ନୂଆଦିଲ୍ଲୀ: ଦେଶରେ ଡିଜିଟାଲ ଗିରଫ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ସୁପ୍ରିମକୋର୍ଟ ଏହା ଉପରେ ନିଜ ଆଡୁ ହସ୍ତକ୍ଷେପ କରି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ବିଚାରପତି ସୂର୍ଯ୍ୟ କାନ୍ତ ଓ ବିଚାରପତି ଜୟମାଲ୍ୟ ବାଗଚିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ଶୁକ୍ରବାର ଏହି ପ୍ରସଙ୍ଗରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ପୀଠ କହିଛନ୍ତି ଯେ, ଡିଜିଟାଲ ଗିରଫ ସମୟରେ ଅପରାଧୀମାନେ ଜାଲ୍ କୋର୍ଟ ନିର୍ଦେଶନାମା ଓ ବିଚାରପତିଙ୍କ ଜାଲ୍ ଦସ୍ତଖତ କରି ସାଧାରଣ ନାଗରିକଙ୍କୁ ଭୟଭୀତ କରାଉଛନ୍ତି।
ଅପରାଧୀମାନେ ନିଜକୁ ନିଜକୁ ସିବିଆଇ ଓ ଇଡି ଭଳି ତଦନ୍ତକାରୀ ଏଜେନ୍ସିର ଅଧିକାରୀ ବୋଲି ଦର୍ଶାଇବା ପୂର୍ବକ ଜାଲ୍ କୋର୍ଟ ନିର୍ଦେଶନାମାକୁ ଉପଯୋଗ କରୁଛନ୍ତି। ଏହାଦ୍ବାରା ସାଧାରଣ ନାଗରିକ ଭୟରେ ତାଙ୍କ ନିର୍ଦେଶ ପାଳନ ପୂର୍ବକ ନିଜର ସଞ୍ଚିତ ଅର୍ଥ ହରାଉଛନ୍ତି। କୋର୍ଟ ନିର୍ଦେଶର ଅପବ୍ୟବହାର ଦ୍ବାରା ଦେଶର ନାଗରିକଙ୍କର ନ୍ୟାୟପାଳିକା ଉପରୁ ବିଶ୍ବାସ ହରାଇବା ଭଳି ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। ତେଣୁ ଡିଜିଟାଲ ଗିରଫକୁ କୌଣସି ସାଧାରଣ ଅପରାଧ ବା ସାଇବର ଅପରାଧ ବୋଲି ବିବେଚନା କରାଯିବା ଉଚିତ୍ ନୁହେଁ। ଏପରି ଅପରାଧକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ଓ ରାଜ୍ୟ ପୁଲିସ ମଧ୍ୟରେ ଉତ୍ତମ ସମନ୍ବୟ ରହିବା ଦରକାର। ଏହାଦ୍ବାରା ଅପରାଧୀଙ୍କୁ ସହଜରେ ଧରାଯାଇପାରିବ। ଏନସିଆରପିର ତଥ୍ୟ ଅନୁଯାୟୀ ୨୦୨୪ ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ଦେଶରେ ୨୭୪୬ଟି ଡିଜିଟାଲ ଗିରଫ ଭଳି ଘଟଣା ଘଟିଥିଲା। ୨୦୨୫ ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ଏହି ସଂଖ୍ୟା ୪୪୩୯ ରହିଥିଲା। ଡିଜିଟାଲ ଗିରଫ ଭଳି ଘଟଣାରେ ବ୍ୟବହାର ହୋଇଥିବା ୫୯,୦୦୦ ହ୍ବାଟ୍ସଆପ୍ ନମ୍ବର ଓ ୧୭୦୦ ସ୍କାଇପେ ଆଇଡିକୁ ମଧ୍ୟ ସରକାର ବ୍ଲକ କରିଛନ୍ତି। ଡିଜିଟାଲ ଗିରଫ ଭଳି ଘଟଣାରେ ସାଇବର ଅପରାଧୀମାନେ ଭାରତୀୟ ନାଗରିକଙ୍କ ଠାରୁ ପ୍ରାୟ ୨୫୦୦ କୋଟି ଟଙ୍କା ଠକି ନେଇଛନ୍ତି।



