www.samajalive.in
Saturday, December 6, 2025
15.1 C
Bhubaneswar

ନୂଆପଡ଼ା ଲଢ଼େଇ: ତିନି ଦଳ ପାଇଁ ବିଶେଷ ଗୁରୁତ୍ବପୂର୍ଣ୍ଣ

ଉପନିର୍ବାଚନକୁ ସାଧାରଣତଃ ଏକ ସ୍ଥାନୀୟ ବିଷୟ ଭାବେ ଦେଖାଯାଏ; ହେଲେ ନଭେମ୍ବର ୧୧ରେ ନୂଆପଡ଼ା ବିଧାନସଭା ଆସନ ନିମନ୍ତେ ହେବାକୁ ଥିବା ଉପନିର୍ବାଚନ ଓଡ଼ିଶାର ବଦଳୁଥିବା ରାଜନୈତିକ ସମୀକରଣର ଏକ ଛୋଟ ଚିତ୍ର, ଯେଉଁଠାରେ ବିଜେପି ଶାସନର ପ୍ରଥମ ପରୀକ୍ଷା, ବିଜୁ ଜନତା ଦଳର ପ୍ରାସଙ୍ଗିକତା ବଞ୍ଚାଇବାର ସଂଘର୍ଷ ଏବଂ କଂଗ୍ରେସର ପୁନର୍ଜୀବନର ଆଶା ଏକାଠି ମିଶିଛି।

୨୦୨୪ ପରେ ଏହା ବିଜେପି ପାଇଁ ପ୍ରଥମ ନିର୍ବାଚନ ପରୀକ୍ଷା। ବିଜେପି ରାଜ୍ୟରେ ୨୪ ବର୍ଷର ସୁଦୀର୍ଘ ବିଜେଡ଼ି ଶାସନକୁ ଅନ୍ତ କରି କ୍ଷମତାକୁ ଆସିଛି। ସେ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ବହୁତ କିଛି ବାଜି ଲାଗିଛି। ପରିବର୍ତ୍ତନର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ନୂଆ ନେତୃତ୍ୱ ପାଇଁ ନୂଆପଡ଼ାରେ ଜିତିବା ସେମାନଙ୍କର ଶାସନ ମଡେଲକୁ ଯଥାର୍ଥ ବୋଲି ପ୍ରମାଣିତ କରିବ। ଅନ୍ୟପକ୍ଷରେ ନବୀନ ପଟ୍ଟନାୟକ ଓ ବିଜେଡି ପାଇଁ ଏହି ଉପନିର୍ବାଚନ କେବଳ ଶକ୍ତି ପ୍ରଦର୍ଶନ ନୁହେଁ, ବରଂ ଦଳର ସ୍ଥିତି ବଞ୍ଚାଇବାର ପରୀକ୍ଷା। ଦୁଇ ଦଶନ୍ଧି ଧରି ନିର୍ବିବାଦରେ ପ୍ରାଧାନ୍ୟ ବିସ୍ତାର କରି ଶାସନ କରିବା ପରେ, ୨୦୨୪ ନିର୍ବାଚନରେ ପରାଜୟ ଲାଗି ଦଳର ମନୋବଳ ଭାଙ୍ଗିଯାଇଛି। ସେ ଦୃଷ୍ଟିରୁ ବିଜେଡି ଲାଗି ଏହି ଉପନିର୍ବଚନ ଜିତିବା ଅତ୍ୟନ୍ତ ପ୍ରାସଙ୍ଗିକ ଓ ଆବଶ୍ୟକ। ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ବ୍ୟକ୍ତିଗତ ପ୍ରଭାବରେ ନୂଆପଡ଼ା ବିଜେଡିର ଗଢ଼ ଥିଲା; କିନ୍ତୁ ତାଙ୍କ ପୁଅ ଜୟ ଢୋଲକିଆଙ୍କ ବିଜେପିରେ ଯୋଗଦାନ ବିଜେଡିର ଆଭ୍ୟନ୍ତରୀଣ ଆତ୍ମବିଶ୍ୱାସକୁ ଧକ୍କା ଦେଇଛି। ପ୍ରାର୍ଥୀ ଭାବରେ ସ୍ନେହାଙ୍ଗିନୀ ଛୁରିଆ ନିଶ୍ଚିତ ଅଭିଜ୍ଞ; କିନ୍ତୁ ନିର୍ବାଚନମଣ୍ଡଳୀ ବାହାର ଲୋକଙ୍କୁ ପ୍ରାର୍ଥୀ କରିବା ବିଜେଡି ଦଳର ଦୁର୍ବଳତାକୁ ପ୍ରକାଶ କରୁଛି। ତେଣୁ ଏହି ନିର୍ବାଚନରେ ଯଦି ବିଜେଡି ପରାସ୍ତ ହୁଏ ତେବେ ଏହା ଦଳୀୟ ସଙ୍କଟକୁ ଆହୁରି ଗଭୀର କରିପାରେ।

- Advertisement -

ଏହି ଉପନିର୍ବାଚନର ସବୁଠାରୁ ରୋମାଞ୍ଚକର କାହାଣୀ ହେଉଛି କଂଗ୍ରେସ। ଓଡ଼ିଶାରେ ଏକ ଦୁର୍ବଳ ରାଜନୈତିକ ଶକ୍ତି ଭାବେ ପରିଗଣିତ ହେଉଥିବା ଦଳଟି ନୂଆ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ପୁନର୍ଜୀବିତ ହେବାର ସଂକେତ ଦେଉଛି। ଘାସିରାମ ମାଝୀଙ୍କ ପରି ଅଭିଜ୍ଞ ସ୍ଥାନୀୟ ନେତା ଓ ଆଦିବାସୀ ସମୁଦାୟର ପ୍ରାର୍ଥୀଙ୍କୁ ଦେଇ କଂଗ୍ରେସ ସାଙ୍ଗଠନିକ ପୁନର୍ଜୀବନ ସହିତ ସ୍ଥାନୀୟ ବିଶ୍ୱସନୀୟତାକୁ ମିଶାଇଛି। ପୂର୍ବ ନିର୍ବାଚନରେ ଦଳୀୟ କଳହ ଯେଉଁଠାରେ ସମ୍ଭାବନା ନଷ୍ଟ କରୁଥିଲା, ଏଥର ରାଜ୍ୟ କଂଗ୍ରେସ ନୂଆପଡ଼ାରେ ବିରଳ ଏକତା ପ୍ରଦର୍ଶିତ କରୁଛି। ସବୁଠାରୁ ବଡ଼ କଥା ହେଉଛି ଘାସିରାମ ପୂର୍ବଥର ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢିଥିଲେ ଓ ତାଙ୍କର ନିଜସ୍ବ ସ୍ଥିର ଭୋଟ୍ ରହିଛି। ଏଥର ତାଙ୍କର ଭୋଟ୍ ଓ କଂ​‌େ​‌ଗ୍ରସର ଭୋଟ୍ ଏକତ୍ର ହୋଇ ତାଙ୍କୁ ବଳ ଯୋଗାଇବ।

ତେଣୁ ଘାସିରାମଙ୍କ ଗଣିତ ଉତ୍ସାହଜନକ। ବୃହତ୍‌ ଆଦିବାସୀ ଭୋଟରଙ୍କ ମଧ୍ୟରେ ଏକମାତ୍ର ଆଦିବାସୀ ପ୍ରାର୍ଥୀ ହେବା ଏବଂ ସର୍ବପ୍ରଥମ ପ୍ରାର୍ଥୀ ଘୋଷଣା କରିବା – ସବୁ କଂଗ୍ରେସ ସପକ୍ଷରେ। ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ କଂଗ୍ରେସ ପ୍ରକୃତ ପ୍ରତିଦ୍ୱନ୍ଦ୍ବୀ ପରି ଦେଖାଯାଉଛି। ଯଦି କଂଗ୍ରେସ ଏହି ଆସନ ଜିତେ, ତେବେ ଏହା ୨୦୦୦ ପରଠାରୁ ଓଡ଼ିଶାରେ ଦଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ ହେବ। ବିଜେପିର ବିଜୟ ସେମାନଙ୍କ ଶାସନକୁ ମଜଭୁତ୍‌ କରିବ ଏବଂ ବିଜେଡିର ଜିତ୍‌ ଦଳର ସ୍ଥିରତାକୁ ଦର୍ଶାଇବ; କିନ୍ତୁ କଂଗ୍ରେସର ବିଜୟ ଓଡ଼ିଶା ରାଜନୀତିର ଧାରା ବଦଳାଇବ। ଏହି ସମସ୍ତ ବିଷୟକୁ ବିଚାରକୁ ନେଲେ ନୂଆପଡ଼ା ଉପନିର୍ବଚନ ଯେ ଓଡ଼ିଶାର ରାଜନୈତିକ ଭବିଷ୍ୟତ ସ୍ଥିର କରିବାରେ ଅନେକାଂଶରେ ସାମର୍ଥ୍ୟ ରଖିଛି ଏ କଥା ଅବଶ୍ୟ ସ୍ବୀକାର କରାଯାଇପାରେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories