www.samajalive.in
Saturday, December 6, 2025
17.1 C
Bhubaneswar

ଶ୍ରୀକ୍ଷେତ୍ର ଓ ହବିଷିଆଳି: କାର୍ତ୍ତିକ ବ୍ରତଧାରୀଙ୍କ ସୁଗମ ପ୍ରଭୁ ଦର୍ଶନକୁ ସୁନିଶ୍ଚିତ କରାଯାଉ

ପୁରୀରେ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହେବା ସହିତ ଶ୍ରୀକ୍ଷେତ୍ରରେ ହବିଷିଆଳିମାନଙ୍କର ଆଗମନ ହୋଇଛି। ପ୍ରତିବର୍ଷ ଏହି ସମୟରେ ହଜାର ହଜାର ସଂଖ୍ୟାରେ ମହିଳା ଶ୍ରଦ୍ଧାଳୁ, ବିଶେଷ କରି ବୟସ୍କା ମା’ମାନେ, କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ପୁରୀରେ ଏକତ୍ର ହୁଅନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରହି ମାସବ୍ୟାପୀ ପୂଜା, ଅର୍ଚ୍ଚନା ଓ ନିଷ୍ଠାପର ବ୍ରତ ପାଳନ କରିବା ସେମାନଙ୍କର ଲକ୍ଷ୍ୟ। ତେବେ ଏହି ହବିଷିଆଳିମାନଙ୍କ ମଧ୍ୟରୁ ଅଧିକାଂଶ ବୟସ୍କା ହୋଇଥିବାରୁ ସେମାନଙ୍କର ସୁରକ୍ଷା, ଯତ୍ନ ଏବଂ ମହାପ୍ରଭୁଙ୍କ ସୁଗମ ଦର୍ଶନ ନିଶ୍ଚିତ କରିବା ପ୍ରଶାସନର ମୁଖ୍ୟ ଦାୟିତ୍ୱ।

ହବିଷିଆଳିମାନଙ୍କ ପାଇଁ ରାଜ୍ୟ ସରକାର ଓ ପୁରୀ ଜିଲା ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି, ଯାହା ପ୍ରଶଂସନୀୟ। ଚଳିତ ବର୍ଷ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ରେଳୱେ ଟୁରିଷ୍ଟ କମ୍ପ୍ଲେକ୍ସ ଓ ମୋଚି ସାହି କଲ୍ୟାଣ ମଣ୍ଡପ ଆଦି ୪ଟି କେନ୍ଦ୍ରରେ ପ୍ରାୟ ୨୫୦୦ ହବିଷିଆଳିଙ୍କ ପାଇଁ ରହଣି ବ୍ୟବସ୍ଥା ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ହବିଷିଆଳିଙ୍କ ନିମନ୍ତେ ଶ୍ରୀଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ, ସ୍ୱାସ୍ଥ୍ୟ ପରୀକ୍ଷା, ପାନୀୟ ଜଳ ଓ ସ୍ୱେଚ୍ଛାସେବୀଙ୍କ ସହଯୋଗ ପାଇଁ ବ୍ୟବସ୍ଥା ସହ ସନ୍ଧ୍ୟାରେ ପାଲା, ଦାସକାଠିଆ ଆଦି ପରିବେଷଣ ନେଇ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଏହି ବ୍ରତ ପ୍ରାୟ ୧ ମାସ ଧରି ଚାଲିବାକୁ ଥିବାବେଳେ ନଭେମ୍ବର ୫ରେ ଏହା ଶେଷ ହେବ।

- Advertisement -

ଚଳିତ ବର୍ଷ କାର୍ତ୍ତିକ ହବିଷ୍ୟାଳୀ ବ୍ରତ ଯୋଜନା ପାଇଁ ପ୍ରାୟ ୩ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ସଂସ୍କୃତି ମନ୍ତ୍ରୀ କହିଛନ୍ତି, ଯାହା ବିଗତ ବର୍ଷ ତୁଳନାରେ ପ୍ରାୟ ୭୦ ଲକ୍ଷ ଟଙ୍କା ଅଧିକ। ତେବେ ହବିଷିଆଳିଙ୍କ ସଂଖ୍ୟା ୩ ହଜାରରୁ ୨୫୦୦କୁ କମିଥିବା ବେଳେ ବଜେଟ୍ ବୃଦ୍ଧି ପାଇବା ନେଇ କିଛି ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି। ଅଧିକାଂଶ ହବିଷିଆଳି ବୟସ୍କ ହୋଇଥିବାରୁ, ସେମାନଙ୍କର ସାଧାରଣତଃ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଥାଇପାରେ। ତେଣୁ ସେମାନଙ୍କ ପାଇଁ ୨୪ ଘଣ୍ଟିଆ ଡାକ୍ତରୀ ସେବା ସହିତ ଜରୁରୀକାଳୀନ ପରିସ୍ଥିତି ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଆବଶ୍ୟକ। କୌଣସି ଅଘଟଣ ଯେମିତି ନ ଘଟେ ସେଥିପାଇଁ ସରକାର ସତର୍କ ରହିବା ସହ ଫାର୍ମାସିଷ୍ଟ ଏବଂ ନର୍ସମାନେ ଶିବିରଗୁଡ଼ିକରେ ଉପସ୍ଥିତ ରହି ତୁରନ୍ତ ସେବା ଯୋଗାଇବା ଦରକାର। ସୁରକ୍ଷା ଦୃଷ୍ଟିରୁ ଶିବିର ଏବଂ ଶ୍ରୀମନ୍ଦିର ଚାରିପାଖରେ ପର୍ଯ୍ୟାପ୍ତ ସଂଖ୍ୟକ ପୁଲିସ୍ କର୍ମଚାରୀ ନିୟୋଜିତ ହେବା ଉଚିତ। ଚୋରି, ରାହାଜାନି ଏବଂ ଅନ୍ୟାନ୍ୟ ଅପରାଧ ରୋକିବା ପାଇଁ ସିସିଟିଭି କ୍ୟାମେରା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଆବଶ୍ୟକ।

ମହାପ୍ରଭୁଙ୍କ ଦର୍ଶନ ହବିଷିଆଳିମାନଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେମାନେ ବୟସ୍କ ହୋଇଥିବାରୁ ଦୀର୍ଘ ସମୟ ଧରି ଧାଡ଼ିରେ ଠିଆ ହେବା କଷ୍ଟକର ହୋଇଥାଏ। ତେଣୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବା ଉଚିତ। ଯେଉଁ ହବିଷିଆଳିମାନେ ଚାଲିବାରେ ଅକ୍ଷମ, ସେମାନଙ୍କ ପାଇଁ ହ୍ୱିଲ୍‌ଚେୟାର ଏବଂ ସ୍ୱେଚ୍ଛାସେବୀଙ୍କ ସହାୟତା ଉପଲବ୍ଧ କରାଇବା ଦ୍ୱାରା ସେମାନେ ସହଜରେ ଦର୍ଶନ କରିପାରିବେ। ଏହା ସହିତ, ଶ୍ରୀମନ୍ଦିର ପରିସରରେ ପାନୀୟ ଜଳ ଏବଂ ବିଶ୍ରାମ ନେବା ପାଇଁ ସ୍ଥାନର ବ୍ୟବସ୍ଥା ରହିବା ଦରକାର। ହବିଷିଆଳିମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବା ଆବଶ୍ୟକ। ପ୍ରଶାସନ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ହବିଷିଆଳିମାନଙ୍କୁ ଏକ ସୁରକ୍ଷିତ, ସୁଗମ ଆଧ୍ୟାତ୍ମିକ ଅନୁଭୂତି ପ୍ରଦାନ କରିବା ସମସ୍ତଙ୍କର ନୈତିକ ଦାୟିତ୍ୱ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories