ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ପ୍ରଶାସନିକ ନିୟନ୍ତ୍ରଣରେ ଥିବା ୧୪ ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତି ପ୍ରକ୍ରିୟା କଚ୍ଛପ ଗତିରେ ଚାଲିଛି। ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତି ପାଇଁ ସାକ୍ଷାତକାର ସରିଥିବାବେଳେ ଏବେ ଆଉ ୩ ବିଶ୍ବବିଦ୍ୟାଳୟ ପାଇଁ ସାକ୍ଷାତକାର ଶେଷ ହୋଇଛି। ସଂକ୍ଷପ୍ତ ତାଲିକାରେ ୩ ଜଣିଆ ନାମ ତାଲିକା କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟକୁ ଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ପୁରୀ ଜିଲା ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ବବିଦ୍ୟାଳୟ କୁଳପତି ସହ ଅନ୍ୟ ୧୩ଟି ବିଶ୍ବବିଦ୍ୟାଳୟର କୁଳପତି ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଏକକାଳୀନ ୧୪ ବିଶ୍ବବିଦ୍ୟାଳୟର କୁଳପତି ପଦ ପାଇଁ ପ୍ରାୟ ୩ ଶହରୁ ଊର୍ଦ୍ଧ୍ବ ପ୍ରଫେସର ଆବେଦନ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ରେଭେନ୍ସା, ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପାଇଁ ରେକର୍ଡସଂଖ୍ୟକ ପ୍ରାର୍ଥୀ ଆବେଦନ କରିଥିଲେ। ଏବେ ଭାରପ୍ରାପ୍ତ କୁଳପତିରେ ଅଧିକାଂଶ ବିଶ୍ବବିଦ୍ୟାଳୟ ଚାଲୁଛି। ଫଳରେ ନିଯୁକ୍ତି ପ୍ରକ୍ରିୟା ସହ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅଟକି ରହିଛି। ଅକ୍ଟୋବରରେ ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ମନୋନୟନ ପାଇଁ ସାକ୍ଷାତକାର ହୋଇଥିଲା।ସାକ୍ଷାତକାର ସରିବା ପରେ ୩ ଜଣିଆ ନାମ ତାଲିକା ରାଜଭବନକୁ ପ୍ରେରଣ କରାଯାଇଥିଲା।
ଅନ୍ୟପକ୍ଷରେ ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ କୁଳପତି ମନୋନୟନ ପାଇଁ ସଂକ୍ଷିପ୍ତ ତାଲିକାରେ ଥିବା ୨୪ଜଣ ପ୍ରଫେସରଙ୍କ ସାକ୍ଷାତକାର ଚଳିତ ମାସ ୧୨ ଓ ୧୩ରେ ଶେଷ ହୋଇଛି। ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ କୁଳପତି ପାଇଁ ଚଳିତ ମାସ ୧୩ ଓ ୧୪ରେ ସଂକ୍ଷିପ୍ତ ତାଲିକାରେ ଥିବା ପ୍ରଫେସରଙ୍କର ସାକ୍ଷାତକାର ନିଆଯାଇଥିଲା। ଅନୁରୂପ ଭାବେ ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ସଂକ୍ଷିପ୍ତ ତାଲିକାରେ ଥିବା ୨୦ରୁ ଊର୍ଦ୍ଧ୍ବ ପ୍ରଫେସରଙ୍କର ମଧ୍ୟ ସାକ୍ଷାତକାର ଶେଷ ହୋଇଛି। ଏହି ତିନି ବିଶ୍ବବିଦ୍ୟାଳୟର ତିନିଜଣ ପ୍ରଫେସରଙ୍କ ନାମ ତାଲିକା ବନ୍ଦ ଲଫାପାରେ ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟକୁ ମନୋନୟନ କମିଟି ପଠାଇଥିବା ଜଣାପଡ଼ିଛି। ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ଅନ୍ୟ ପ୍ରମୁଖ ବିଶ୍ବବିଦ୍ୟାଳୟ ପାଇଁ ଖୁବ୍ଶୀଘ୍ର ସାକ୍ଷାତକାର ଅନୁଷ୍ଠିତ ହେବ।



