www.samajalive.in
Friday, December 5, 2025
20.1 C
Bhubaneswar

ଭୀମଭୋଈ @ ୧୭୫

ଭୁବନେଶ୍ଵର :ସନ୍ଥକବି ଭୀମ ଭୋଇଙ୍କ ଏଇ ଅନନ୍ୟ କାବ୍ୟକୃତି ‘ସ୍ତୁତି ଚିନ୍ତାମଣି‘ ରଚିତ ହୋଇଥିଲା ତାଙ୍କ ପରଲୋକର ଦୁଇ ତିନି ବର୍ଷ ପୂର୍ବରୁ ଅର୍ଥାତ୍ ୧୮୯୨ ମସିହାରେ। ତାଙ୍କ ଆୟୁଷ୍କାଳ ଥିଲା ଅର୍ଦ୍ଧ ଶତବର୍ଷରୁ କମ୍ ଏବଂ କବି ଜୀବନ ଥିଲା ମାତ୍ର ଅଣତିରିଶ ବର୍ଷ। ତାହାରି ଭିତରେ ସେ ରଚନା କରିଛନ୍ତି ଭଜନମାଳା, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ଚଉତିଶା ଗ୍ରନ୍ଥମାଳା, ନିର୍ବେଦ ସାଧନା ଶ୍ରୁତି ନିଷେଧ ଗୀତା ଓ ସ୍ତୁତି ଚିନ୍ତାମଣି। ଏଥି ସହିତ ତାଙ୍କର ଆଉ କିଛି ଗ୍ରନ୍ଥ ଅଛି ଏବଂ ଏବେ ବି କିଛି କିଛି ଆବିଷ୍କୃତ ହେଉଛି।
ଭୀମ ଭୋଇ କନ୍ଧ ସମ୍ପ୍ରଦାୟର ଜଣେ ନିରକ୍ଷର ତରୁଣ ଥିଲେ, ଆଶୁକବି ମଧ୍ୟ। ଗୀତ ଓ କବିତା ରଚନା ଥିଲା ତାଙ୍କ ବୃତ୍ତି ଓ ପରିଚିତି। ତାଙ୍କର ଏଇ ଅପୂର୍ବ ଦକ୍ଷତାର ସନ୍ଧାନ ପାଇଥିଲେ ସେତେବେଳର ନବ ପ୍ରବର୍ତ୍ତିତ ମହିମାଧର୍ମର ପ୍ରତିଷ୍ଠାତା ମହିମା ଗୋସାଇଁ। କବି ଗାଈ ଚରାଇବା ସହ ମହିମା ସାହିତ୍ୟ ରଚନାରେ ଯୋଗଦେଲେ। ସେ ସେହି ଧର୍ମରେ ଦୀକ୍ଷିତ ହୋଇ ନିଷ୍ଠାପୂର୍ଣ୍ଣ ଭାବେ ନିରନ୍ତର ଭଜନ ରଚନାରେ ମନୋନିବେଶ କଲେ ଏବଂ ମହିମା ସ୍ବାମୀଙ୍କୁ ଗୁରୁ ରୂପେ ଗ୍ରହଣ କରି ତାଙ୍କରି ନି‌େ‌ର୍ଦଶନା, ପରାମର୍ଶ ଓ ମାର୍ଗଦର୍ଶନରେ ନିଜର ସୃଜନ କର୍ମରେ ଲାଗିପଡ଼ିଲେ। ଏହି କାଳଖଣ୍ଡଟି ଥିଲା ୧୮୬୬ରୁ ୧୮୭୬ ଅର୍ଥାତ୍ ଗୁରୁ ମହିମା ସ୍ବାମୀ ବ୍ରହ୍ମଲୀନ ହେବାଯାଏ। ପରବର୍ତ୍ତୀ ସମୟ ୧୮୭୭ରୁ ୧୮୯୫ ଯାଏ ସେ ରେଢ଼ାଖୋଲର ଖଲିଆପାଲିରେ ଏକ ମହିମାଶ୍ରମ କରି ତାହାର ମଠାଧୀଶ ରହିଲେ।
ଗୁରୁ ମହିମା ଗୋସାଇଁ ହୃଦୟଙ୍ଗମ କରିଥିଲେ ଯେ ଏକ ନୂଆ ଧର୍ମଧାରାର ପ୍ରଚାର, ପ୍ରସାର ଓ ପ୍ରତିଷ୍ଠା ସକାଶେ ସାହିତ୍ୟ ରଚନା ଅପରିହାର୍ଯ୍ୟ। ତେଣୁ ସେ ସେହି ଦାୟିତ୍ବ ଦେଇଥିଲେ ଭୀମ ଭୋଇଙ୍କୁ। ସେ ଲେଖି ପାରୁନଥିଲେ – ନିରକ୍ଷର। କିନ୍ତୁ ଜଣେ ଆଶୁକବି ହୋଇଥିବାରୁ ତାଙ୍କ କବିତାର ତତକ୍ଷଣାତ୍ ଲିପିବଦ୍ଧ କରିଚାଲିବା ପାଇଁ ଗୁରୁ ନିଯୁକ୍ତ କରିଥିଲେ ଦୁଇ ଜଣ ଦୀକ୍ଷିତ ଲେଖନକାର – ବାସୁଦେବ ପଣ୍ଡା ଓ ହରିହର ପଣ୍ଡା। ଭୀମ ଭୋଇଙ୍କ ଭଜନ ବା ଗୀତଗୁଡ଼ିକ ମହିମା ଧର୍ମ ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ଆସୁଛି। ଅନ୍ୟ ଅର୍ଥରେ କହିଲେ ସେତେବେଳେ ଏସବୁ କେବଳ ମହିମା ଟୁଙ୍ଗି, ମହିମା ସନ୍ନ୍ୟାସୀ, ଭକ୍ତ ଓ ଅନୁଗାମୀଙ୍କ ମେଳ ଭିତରେ ଖଞ୍ଜଣି ଓ ଗିନିର ଶବ୍ଦନାଦ ଭିତରେ ସୀମିତ ଥିଲା। ତହିଁରେ ଆଦ୍ୟ ଓଁକାର ଥିଲା – ବନ୍ଦନା ପାଦପଦ୍ମକୁ/ ଧ୍ୟାୟୀ ଅରୂପାନନ୍ଦଙ୍କୁ/ ଧ୍ୟାୟୀ ସ୍ବାମୀ ପୟରକୁ। ଜଗତ କଲ୍ୟାଣକାରୀ ସତ୍ୟବଦ୍ଧ ଜୀବନର ମାର୍ଗ କଥା ହେଉଛି ଏସବୁର ମୂଳ ଆଧାର – ଏ‌େ‌କଶ୍ୱର ଅରୂପ ନିରାକାରଙ୍କ ନିରାଜନା। ଭଜନ ଜଣାଣ ସହ ଭୀମ ଭୋଇ ମହିମାଧର୍ମର ମହିମାଗାନ ତାଙ୍କର ବିଭିନ୍ନ ଗ୍ରନ୍ଥରେ କରିଛନ୍ତି। ତାଙ୍କ ଜୀବଦ୍ଦଶା ଭିତରେ ଏସବୁ ତାଳପତ୍ରରେ ହିଁ ଲେଖାଯାଇଛି। ସେତେବେଳକୁ ଛପାବହିର ପ୍ରଚଳନ ହେଲାଣି। ତାଙ୍କ ସମସାମୟିକ କବି ଲେଖକ କାଗଜ କଲମ ଓ ଛାପାଯନ୍ତ୍ରର ବ୍ୟବହାର କଲେଣି। ଭୀମ ଭୋଇଙ୍କ ରଚନା କିନ୍ତୁ ତାଳପତ୍ର ପୋଥି ଭିତରେ ସୀମିତ ରହିଥିଲା। ଧର୍ମ ପ୍ରସାର ସକାଶେ ସେସବୁ ରଚନାର ପ୍ରତିଲେଖନ ମୁଖ୍ୟତଃ ତାଳପତ୍ରରେ ନକଲ ହୋଇ ବିଭିନ୍ନ ପ୍ରାନ୍ତରକୁ ଯାଉଥିଲା। କେହି କେହି ହୁଏତ କାଗଜ କାଳି ବ୍ୟବହାର କରି ଏହାର ପ୍ରତିଲିପି ବ୍ୟବହାର କରିଥାଇ ପାରନ୍ତି, କିନ୍ତୁ ତାହାର ସଂଖ୍ୟା ଓ ଦୃଷ୍ଟାନ୍ତ କମ୍ ହୋଇପାରେ।
କବି ଭୀମ ଭୋଇ ତାଙ୍କ ଗୁରୁଙ୍କ ନି​‌େ​‌ର୍ଦଶ ଓ ପରାମର୍ଶ ଅନୁସାରେ ଲେଖୁଥାଇ ପାରନ୍ତି ଏବଂ ସେସବୁ ଧର୍ମର ପ୍ରସାର ସକାଶେ ଉଦ୍ଦିଷ୍ଟ ବୋଲି ବିବେଚନା କରାଯାଇପାରେ। ମାତ୍ର ଗୁରୁ ମହିମା ଗୋସାଇଁଙ୍କ ପାର୍ଥିବ ବିୟୋଗ ପରେ କବିଙ୍କ ରଚନା କିପରି ଥିଲା – ତାହା ପ୍ରଶ୍ନବାଚକ ହୋଇପାରେ। କବିଙ୍କର ପରଲୋକ ଘଟିଛି ୧୮୯୫ ମସିହାରେ, ସେ ଗୋଟିଏ ଲେଖାଏଁ ପୁତ୍ର କନ୍ୟାର ପିତା ହୋଇଛନ୍ତି ୧୮୯୨ ମସିହାରେ – କନ୍ୟା ଲାବଣ୍ୟବତୀ ଓ ପୁତ୍ର କପିଳେଶ୍ୱରଙ୍କ ଜନ୍ମ ସେହି ଗୋଟିଏ ବର୍ଷରେ। ତେଣୁ ଧରି ନେବାକୁ ହେବ ଯେ ‘ସ୍ତୁତି ଚିନ୍ତାମଣି’ ସଙ୍କଳନର ରଚନାକାଳ ୧୮୯୨ରୁ ୧୮୯୫ ମଧ୍ୟରେ ହୋଇଥାଇପାରେ। ଭୀମ ଭୋଇ ପ୍ରଚଣ୍ଡ ପ୍ରତିଭାଧର ଆଶୁକବି। ତେଣୁ ଏଇ ଶହେଟି କବିତା ରଚନା ପାଇଁ ସେ ଏତେ ଦୀର୍ଘକାଳ ନେଇ ନଥାଇପାରନ୍ତି। କବିଙ୍କ ରଚନାବଳୀ ଭିତରେ ଏହାକୁ ସବୁଠୁ ଚର୍ଚ୍ଚିତ ଗ୍ରନ୍ଥ ବୋଲି କାହିଁକି ବିବେଚନା କରାଯାଏ ତାହା ଅନୁଧ୍ୟାନ ସାପେକ୍ଷ। ନାମକରଣ ଦୃଷ୍ଟିରୁ ଏହି ‘ସ୍ତୁତି ଚିନ୍ତାମଣି’ ଶୀର୍ଷକଟି ‘ପରମେଶ୍ବରଙ୍କ ସ୍ତୁତିଗାନ’ ବୋଲି ଆଭିଧାନିକ ଅର୍ଥ ହେଲେ ବି ଏହା ତାଙ୍କର ଅନ୍ୟ ସଂକଳନ ପରି ଅଧ୍ୟାତ୍ମ୍ୟ, ଦର୍ଶନ ଓ ରହସ୍ୟବାଦରେ ମଧ୍ୟ ସମାହିତ। ଅନ୍ୟପକ୍ଷରେ ଏହା ମଧ୍ୟ ଅନ୍ୟ ଗ୍ରନ୍ଥଗୁଡ଼ିକ ପରି ପୋଥି, ଖେଦାରେ ସ୍ଥାନିତ ଓ ମହିମାନୁରାଗୀଙ୍କ ପରିମଣ୍ଡଳ ଭିତରେ ସୀମିତ ରହିଥିଲା।
ସ୍ତୁତି ଚିନ୍ତାମଣି ପୁସ୍ତକାକାରରେ ପ୍ରଥମେ ପ୍ରକାଶିତ ହେଲା ବିଦ୍ୱାନ ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସମ୍ପାଦନାରେ ୧୯୨୫ ମସିହାରେ, କବିଙ୍କ ଅବର୍ତ୍ତମାନର ତିରିଶ ବର୍ଷ ପରେ ଏବଂ ଆଜିଠୁ ଶହେ ବର୍ଷ ତଳେ। ସେ ମୁଖବନ୍ଧରେ ଲେଖିଲେ, ‘ଏହି ଭୀମ। ଏବଂବିଧ ସେ ପ୍ରତିଭାତ। ଉତ୍କଳ। ଏହି କନ୍ଧର ସମ୍ବର୍ଦ୍ଧନା କର, ନିଜର ମହତ୍ତର ସ୍ତରକୁ ଉଚ୍ଚରୁ ଉଚ୍ଚକୁ ଉତ୍ତୋଳନ କର। xxx ଶେଷରେ ପଦେ କଥା, ଭୀମ ମହାତ୍ମା।‘ ଏହି ସଙ୍କଳନରେ କବିଙ୍କ ଉଚ୍ଚତ୍ତର ମାନବିକତା ପ୍ରକଟିତ। ଜଗତର ଦୁଃଖକୁ ସେ ଆପଣାର ଭାବେ ଗ୍ରହଣ କରିନେଇ ତାହାର ଅପସାରଣ ପାଇଁ ମହିମାସ୍ୱାମୀଙ୍କ ନିକଟରେ ଗୁହାରି କରିଛନ୍ତି ଏବଂ ତାହା ଲାଘବ ହେଉ ନଥିବା କାରଣରୁ ଗୁରୁଙ୍କ ଉପରେ ପ୍ରଚଣ୍ଡ ଅଭିମାନ କରିଛନ୍ତି – ଏପରିକି ପାପକ୍ଲିଷ୍ଟ ପୃଥ୍ବୀକୁ ଏକା ଓଲଟାଇ ଦେବାର ଆସ୍ପର୍ଦ୍ଧାପୂର୍ଣ୍ଣ କଥା କହିଛନ୍ତି। ସେ ଏଇଠି ବିଦ୍ରୋହୀ ସ୍ୱର ପ୍ରୟୋଗ କରିବାକୁ ପଛାଇ ନାହାନ୍ତି। ଭୀମଙ୍କ ହୃଦୟରେ ଭଗବତ ପ୍ରେମୋଚ୍ଛ୍ୱାସ ଭରି ରହିଥିଲା। ସେ କିନ୍ତୁ ବ୍ୟାକୁଳ ହୋଇଉଠୁଥିଲେ ତତ୍କାଳୀନ ସମାଜରେ ଅନ୍ୟାୟ, ଅତ୍ୟାଚାର ଓ ଅଧର୍ମ ପ୍ରତ୍ୟକ୍ଷ କରି। ଏସବୁ ସତ୍ତ୍ୱେ ସେ ଜଗତ କଲ୍ୟାଣ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିଛନ୍ତି। ଏହି ସଙ୍କଳନର ସତେଇଶ କ୍ରମାଙ୍କ ବୋଲି ବା କବିତାର ସେହି ଦୁଇଟି ପଂକ୍ତି ତାଙ୍କୁ ଅମର କରିଦେଇଛି ବୋଲି ଏଯାଏ କୁହାଯାଉଛି। ତାହା ବାରମ୍ବାର ଉଚ୍ଚାରିତ ହୋଇଆସୁଛି କୋଟି ତୁଣ୍ଡରେ- ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ/ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।’
ନିରକ୍ଷର କବି ଭୀମ ଭୋଇ ତାଙ୍କ କବିତା ବା ରଚନାକୁ ମହିମା ଧର୍ମର ପ୍ରସାର ପାଇଁ ଉତ୍ସର୍ଗ କରିଛନ୍ତି ଏବଂ ଅନ୍ୟ ଅର୍ଥରେ ମହିମା ଗୋସାଇଁ ଭୀମଙ୍କୁ କବିର ଗୁରୁତ୍ବ ଦେଇଛନ୍ତି ଏବଂ କବି ମହିମା ସାହିତ୍ୟର ଆଦିକବି ଭାବେ ପରିଚିତି ଲାଭ କରିଛନ୍ତି। କବିତା ଆଶ୍ରା ଲୋଡୁଥିଲା, ଧର୍ମର ମାର୍ଗ ତାଙ୍କୁ ଆଶ୍ରା ଓ ଭରସା ଦେଇଛି ନିଃସର୍ତ୍ତରେ। ଏହି ଧର୍ମ ତ ସମାଜ ସଂସ୍କାରର କଥା ଓ ଜଗତ କଲ୍ୟାଣର କଥା କହି ଆସିଛି। ତେଣୁ ବିରୋଧାଭାସ ସ୍ୱାଭାବିକ ହୋଇଯାଇଛି। କବି ଦୃଢ଼ତାର ସହ ଛିଡ଼ା ହୋଇଛନ୍ତି ଏବଂ ନିଷ୍ଠାପୂର୍ଣ୍ଣ ଓ ନିରନ୍ତର ଭାବେ କବିତା ରଚନା ଓ ଅଧ୍ୟାତ୍ମ୍ୟ ସାଧନାରେ ବ୍ରତୀ ରହିଛନ୍ତି, ଗୁରୁଙ୍କ ନି​‌େ​‌ର୍ଦଶିତ ମାର୍ଗରେ। ତେଣୁ ଗଢ଼ି ଉଠିଛି ନାନାଦି କିମ୍ବଦନ୍ତୀ- ତାଙ୍କ ସପକ୍ଷରେ କମ୍ ଓ ବିରୋଧରେ ବେଶି।
କବି ‘ସ୍ତୁତି ଚିନ୍ତାମଣି’ରେ ସେହି କାଳଜୟୀ ପଦ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ …’ ରଚନା ପୂର୍ବରୁ ଏ ଜଗତର କଲ୍ୟାଣ ସକାଶେ ‘ଧର୍ମ ପଛେ ନିନ୍ଦା ହେଉ ଧରଣୀ ମଣ୍ଡଳ ରହୁ, ଶୂନ୍ୟ ଧରଣୀ ଆକାଶ, ଆକାଶ ଭାସି ନ ଯାଉ’ ଆହୁରି ସ୍ପଷ୍ଟ ଭାବେ ଉଚ୍ଚାରଣ କରି ସାରିଛନ୍ତି। ଯେଉଁ ଦ୍ରଷ୍ଟା କବି ନିଜ ଜୀବନ ନର୍କରେ ପଡ଼ିଥାଉ କି ଧର୍ମ ପଛରେ ପଡ଼ିରହୁ କିନ୍ତୁ ଜଗତ ଉଦ୍ଧାର ପାଇଁ ପ୍ରାର୍ଥନା କରିପାରନ୍ତି, ତାହା କେବଳ ଅଧ୍ୟାତ୍ମ୍ୟ ସାହିତ୍ୟ ନୁହେଁ, ପ୍ରଚଳିତ ବ୍ୟବସ୍ଥା ଭିତରେ ଓ ଆମ ଭାରତୀୟ କବିତା କ୍ଷେତ୍ରରେ କେତେ ଯେ ବିରଳ, ତାହା ସ୍ମର୍ତ୍ତବ୍ୟ ବା ଅନୁମେୟ !
ଏହି ଶତବର୍ଷର କବିତା ସଂକଳନ ‘ସ୍ତୁତି ଚିନ୍ତାମଣି’ରେ ରହିଛି ଶହେଟି ବୋଲି ବା କବିତା। ପ୍ରତି କବିତାରେ ଅଛି କୋଡ଼ିଏଟି ପଦ ଏବଂ ପ୍ରତି ପଦରେ ଚାଳିଶଟି ଅକ୍ଷର – ଯତିପାଦ ଅଛି, ରହିଛି ଗାୟନଧର୍ମିତା। ଏଇ ଦୁଇ ହଜାର ପଦରେ ରହିଛି ଅଶୀ ହଜାର ଅକ୍ଷର। ଏଥିରେ କବି ଧର୍ମର ହାତ ଧରି ମଧ୍ୟ ସ୍ବାଧୀନ ଭାବେ ନିଜର କିଛି ସ୍ମୃତିଚାରିତା ଓ ବ୍ୟକ୍ତିଗତ ଜୀବନାନୁଭବ ସହ ଆତ୍ମକଥନ ରଖିପାରିଛନ୍ତି। ଏହା ଯଦି ନଥାଆନ୍ତା ହୁଏତ ଏହି କବିଙ୍କ ବିଷୟରେ ଅନେକ କିଛି କଥା କେବଳ ଜନଶ୍ରୁତି ବା କିମ୍ବଦନ୍ତୀ ଆଶ୍ରୟୀ ହେବାକୁ ବାଧ୍ୟ ହୋଇଥାଆନ୍ତା। ଶେଷରେ ଏତିକି କୁହାଯାଇପାରେ ଯେ ୧୭୫ ବର୍ଷ ତଳେ ଜଣେ ନିରକ୍ଷର ଆଦିବାସୀ ତରୁଣ କବି କିପରି ଭାବେ ମାନକ ଓଡ଼ିଆ କବିତାର ରାଜପଥକୁ ଆସିଯାଇ କାଳଜୟୀ ହୋଇପାରନ୍ତି, ତାହା ଆଜି ବି ଆମକୁ ବିସ୍ମୟାଭୂତ କରିଚାଲିଛି।
ନୀଳାଦ୍ରି ବିହାର, ଭୁବନେଶ୍ୱର -୨୧

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories