିଛି। କିନ୍ତୁ ଗୋଟିଏ ଦିନରେ ଦୁର୍ନୀତିର ବିଲୋପ ହେବ ନାହିଁ। ଏହା ପାଇଁ ଦରକାର ଲମ୍ବା ସଂଗ୍ରାମ। ନୀତି, ଆଦର୍ଶ ଓ ନିଷ୍ଠା ସହ ଲଢ଼େଇ କଲେ ଦିନେ ନା ଦିନେ ଦୁନୀତିର ଚେର ଦୁର୍ବଳ ହୋଇଯିବ। ଗୁରୁବାର ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ଅବସରରେ କରପସନ୍ ଫ୍ରି ଓଡ଼ିଶା ପକ୍ଷରୁ ଜୟଦବେ ଭବନ ଠାରେ ଆୟୋଜିତ ସମ୍ମିଳନୀରେ ଯୋଗଦେଇ ବକ୍ତମାନେ ଏହି ମତପୋଷଣ କରିଛନ୍ତି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଲୋକାୟୁକ୍ତଙ୍କ ପୂର୍ବତନ ଅଧ୍ୟକ୍ଷ ଜଷ୍ଟିସ ବିଜୟ କୁମାର ନାୟକ କହିଥିଲେ, ସମ୍ପ୍ରତି ଦୁର୍ନୀତି ସର୍ବବ୍ୟାପୀ ହୋଇଯାଇଛି। ଏହାକୁ ସମୂଳେ ବିନାଶ କରିବା ସହଜ ନୁହେଁ। ମାନବ କେବଳ ନିଜ ବିବେକାନୁମୋଦିତ ନିଷ୍ପତ୍ତି ନେଲେ ଦୁର୍ନୀତିର ଚେର ଦୋହଲି ଯିବ। ବିବେକ ସହାୟତାରେ ମଣିଷ ନିଜ ଚରିତ୍ରକୁ ବଦଳାଇ ପାରିବ। ପ୍ରଥମେ ପରିବାର ଭିତରୁ ପିଲାମାନଙ୍କୁ ଦୁର୍ନୀତି ସମ୍ପର୍କରେ ସଚେତନ କରାଯାଉ। ବଡ଼ ହେଲେ ସେ ନିଶ୍ଚିତ ଭାବେ ଅନ୍ୟାୟକୁ ବିରୋଧ କରିବ। କଳାଧନର ବଶବର୍ତ୍ତୀ ହେବ ନାହିଁ। ସେମାନେ ଅନ୍ୟମାନଙ୍କୁ ମଧ୍ୟ ଠିକ୍ ବାଟକୁ ଆଣିବେ ବୋଲି ଜଷ୍ଟିସ ନାୟକ କହିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ରାଜ କୁମାର କହିଥିଲେ, ଭ୍ରଷ୍ଟାଚାର ପାଇଁ ଲୋକତନ୍ତ୍ର, ବିକାଶ ଓ ସାମାଜିକ ନ୍ୟାୟ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହା ଆମ ସମାଜର ସବୁଠାରୁ ବଡ଼ ସମସ୍ୟା। ଉଇ ଭଳି ସମାଜର ମୂଳକୁ ଖାଇଯାଏ। ଯେବେ ବିଧି ବ୍ୟବସ୍ଥାକୁ ଲାଞ୍ଚ ଓ ସୁପାରିଶ ଗ୍ରାସ କରେ, ସେତେବେଳେ ଶାସନ ବ୍ୟବସ୍ଥା ଉପରୁ ଲୋକଙ୍କ ଆଶା ତୁଟିଯାଏ। ଭ୍ରଷ୍ଟାଚାର ପାଇଁ ଜନତା ମୌଳିକ ସୁବିଧା ସୁଯୋଗ, ନିଜ ଅଧିକାରରୁ ବଞ୍ଚିତ ହୋଇଥାନ୍ତି। ଗରିବ, ଆଦିବାସୀ, କୃଷକ ଓ ଯୁବ ଶକ୍ତି ଉପରେ ଏହା ଗଭୀର କୁପ୍ରଭାବ ପଡିଥାଏ। ଦୁର୍ନୀତି ପାଇଁ ଅଯୋଗ୍ୟ ବ୍ୟକ୍ତି ସବୁ ସୁବିଧା ସୁଯୋଗ ପାଉଛନ୍ତି, ଯୋଗ୍ୟ ବ୍ୟକ୍ତି ପଛରେ ରହି ଯାଉଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସାମାଜିକ କୁସଂସ୍କାର ଓ ଦୁର୍ନୀତି ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲେ। ୧୯୦୯ରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରି ସୁଧାର ଆନ୍ଦୋଳନ ଓ ଶିକ୍ଷାନୀତି ମାଧ୍ୟମରେ ନୈତିକତା ଆଧାରରେ ଚରିତ୍ର ଗଠନ ଉପରେ ଗୁରୁତ୍ଵ ଦେଇଥିଲେ। ପିଲାମାନଙ୍କୁ ଦେଶସେବା, ସାଧୁତା ଓ ସାମାଜିକ ଶିକ୍ଷା ଦେଇଥିଲେ। ପିତାମାତା, ଶିକ୍ଷାନୁଷ୍ଠାନ ବିଦ୍ୟାର୍ଥୀ ମାନଙ୍କୁ ଅନୀତି ଠାରୁ ଦୂରେଇ ରହିବା ପାଇଁ ପିଲାମାନଙ୍କୁ ଶିକ୍ଷା ଦେବା ଉଚିତ। ଗଣମାଧ୍ୟମ ଓ ସୂଚନା ଅଧିକାର କର୍ମୀ ନିରପେକ୍ଷ ହେବା ଜରୁରୀ। ଭ୍ରଷ୍ଟ୍ରାଚାରୀଙ୍କ ମନରେ ଭୟ ସଂଚାର କରାଯାଉ। ସେମାନଙ୍କୁ ଉତ୍ତରଦାୟୀ କରାଯାଉ। ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନକାରୀଙ୍କୁ ସୁରକ୍ଷା ଯୋଗାଇ ଦେବା ଆବଶ୍ୟକ। ସେଥିପାଇଁ ଅନେକ ସମୟରେ ସଚ୍ଚୋଟ କର୍ମଚାରୀ ମଧ୍ୟ କଠୋର ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି। ଦୁର୍ନୀତି ନିବାରଣ ପାଇଁ ସଶକ୍ତ ଲୋକାୟୁକ୍ତ, ଦକ୍ଷ ଅଡିଟ୍ ବ୍ୟବସ୍ଥା ଜରୁରୀ। ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ ବୋଲି ଶ୍ରୀ କୁମାର କହିଥିଲେ।

- Advertisement -

ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାସନାଲ ଇଣ୍ଡିଆର ପୂର୍ବତନ କାର୍ଯ୍ୟକାରୀ ନିର୍ଦ୍ଦେଶକ ରାମ ନାଥ ଝା କହିଥିଲେ, ସେବା ପାଇଁ ଏବେ ଲୋକଙ୍କୁ ଠାରୁ ଜୋର ଜବରଦସ୍ତି ଅର୍ଥ ଆଦାୟ କରାଯାଉଛି। ଦୁର୍ନୀତି କେବଳ ଭାରତରେ ନୁହେଁ, ସବୁ ସ୍ଥାନରେ ଅଛି। ଅନୀତି କରି ବିପୁଳ ଅର୍ଥ ରୋଜଗାର କରୁଥିବା ବ୍ୟକ୍ତି, ଶାନ୍ତିରେ ଶୋଇପାରେ ନାହିଁ। ସତ୍ୟାନିଷ୍ଠା ଆଗରେ ଦୁର୍ନୀତି ବହୁତ ଛୋଟ।

ମୁଖ୍ୟ ବକ୍ତା ରାଜ ଯୋଗିନୀ ବ୍ରହ୍ମକୁମାରୀ ଆଶା ଦିଦି କହିଥିଲେ, ସର୍ବଦା ସତ୍ୟ ପାଇଁ ମୂଲ୍ୟ ଦେବାକୁ ପଡିଥାଏ। ଦିନଥିଲା ଲୋକେ କହୁଥିଲେ ମୋର ପରିବାର ଅଛି, ଅନ୍ୟାୟ କାମ କରିବି ନାହିଁ। ଆଜି କହୁଛନ୍ତି ପରିବାର ଅଛି, ଲାଞ୍ଚ ନ ଦେଲେ ହେବନି। ଆମକୁ ଦୁର୍ନୀତି ବିରୋଧରେ ଦ୍ବିତୀୟ ସ୍ବାଧୀନତା ସଂଗ୍ରାମ ଆରମ୍ଭ କରିବାକୁ ପଡିବ। ପିଲାମାନଙ୍କୁ ଆଧ୍ୟାତ୍ମିକତା ଓ ଆଦର୍ଶଗତ ଶିକ୍ଷା ଦିଆଯାଉ। ସାଧାରଣ ଜୀବନ ଯାପନ ଉଚ୍ଚ ଚିନ୍ତାଧାରା ପାଇଁ ପ୍ରୋତ୍ସାହିତ କରାଯାଉ। ପ୍ରତ୍ୟେକ ପିଲା ନିଜ ଜୀବନର ଲକ୍ଷ୍ୟ ଧାର୍ଯ୍ୟ କରିବା ଆବଶ୍ୟକ। ଏପରି ହେଲେ ଭ୍ରଷ୍ଟାଚାର ପ୍ରତି ସେମାନଙ୍କ ମନରେ ଖରାପ ଭାବନା ଯାତ ହେବ ବୋଲି କହିଥିଲେ।

ଏହି ଅବସରରେ ପୂର୍ବତନ ଆଇପିଏସ ଅଧିକାରୀ ସତ୍ୟଜିତ ମହାନ୍ତି, ପୂର୍ବତନ ଆଇଏଫଏସ ଅଧିକାରୀ ଦେବୀଦତ୍ତ ବିଶ୍ଵାଳ, ଗବେଷକ ଡ଼ ଅସିତ କୁମାର ମହାନ୍ତି, ଡ଼ା ପି ସୁବର୍ଣ୍ଣା ଦେବୀ, ଶିକ୍ଷାବିତ କାମାକ୍ଷୀ ପ୍ରସାଦ ଦାସ, ପ୍ରଶାସନିକ ଅଧିକାରୀ ଜଗନ୍ନାଥ ମହାନ୍ତି, ବ୍ରହ୍ମକୁମାରୀ ଲିନା, କୁନାରାମ ମୁର୍ମୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନେ ପୁରସ୍କୃତ ହୋଇଥିଲେ। କରପନନ୍ ଫ୍ରି ଓଡ଼ିଶାର ଡ଼ ଦେବବ୍ରତ ସ୍ବାଇଁ ସ୍ବାଗତ ଭାଷଣ ଦେଇଥିବା ବେଳେ ସେକ୍ରେଟାରୀ ହରିହର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଶିଶିର କୁମାର ସାହୁ, କୋଷାଧ୍ୟକ୍ଷ ସରୋଜ କାନ୍ତ ଚୌଧୂରୀ, ଉପ ସଭାପତି ସେବତୀ ପରିଡ଼ା, ତୁଳିଶ୍ରୀ ପ୍ରଧାନ ଉପସ୍ଥିତ ଥିଲେ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories