ଭାରତ ଅର୍ଥନୀତି କ୍ଷେତ୍ରରେ ସମୃଦ୍ଧି କରୁଛି ବୋଲି ସବୁବେଳେ ପ୍ରଚାର କରାଯାଉଛି। ଏହାସତ୍ତ୍ବେ ରିଜର୍ଭ ବ୍ୟାଙ୍କର ଅକ୍ଟୋବର ରିପୋର୍ଟ ଯାହା କହୁଛି, ତାହା ସାଧାରଣ ଲୋକଙ୍କ ପାଇଁ ଚିନ୍ତାଜନକ। ୨୦୨୦ ପରଠାରୁ ବଡ଼ ବଡ଼ କମ୍ପାନୀଗୁଡ଼ିକର ଲାଭ ତିନିଗୁଣ ବଢ଼ିଛି; କିନ୍ତୁ ସାଧାରଣ ଶ୍ରମିକଙ୍କ ଦରମା ବଢୁନାହିଁ। ଚାକିରି କମିଯାଉଛି ଏବଂ ବଜାର ଖର୍ଚ୍ଚ ବଢ଼ୁଛି। କହିବାକୁ ଗଲେ ଅର୍ଥନୀତିର ଲାଭ କେବଳ ଧନୀ ଲୋକଙ୍କ ପାଖରେ ରହୁଛି, ସାଧାରଣ ଭାରତୀୟଟିକୁ କିଛି ମିଳୁନାହିଁ।
କରୋନା ମହାମାରୀ କାଳରେ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଲେ, ଦୋକାନ ବଜାର ବନ୍ଦ ହୋଇଗଲା; କିନ୍ତୁ ସେହି ସମୟରେ ବଡ଼ ବଡ଼ କମ୍ପାନୀଗୁଡ଼ିକ ପ୍ରଚୁର ଲାଭ କରିନେଲେ। ରିଜର୍ଭ ବ୍ୟାଙ୍କ କହିଛି ଯେ ସେ ସମୟରେ ବିକ୍ରି କମ୍ ହେବା ସତ୍ତ୍ୱେ, କମ୍ପାନୀଗୁଡ଼ିକର ଲାଭ ୧୧୫.୬% ବଢ଼ିଛି; କାରଣ କଞ୍ଚାମାଲ୍ ଶସ୍ତା ଥିଲା, ଶ୍ରମିକଙ୍କୁ କମ୍ ଦରମା ମିଳୁଥିଲା ଏବଂ ପୂର୍ବ ବର୍ଷ ତୁଳନାରେ ଲାଭ ଅଧିକ ଦେଖାଯାଉଥିଲା। ଆଜି ବଡ଼ କମ୍ପାନୀଗୁଡ଼ିକର ଲାଭ ଦେଶର ମୋଟ ଆୟର ୫.୧% ପହଞ୍ଚିଛି, ଯାହା ବିଗତ ୧୪ ବର୍ଷରେ ସବୁଠୁ ଅଧିକ। ବିଚିତ୍ର କଥା ହେଲା ଯେ ଏହା ସତ୍ତ୍ବେ ଦେଶର ଅର୍ଥନୀତିକ ଅଭିବୃଦ୍ଧି ୬.୫%କୁ ଖସିଆସିଛି।
ଏହି ଗଣିତ ନିବେଶକମାନଙ୍କୁ ଖୁସି କରିପାରେ; କିନ୍ତୁ ଏହା ଦେଖାଉଛି ଯେ ଅର୍ଥନୀତିର ସୁଧାର କେବଳ ଧନୀ ଏବଂ ଶକ୍ତିଶାଳୀ ଲୋକଙ୍କୁ ଲାଭ ଦେଇଛି, ବାକି ସମସ୍ତଙ୍କୁ ଉପେକ୍ଷା କରାଯାଇଛି। ଭାରତର ମଧ୍ୟବିତ୍ତ ବର୍ଗର ଚାକିରିଆ ଲୋକମାନେ ଏବେ କମ୍ପାନୀଗୁଡ଼ିକ ଅପେକ୍ଷା ଅଧିକ ଟିକସ ଦେଉଛନ୍ତି। କୁହାଯାଉଥିଲା ଯେ କମ୍ପାନୀଗୁଡ଼ିକର ଟ୍ୟାକ୍ସ କମ୍ କଲେ ସେମାନେ ନୂଆ ଚାକିରି ଦେବେ; କିନ୍ତୁ ତାହା ହୋଇ ନାହିଁ।
ଏହା କି ପ୍ରକାର ବିକାଶ ଯେଉଁଠି ଶୀର୍ଷ ଧନିକ ବର୍ଗର ୧୦% ଲୋକଙ୍କ ପାଖରେ ଦେଶର ଅଧା ସମ୍ପତ୍ତି ଥିବାବେଳେ ଭାରତର ଅଧା ଜନସଂଖ୍ୟା ଯେଉଁମାନେ କି ଗରିବ ସେମାନେ ଦୈନନ୍ଦିନ ଜୀବନରେ ତିଷ୍ଠି ରହିବାକୁ ସଂଗ୍ରାମରତ। ଦେଶ ସମୃଦ୍ଧି କରୁଛି ବୋଲି କୁହାଯାଉଛି, ବଡ଼ ସହରରେ ବଡ଼ ବଡ଼ ବିଲ୍ଡିଂ ଗଢି ଉଠୁଛି; କିନ୍ତୁ ଗାଁ ଓ ଛୋଟ ସହରର ଲୋକମାନେ ଚିନ୍ତାରେ ଅଛନ୍ତି ଯେ ଆସନ୍ତାକାଲି କ’ଣ ହେବ। ଲାଗୁଛି ସତେ ଯେମିତି ଦୁଇଟି ଅଲଗା ଭାରତ ତିଆରି ହୋଇଯାଇଛି – ଗୋଟିଏ ବହୁତ ଧନୀ, ଆଉ ଗୋଟିଏ ବହୁତ ଗରିବ।
ରିଜର୍ଭ ବ୍ୟାଙ୍କର ତଥ୍ୟରୁ ଜଣାପଡ଼ୁଛି ଯେ ବଡ଼ କମ୍ପାନୀମାନେ ଜିନିଷପତ୍ରର ଦାମ୍ ବଢ଼ାଇ ଉପଭୋକ୍ତାମାନଙ୍କ ଉପରେ ବୋଝ ଲଦି ନିଜର ଲାଭକୁ ବଜାୟ ରଖିଛନ୍ତି,। ଚାଉଳ, ଡାଲି, ତେଲ, ବିସ୍କୁଟ, ସାବୁନ୍ ସବୁ କିଛିର ଦାମ୍ ବଢ଼ୁଛି। ଏହାଦ୍ୱାରା ସାଧାରଣ ଲୋକଟିର କ୍ରୟକ୍ଷମତା କମିଯାଉଛି। ଛୋଟ ଏବଂ ମଧ୍ୟମ ଦୋକାନ, କାରଖାନା ଯାହା ଅଧିକାଂଶ ଲୋକଙ୍କୁ ଚାକିରି ଦିଅନ୍ତି, ସେମାନେ ଅଧିକ ସୁଧରେ ଋଣ ଆଣୁଛନ୍ତି ଏବଂ କମ୍ ବିକ୍ରି ଜନିତ ସମସ୍ୟା ସହ ସଂଘର୍ଷ କରୁଛନ୍ତି। କେବଳ କମ୍ପାନୀଗୁଡ଼ିକର ଲାଭ ବଢ଼ାଇବା ପାଇଁ ଅର୍ଥନୀତି ଚାଲିଲେ, ସେଥିରେ ସାଧାରଣ ଲୋକଙ୍କର ସ୍ଥାନ କେଉଁଠି? ସରକାରଙ୍କୁ ଭାରସାମ୍ୟ ଫେରାଇ ଆଣିବାକୁ ପଡ଼ିବ। ଛୋଟ ବ୍ୟବସାୟକୁ ସାହାଯ୍ୟ, ଉଚିତ ଟ୍ୟାକ୍ସ ବ୍ୟବସ୍ଥା ଏବଂ ଚାକିରି ସୃଷ୍ଟିରେ ନିବେଶ କରିବାକୁ ହେବ। ଭାରତର ବିକାଶ କର୍ପୋରେଟ୍ଗୁଡିକର ରେକର୍ଡ ଲାଭରେ ନୁହେଁ, ସାଧାରଣ ଲୋକଙ୍କ ଜୀବନଧାରଣର ଉନ୍ନତିରେ ହୋଇପାରିବ।



