www.samajalive.in
Saturday, December 13, 2025
26.1 C
Bhubaneswar

ମାଟ୍ରିକ୍ ପରୀକ୍ଷା ବିଭ୍ରାଟ, ଅଧିକ ସଂସ୍କାର ଓ ସତର୍କତା ଆବଶ୍ୟକ

ଚଳିତ ବର୍ଷର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ ଯାହାସବୁ ଘଟୁଛି ତାହା ନିଶ୍ଚିତ ଦୁର୍ଭାଗ୍ୟଜନକ ଏବଂ ସାଧାରଣ ଗ୍ରହଣୀୟତାର ବାହାରେ। ଯାହାସବୁ ଘଟିବାର ନୁହେଁ ତାହା କ୍ରମାଗତ ଘଟିବା ଅର୍ଥ ବ୍ୟବସ୍ଥାରେ ତ୍ରୁଟି ରହିଛି ଏବଂ ଏହି ପରୀକ୍ଷା ପରିଚାଳନା ତନ୍ତ୍ରଟି ସଂପୂର୍ଣ୍ଣ ସୁରକ୍ଷିତ ହୋଇପାରିନାହିଁ। ପ୍ରଶ୍ନପତ୍ର ପ୍ରଘଟ, ଖୋଲାଖୋଲି କପି, ପରୀକ୍ଷାର୍ଥୀଙ୍କ ଉତ୍ତରଖାତା ହଜିବା ଆଦି ଘଟଣା ସୀମିତ ଆକାରରେ ଘଟିଥିଲେ ମଧ୍ୟ ପରିଚାଳନା ପ୍ରକ୍ରିୟାରେ ଥିବା ଦୁର୍ବଳତାକୁ ପଦାରେ ପକାଉଛି। ମାଟ୍ରିକ ନାମରେ ପରିଚିତ ଏହି ପରୀକ୍ଷା ପିଲାମାନଙ୍କ ଅଧ୍ୟୟନ ଜୀବନରେ ବିଶେ​‌ଷ​‌ ଗୁରୁତ୍ବ ରଖେ। ଏହା ତାଙ୍କର ପାଠ ଜୀବନର ମୌଳିକ ଆଧାର; ଯାହାର ସାର୍ଟିଫିକେଟ ଉପରେ ସେମାନଙ୍କର ପରବର୍ତ୍ତୀ ପାଠପଢ଼ା ଓ ବୃତ୍ତିଗତ ଜୀବନର ଢାଞ୍ଚା ତିଆରି ହୁଏ।
ପ୍ରାୟ ଛ’ଲକ୍ଷ ପିଲାଙ୍କ ବୋର୍ଡପରୀକ୍ଷା ପରିଚାଳନା ଅବଶ୍ୟ ସମସ୍ୟାବହୁଳ। ଏହା କେବଳ ମାଧ୍ୟମିକ ଶିକ୍ଷା ପରିଷଦର ଦାୟିତ୍ବ ନୁହେଁ; ଏଥ‌ିରେ ସମଗ୍ର ପ୍ରଶାସନ ଓ ସରକାରଙ୍କର ଦାୟିତ୍ବ ରହିଛି। ପ୍ରତିବର୍ଷ ହେଉଥିବା ଏହି ପରୀକ୍ଷାର ତ୍ରୁଟିଗୁଡ଼ିକୁ ସୁଧାରିବାକୁ ଉଦ୍ୟମ ହେଉଥିବାବେଳେ ନୂଆନୂଆ ସମସ୍ୟା ମୁଣ୍ଡ ଟେକୁଛି। ଏହି ବିଭ୍ରାଟରେ ବ୍ୟବସ୍ଥା ଭିତରେ ଥିବା କିଛି ଲୋକଙ୍କ ସଂପୃକ୍ତି ରହୁଛି ଏବଂ ସ୍ମାର୍ଟଫୋନ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳର ଦୁରୁପଯୋଗ କରାଯାଉଛି। ଏହାଛଡ଼ା ଏକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଏଥିରେ ବିଘ୍ନ ସୃଷ୍ଟି କରିବାକୁ ଯେ ଉଦ୍ୟମ କରୁଛି ତାହାକୁ ଅସ୍ବୀକାର କରିହେବନାହିଁ। ତେବେ ମାଟ୍ରିକ ପରୀକ୍ଷା ବିଭ୍ରାଟ ଜନିତ ଖବର ପ୍ରକାଶ ପାଇଁ ଗଣମାଧ୍ୟମକୁ ଦୋଷ ଦେବା ଠିକ୍‌ ହେବନାହିଁ। ଗଣମାଧ୍ୟମ ନିଜ କାମ କରୁଛି ଏବଂ ଯେଉଁଠି ତ୍ରୁଟିବିଚ୍ୟୁତି ଘଟୁଛି ତାହାକୁ ଲୋକଲୋଚନକୁ ଆଣୁଛି।
ଅଭିଜ୍ଞତା କହୁଛି ଯେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଫଳରେ କପି ଅନେକାଂଶରେ ହ୍ରାସ ପାଇଛି। ଦୀର୍ଘ ଉତ୍ତରମୂଳକ ପରୀକ୍ଷାରେ କପି କରିବାର ଅଧିକ ସୁବିଧା ଥାଏ। ଏହାସତ୍ତ୍ବେ ପରୀକ୍ଷାକେନ୍ଦ୍ର ନିକଟରେ ଅଭିଭାବକ ଓ ବାହାର ଲୋକଙ୍କ ଭିଡ଼ ଏବଂ ପା‌େ‌ଚରି ଡେଇଁ ପିଲାଙ୍କୁ କପିଯୋଗାଣ ଦୃଶ୍ୟ ନିଶ୍ଚିତଭାବେ ଶୋଭନୀୟ ଏବଂ ଗ୍ରହଣୀୟ ନୁହେଁ। ଏହି କାର୍ଯ୍ୟର ତଦାରଖ ଦାୟିତ୍ବ ପ୍ରଶାସନ ଓ ପୁଲିସର। ତାହା ସବୁ ସ୍ଥାନରେ ନ’ହେବା ଘଟଣାର ସମୀକ୍ଷା କରି ଭବିଷ୍ୟତରେ ଏହାର ପୁନରାବୃତ୍ତିକୁ ରୋକିବାକୁ ହେବ। ସେହିଭଳି ବ୍ୟବସ୍ଥାସହ ସଂପୃକ୍ତ ଶିକ୍ଷକ ଓ କେନ୍ଦ୍ର ଅଧୀକ୍ଷକ ଯେଉଁମାନଙ୍କ ତ୍ରୁଟି ଅଥବା ସଂପୃକ୍ତି ପାଇଁ ପ୍ରଶ୍ନପତ୍ର ପ୍ରଘଟ ହେଉଛି ସେମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବାର ଆବଶ୍ୟକତା ରହିଛି।
ଏହି ବିଭ୍ରାଟ ପ୍ରକ୍ରିୟାରେ ଯେଉଁ ପରୀକ୍ଷାର୍ଥୀମାନେ ପ୍ରଭାବିତ ହୋଇଛନ୍ତି ସେମାନେ ଯେପରି କ୍ଷତିଗ୍ରସ୍ତ ନ’ହୁଅନ୍ତି ବୋର୍ଡ଼ କର୍ତ୍ତୃପକ୍ଷ ଏବଂ ଗଣଶିକ୍ଷା ବିଭାଗ ତାହା ନିଶ୍ଚିତ କରି ତୁରନ୍ତ ପୁନଃପରୀକ୍ଷାର ବ୍ୟବସ୍ଥା କରିବା ଆବଶ୍ୟକ। ପିଲାମାନଙ୍କ ଭାଗ୍ୟସହ ନଖେଳି ଆଗକୁ ଏହି ପରୀକ୍ଷାକୁ ଅଧିକ ଶୃଙ୍ଖଳିତ ଏବଂ ସୁବ୍ୟବସ୍ଥିତ କରିବାର ଆବଶ୍ୟକତା ରହିଛି। ଅଧିକରୁ ଅଧିକ ସଂସ୍କାର ମାଧ୍ୟମରେ ଏହି ପରୀକ୍ଷାକୁ ତ୍ରୁଟିଶୂନ୍ୟ ଓ ସୁରକ୍ଷିତ କରିହେବ। ​ବୋର୍ଡ଼ ପରୀକ୍ଷାର ସୂଚାରୁ ପରିଚାଳନାରେ ଯେଉଁ ସବୁୁ ରାଜ୍ୟଙ୍କର ସୁନାମ ରହିଛି ସେମାନଙ୍କ ମଡ଼େଲକୁ ଅନୁଧ୍ୟାନ କରି ଆବଶ୍ୟକସ୍ଥଳେ ପ୍ରୟୋଗ କରାଯାଇପାରେ। ଏକ ଦୁର୍ବଳ ଓ ବିଫଳ ପରୀକ୍ଷା ବ୍ୟବସ୍ଥା ସଂପୃକ୍ତ ରାଜ୍ୟ ଓ ଏହାର ସରକାରଙ୍କର ବିଫଳତାକୁ ପଦାରେ ପକାଇଥାଏ। ଏହା ସୁଶାସନ ଓ ସୁପରିଚାଳନାର ପରିପନ୍ଥୀ, ଏକଥାକୁ ଭୁଲିଗଲେ ଚଳିବ ନାହିଁ। ପରୀକ୍ଷା ବିଭ୍ରାଟଜନିତ ଗ୍ଳାନିରେ ଥିବା ସରକାର ଓ ବୋର୍ଡ଼ କର୍ତ୍ତୃପକ୍ଷ ଏ ଦିଗରେ ଅବଶ୍ୟ ଯତ୍ନବାନ ହେବେ ବୋଲି ଆଶା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories