ଆଉ ତେର ଦିନ ଯାଇଥିଲେ ନବେ ବର୍ଷରେ ପାଦ ଥାପିଥାନ୍ତେ ସେ। ବାରଦିନ ତଳେ ହସ୍ପିଟାଲରୁ ଫେରିଥିଲେ ଘରକୁ। ସେତେବେଳେ ତାଙ୍କର ମୃତ୍ୟୁକୁ ନେଇ ଭ୍ରମାତ୍ମକ ଖବର ବେଶ୍ ଚର୍ଚ୍ଚାରେ ରହିଥିଲା। ଆଜି କିନ୍ତୁ ଶେଷରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ବଲିଉଡର ହି-ମ୍ୟାନ୍ ଭାବରେ ପରିଚିତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର। ୮୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ମୁମ୍ବଇର ଭିଲେ ପାର୍ଲେ ଶ୍ମଶାନରେ ଶେଷ ହୋଇଛି ତାଙ୍କର ଅନ୍ତିମ ସଂସ୍କାର। ଧରମ ସିଂହ ଦେଓଲରୁ ଧର୍ମେନ୍ଦ୍ର ହେବା ପର୍ଯ୍ୟନ୍ତ ବଲିଉଡ୍ରେ ଏକ ଯୁଗର ଶେଷ ହୋଇଛି।
ଅଣାନବେରେ ବି ନଥିଲା ଅବସର: ୮୯ ବର୍ଷ ବୟସରେ ବି ନିଜ ଫିଟନେସରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ହି-ମ୍ୟାନ୍ ଏବଂ ଚଳଚ୍ଚିତ୍ରରେ ଅଭିନୟ କ୍ଷେତ୍ରରେ ମଧ୍ୟ ସକ୍ରିୟ ରହିଥିଲେ। ଧର୍ମେନ୍ଦ୍ର ନିଜେ ସ୍ୱୀକାର କରୁଥିଲେ ଯେ ତାଙ୍କ ବ୍ୟକ୍ତିଗତ ଜୀବନ କୌଣସି ଚଳଚ୍ଚିତ୍ରଠାରୁ କମ୍ ନୁହେଁ। ଅରବାଜ ଖାନଙ୍କ ସହ ‘ମୈନେ ପ୍ୟାର୍ କିୟା ଫିର୍ ସେ’ ଚଳଚ୍ଚିତ୍ରରେ ବି ସେ ଆସିବାର ଥିଲା। ତାଙ୍କୁ ନିକଟରେ ‘ରକି ଔର ରାନୀ କି ପ୍ରେମ କାହାନୀ’ ଏବଂ ‘ତେରୀ ବାତୋଁ ମେଁ ଐସା ଉଲ୍ଝା ଜିୟା’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ଅମିତାଭଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ଚଳଚ୍ଚିତ୍ର ‘ଇକ୍କିଶ୍’ରେ ମଧ୍ୟ ଦର୍ଶକ ତାଙ୍କର ଅଭିନୟ ଦେଖିବାକୁ ପାଇବେ। ଏହା ଧର୍ମେନ୍ଦ୍ରଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ହେବ ଯାହା ଆସନ୍ତା ଡିସେମ୍ବର ୨୫ ତାରିଖରେ ମୁକ୍ତିଲାଭ କରିବାର ଅଛି। କିନ୍ତୁ ଚଳଚ୍ଚିତ୍ର ପରଦାକୁ ଆସିବା ପୂର୍ବରୁ ଆରପାରିକୁ ଚାଲିଯାଇଛନ୍ତି ହି-ମ୍ୟାନ୍। ଇନ୍ଷ୍ଟାଗ୍ରାମରେ ଖୁବ୍ ସକ୍ରିୟ ରହୁଥିବା ଧର୍ମେନ୍ଦ୍ରଙ୍କର ଶେଷ ପୋଷ୍ଟ ଥିଲା ‘ଇକ୍କିଶ୍’ର ଟ୍ରେଲର୍। ୮୮ବର୍ଷ ବୟସରେ ‘ତେରୀ ବାତୋଁ ମେଁ ଐସା… ’ ଚଳଚ୍ଚିତ୍ର ପାଇଁ ସେ ନିଜ ନାମ ବଦଳାଇ ପିତୃଦତ୍ତ ନାମ ଧରମ ସିଂ ଦେଓଲକୁ ପରଦାରେ ସାମ୍ନାକୁ ଆଣିଥିଲେ।
ଡିସ୍ପ୍ନିଆରେ ଆକ୍ରାନ୍ତ ଥିଲେ: କିଛିଦିନ ହେବ ଶ୍ୱାସକ୍ରିୟା ଜନିତ ଏବଂ ବୟସାଧିକ୍ୟ ଯୋଗୁ ହୋଇଥିବା ସ୍ୱାସ୍ଥ୍ୟ ସମସ୍ୟା ନେଇ ଧର୍ମେନ୍ଦ୍ର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଡାକ୍ତରମାନଙ୍କ ମତରେ, ସେ ଆକ୍ରାନ୍ତ ଥିବା ଶ୍ୱାସକ୍ରିୟା ଜନିତ ସମସ୍ୟାକୁ ଡିସ୍ପ୍ନିଆ କୁହାଯାଏ। ସେଥିପାଇଁ ତାଙ୍କୁ କିଛିଦିନ ଭେଣ୍ଟିଲେଟରରେ ରଖାଯାଇଥିଲା। ଏହା ନିଜେ ଏକ ରୋଗ ହୋଇନଥିଲେ ମଧ୍ୟ ଏହାକୁ ଅନେକ ଆଭ୍ୟନ୍ତରୀଣ ରୋଗର ଲକ୍ଷଣ ଭାବରେ ବିବେଚନା କରାଯାଏ। ଶ୍ୱାସକ୍ରିୟା କିମ୍ବା ହୃଦ୍ରୋଗ ସମସ୍ୟା, ଯେପରିକି ଶ୍ବାସରୋଗ, ନିମୋନିଆ, ହୃଦ୍ଘାତ, କିମ୍ବା ରକ୍ତହୀନତା ହେତୁ ଡିସ୍ପ୍ନିଆ ହୋଇପାରେ।
ତିନିଶହରୁ ଅଧିକ: ହିନ୍ଦୀ ସିନେମାର ସବୁଠାରୁ ସମ୍ମାନିତ ଏବଂ ଲୋକପ୍ରିୟ ତାରକାମାନଙ୍କ ମଧ୍ୟରୁ ଜଣେ ଥିଲେ ଧର୍ମେନ୍ଦ୍ର। ସାତ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ କ୍ୟାରିୟରରେ, ସେ ୩୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏଥିମଧ୍ୟରେ ‘ଶୋଲେ’, ‘ଚୁପ୍କେ ଚୁପ୍କେ’, ‘ସୀତା ଔର୍ ଗୀତା’, ‘ଧରମ ବୀର’ ଭଳି ଅନେକ ସୁପରହିଟ୍ ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ। ତାଙ୍କର ସଂଳାପଗୁଡ଼ିକ ଆଜି ମଧ୍ୟ ଦର୍ଶକଙ୍କ ମୁହଁରେ ରହିଛି। ବିଶେଷକରି ‘ଶୋଲେ’ ଚଳଚ୍ଚିତ୍ରର ‘ବସନ୍ତୀ, ଇନ୍ କୁତ୍ତୋଁ କେ ସାମ୍ନେ ମତ୍ ନାଚ୍ନା…’ ଏବେକାର ଯୁବପିଢ଼ି ବି ଦୋହରାଇଥାନ୍ତି।
ରାଜନୀତି: କେବଳ ଅଭିନୟରେ ସୀମିତ ନରହି କୃଷିକାର୍ଯ୍ୟରେ ମଧ୍ୟ ଆଗୁଆ ଥିଲେ ଧର୍ମେନ୍ଦ୍ର। ରାଜନୀତି କ୍ଷେତ୍ରକୁ ବି ବାଦ୍ ଦେଇ ନଥିଲେ। ୨୦୦୪ ମସିହାରେ ରାଜସ୍ଥାନର ବିକାନେରରୁ ବିଜେପି ଟିକଟରେ ପ୍ରଥମ ନିର୍ବାଚନ ଲଢ଼ିଥିଲେ ସେ। କଂଗ୍ରେସ ପ୍ରାର୍ଥୀ ରାମେଶ୍ବର ଲାଲ୍ ଡୁଡିଙ୍କୁ ୬୦ହଜାରରୁ ଅଧିକ ଭୋଟ୍ରେ ପରାଜିତ କରିଥିଲେ। ପୂରା ପରିବାର ଏହି ନିର୍ବାଚନରେ ତାଙ୍କ ସାଙ୍ଗରେ ରହିଥିଲା। ତେବେ ପରେ ରାଜନୀତିରୁ ଓହରି ଆସିଥିଲେ ସେ।
ଚର୍ଚ୍ଚାରେ ବାହାଘର: ୧୯ ବର୍ଷ ବୟସରେ ପ୍ରକାଶ କୌରଙ୍କୁ ବିବାହ କରିଥିଲେ ଧର୍ମେନ୍ଦ୍ର। ତା’ପରେ, ୪୫ ବର୍ଷ ବୟସରେ, ସେ ପ୍ରକାଶ କୌରଙ୍କୁ ଛାଡ଼ପତ୍ର ନ ଦେଇ ହେମାମାଳିନୀଙ୍କୁ ବିବାହ କରିଥିଲେ। ତେବେ ବିବାହ ପରେ କେବେ ଶାଶୂଘର ଯାଇ ନଥିଲେ କି ପ୍ରକାଶ କୌରଙ୍କ ସହ କଥା ହୋଇ ନଥିଲେ ହେମାମାଳିନୀ। ଅବଶ୍ୟ ନିକଟରେ ହେମାମାଳିନୀ ଏବଂ ପ୍ରକାଶ କୌର ଏକାଠି ଥିବା ଏକ ଫଟୋ ଭାଇରାଲ ହୋଇଥିଲା। ପ୍ରକାଶଙ୍କଠାରୁ ଚାରି ସନ୍ତାନ (ସନି, ବବି, ଅଜିତା, ବିଜେତା) ଏବଂ ହେମାଙ୍କଠାରୁ ଦୁଇ କନ୍ୟା (ଇଶା ଓ ଆହାନା)ଙ୍କ ପିତା ହୋଇଥିଲେ ଧର୍ମେନ୍ଦ୍ର। ୧୩ଜଣ ନାତିନାତୁଣୀଙ୍କ ମଧ୍ୟରୁ ସନିଙ୍କର ଦୁଇ ପୁତ୍ର କରଣ ଓ ରାଜବୀର ବଲିଉଡ୍ରେ ପଦାର୍ପଣ କରିସାରିଛନ୍ତି। ୧୯୮୦ ମେ ୨ ତାରିଖରେ ହେମାଙ୍କ ସହ ବିବାହ କରିଥିଲେ ଧର୍ମେନ୍ଦ୍ର। ଏଥିପାଇଁ ପ୍ରକାଶଙ୍କୁ ଛାଡ଼ପତ୍ର ଦେଇନଥିଲେ ବି ଧର୍ମ ପରିବର୍ତ୍ତନ କରି ସେ ଦ୍ବିତୀୟ ବିବାହ କରିଥିବା ଚର୍ଚ୍ଚା ହୁଏ। ହେଲେ ଧର୍ମେନ୍ଦ୍ର କିଛିବର୍ଷ ତଳେ ଏହାକୁ ଖଣ୍ଡନ କରି କହିଥିଲେ, ହେମା ଓ ସେ ଆର୍ଯ୍ୟସମାଜ ମନ୍ଦିରରେ ବିବାହ କରିଥିଲେ। ଦ୍ବିତୀୟ ବିବାହ କରିବା ଲାଗି ସେ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ଆବଶ୍ୟକ ହୋଇନଥିଲା।
ଶେଷ ଇଚ୍ଛା: ଡିସେମ୍ବର ୮ତାରିଖରେ ନିଜର ୯୦ତମ ଜନ୍ମଦିନ ପାଳନ କରିବା ଏବଂ ଡିସେମ୍ବର ୨୫ ତାରିଖରେ ମୁକ୍ତିଲାଭ କରିବାକୁ ଥିବା ଚଳଚ୍ଚିତ୍ର ‘ଇକ୍କିଶ’ ଦେଖିବା ଥିଲା ଧର୍ମେନ୍ଦ୍ରଙ୍କ ଶେଷ ଇଚ୍ଛା। ଏହା ଥିଲା ତାଙ୍କ କ୍ୟାରିୟରର ଶେଷ ଇନିଂସ। ଏକ ସାକ୍ଷାତ୍କାରରେ ସେ କହିଥିଲେ- ‘ବୁଢ଼ା ହେଇଗଲିଣି, ହେଲେ ସିନେମା ମୋ ଜୀବନ। ଏଇ ଚଳଚ୍ଚିତ୍ର ଦେଖିବା ପରେ ହିଁ ଆଖି ବୁଜିବି। ତେବେ ବିଧିର ବିଧାନ କିଛି ଭିନ୍ନ ଥିଲା। ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ୩୦ଦିନ ପୂର୍ବରୁ ହିଁ ଲିଭିଗଲା ତାଙ୍କ ଜୀବନ ଦୀପ।



