ବେଙ୍ଗାଲୁରୁ: କର୍ଣ୍ଣାଟକର କଂଗ୍ରେସ ସରକାରରେ ଦେଖାଯାଇଥିବା କ୍ଷମତା କନ୍ଦଳକୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମୁହଁାମୁହିଁ ହୋଇଛନ୍ତି। ଶୁକ୍ରବାର ଶିବକୁମାର କହିଛନ୍ତି ଯେ କଂଗ୍ରେସର ସମସ୍ତ ୧୪୦ ବିଧାୟକ ମୋର। ସମସ୍ତ ବିଧାୟକଙ୍କର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହେବାର ଯୋଗ୍ୟତା ରହିଛି। ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍ ଅଦଳବଦଳ କରିବାକୁ ସୂଚନା ଦେବା ପରେ ସମସ୍ତେ ଏଥିପାଇଁ ଆଶାୟୀ ହେବା ସ୍ବାଭାବିକ। ଏଥିରେ କାହାର କୌଣସି ପ୍ରକାର ଅସହିଷ୍ଣୁତା ମନୋଭାବ ରହିବା ଉଚିତ୍ ନୁହେଁ। ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ ସେ ପୂର୍ଣ୍ଣ ୫ବର୍ଷ କାର୍ଯ୍ୟକାଳ ଶେଷ କରିବେ। ଏଥିପାଇଁ ତାଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ତାଙ୍କୁ ଆମେ କାମରେ ପୂର୍ଣ୍ଣ ସହଯୋଗ କରିବୁ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ୟାବିନେଟ୍ ଅଦଳବଦଳ ନିଷ୍ପତ୍ତି ହାଇକମାଣ୍ଡ ନିଷ୍ପତ୍ତିର ବିଷୟ। ମାତ୍ର ହାଇକମାଣ୍ଡ ଏ ପ୍ରସଙ୍ଗରେ କିଛି କହି ନାହାନ୍ତି। ହାଇକମାଣ୍ଡ କ’ଣ କହିଲେ ତାହା ସମସ୍ତେ ଶୁଣିବା ଦରକାର। ଜଣଙ୍କ ଶୁଣିବାରେ କିଛି ଯଥାର୍ଥତା ନଥାଏ। କର୍ଣ୍ଣାଟକ ସରକାରରେ ନେତୃତ୍ବ ପରିବର୍ତ୍ତନ ଦାବି କରି ଶିବକୁମାରଙ୍କ ସମର୍ଥିତ ୧୦ ଜଣ ବିଧାୟକ ଦିଲ୍ଲୀ ଗସ୍ତ କରିଛନ୍ତି। ଏହି ବିଧାୟକମାନେ ହାଇକମାଣ୍ଡଙ୍କ ନିକଟରେ କ୍ଷମତା ଆବଣ୍ଟନର ଦାବି ଉଠାଇଛନ୍ତି। ସିଦ୍ଧରମେୟାଙ୍କୁ ହଟାଇ ମୁଖ୍ୟମନ୍ତ୍ରୀ ପଦରେ ଶିବକୁମାରଙ୍କ ବସାଇବାକୁ ସେମାନେ ଦାବି କରିଛନ୍ତି। ସରକାର ଗଠନ ସମୟରେ ସିଦ୍ଧରମେୟା ଓ ଶିବକୁମାର ରୋଟେସନ ଭିତ୍ତିରେ ଅଢେଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନିର୍ବାହ କରିବାର ଅଲିଖିତ ବୁଝାମଣା ହୋଇଥିଲା। ଏହି ବୁଝାମଣାକୁ ସମ୍ମାନ ଦେବା ଲାଗି ସେମାନେ ଏବେ ଦାବି କରିଛନ୍ତି।



