ଭିଏସ୍‍ କୋକଜେ ଭିଏଚପିର ଆନ୍ତର୍ଜାତିକ ଅଧ୍ୟକ୍ଷ

0

ନୂଆଦିଲ୍ଲୀ  : ବିଷ୍ଣୁ ସଦାଶିବ କୋକଜେ ଶନିବାର ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ର ଆନ୍ତର୍ଜାତିକ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ହିମାଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ ତଥା ମଧ୍ୟପ୍ରଦେଶ ହାଇକୋର୍ଟର ପୂର୍ବତନ ବିଚାରପତି କୋକଜେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ପ୍ରବୀଣ ତୋଗାଡିଆଙ୍କ ଅନୁଗତ ରାଘବ ରେଡ୍ଡିଙ୍କୁ ୭୧ଟି ଭୋଟରେ ପରାସ୍ତ କରିଛନ୍ତି। କୋକଜେ ୧୩୧ଟି ଭୋଟ ପାଇଥିବାବେଳେ ରାଘବ ରେଡ୍ଡି ୬୦ଟି ଭୋଟ ପାଇଥିଲେ। ପ୍ରବୀଣ ତୋଗାଡିଆଙ୍କ ପରେ ଭିଏଚପିର ଅଧ୍ୟକ୍ଷ କିଏ ହେବ ସେ ନେଇ ସଂଗଠନ ମଧ୍ୟରେ ସର୍ବସମ୍ମତି ହୋଇପାରି ନଥିଲା। ଫଳରେ ଦୀର୍ଘ ୫୨ବର୍ଷ ପରେ ଭିଏଚପି ନିର୍ବାଚନ ମାଧ୍ୟମରେ ନିଜର ଅଧ୍ୟକ୍ଷ ନିର୍ବାଚନ କରିଛି। ଗୁପ୍ତ ବାଲାଟ ପେପର ଦ୍ୱାରା ଏହି ନିର୍ବାଚନ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକଳାପକୁ ନିୟମିତ ସମାଲୋଚନା କରିବା କାରଣରୁ ତୋଗାଡିଆ ସଂଗଠନରେ ଏକ ଘରକିଆ ହୋଇପଡିଥିଲେ। ତେବେ ଏହି ନିର୍ବାଚନ ଫଳକୁ ବିରୋଧ କରି ଏପ୍ରିଲ ୧୭ରୁ ଅନଶନ କରିବା ନେଇ ତୋଗାଡିଆ ଘୋଷଣା କରିଛନ୍ତି। ଅନ୍ୟପଟେ ଭିଏଚପିର ଅଧ୍ୟକ୍ଷ ନିର୍ବାଚିତ ହେବା ପରେ କୋକ୍‍ଜେ ନିଜର ପରିଷଦ ଗଠନ କରିଛନ୍ତି। କୋକଜେଙ୍କ ନିର୍ଦେଶ କ୍ରମେ ଆଲୋକ କୁମାର କାର୍ଯ୍ୟକାରୀ ଅଧ୍ୟକ୍ଷ, ଅଶୋକ ଚୌଗୁଲେ ଆନ୍ତର୍ଜାତିକ କାର୍ଯ୍ୟକାରୀ ଅଧ୍ୟକ୍ଷ, ମିଲଣ୍ଡ ପାରାଣ୍ଡେ ସାଧାରଣ ସମ୍ପାଦକ ଓ ବିନୟ ରାଓ ଦେଶପାଣ୍ଡେ ଯୁଗ୍ମ ସାଧାରଣ ସମ୍ପାଦକ ମନୋନୀତ ହୋଇଛନ୍ତି। ଏହି ପରିଷଦରେ ତୋଗାଡିଆଙ୍କ ସମର୍ôଥତ କୌଣସି ସଦସ୍ୟଙ୍କୁ ସାମିଲ କରାଯାଇ ନାହିଁ। ଫଳରେ ଭିଏଚପିରେ ତୋଗାଡିଆଙ୍କ ଯୁଗର ଏକ ପ୍ରକାର ଅବସାନ ହୋଇଛି।

ସଂକ୍ଷେପରେ କୋକଜେ-

ଡିସେମ୍ବର ୬ ତାରିଖ ୧୯୩୯ରେ ମଧ୍ୟ ପ୍ରଦେଶରେ କୋକଜେ ଜନ୍ମ ଗ୍ରହଣ କରିଥିଲେ।

ଇନ୍ଦେରରୁ ଏଲଏଲବି ଶେଷ କରିବା ପରେ ୧୯୬୪ରୁ ସେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।

୧୯୯୦ରେ କୋକଜେଙ୍କୁ ମଧ୍ୟ ପ୍ରଦେଶ ହାଇକୋର୍ଟର ଜଜ୍‍ ଭାବେ ନିଯୁକ୍ତି କରାଯାଇଥିଲା।

୨୦୦୧ରେ ସେ ରାଜସ୍ଥାନ ହାଇକୋର୍ଟର ମଧ୍ୟ ବିଚାରପତି ଥିଲେ।

୨୦୦୩ ରୁ ୨୦୦୮ ପର୍ଯ୍ୟନ୍ତ ସେ ହିମାଚଳ ପ୍ରଦେଶର ରାଜ୍ୟପାଳ ଥିଲେ।

୧୭ ଅପ୍ରେଲରୁ  ଅହମ୍ମଦାବାଦରେ ତୋଗାଡିଆଙ୍କ ଆମରଣ ଅନଶନ

                                                                  ରାଘବ ରେଡ୍ଡୀ ନିର୍ବାଚନ ହାରିଗଲା ପରେ ୧୭ ଅପ୍ରେଲରୁ ଅହମ୍ମଦାବାଦରେ ଆମରଣ ଅନଶନ କରିବା ପାଇଁ ପ୍ରବୀଣ ତୋଗାଡିଆ ଘୋଷଣା କରିଛନ୍ତି। ରାମ ମନ୍ଦିର, ୩୭୦ ଧାରା ଶେଷ କରିବା ତଥା ସମାନ ନାଗରିକ ସଂହିତାକୁ ନେଇ ସରକାରଙ୍କ ସହିତ ତାଙ୍କର ମତଭେଦ ଥିଲା। ଅନ୍ୟପକ୍ଷରେ ଦୀର୍ଘ ୩୨ ବର୍ଷ ଧରି ସେ ବିଶ୍ୱ ହିନ୍ଦୁ ପରିଷଦରେ ସକ୍ରିୟ ଥିଲେ।

ତେବେ ରାଘବଙ୍କ ପରାଜୟ ଉପରେ ନିଜର ପ୍ରତିକ୍ରିୟାରେ ତୋଗାଡିଆ କହିଛନ୍ତି, ଯେ ଶନିବାର କୋଟି କୋଟି ଭାରତୀୟଙ୍କ ସ୍ୱରକୁ ଚପାଇ ଦେବା ଭଳି କାର୍ଯ୍ୟ ହୋଇଛି। ତେବେ ତାଙ୍କର ଏହି ଅନଶନ କୃଷକ, ମହିଳା, ଶ୍ରମିକଙ୍କ ଦାବି ପାଇଁ ହେବ। ସେ ମଧ୍ୟ ରାମ ମନ୍ଦିର ନିର୍ମାଣର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଏହା ବ୍ୟତୀତ ଗୋ ହତ୍ୟା, ସମାନ ନାଗରିକ ସଂହିତା, କାଶ୍ମୀରର ହିନ୍ଦୁମାନଙ୍କୁ ପୁଣି ଫେରାଇଆଣିବା ଆଦି କଥାକୁ ମଧ୍ୟ ଦୋହରାଇଛନ୍ତି।

ବିଶ୍ୱହିନ୍ଦୁ ପରିଷଦର ୫୪ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଅନ୍ତରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି।

Leave A Reply