www.samajalive.in
Friday, December 5, 2025
17.1 C
Bhubaneswar

ଚିନ୍ତାକଳ୍ପ: ପ୍ରଭୁ କୃପା

ଗ୍ରୀଷ୍ମକାଳ, ରେଳଗାଡ଼ିର ତୃତୀୟ ଶ୍ରେଣୀ ବଗିରେ ଯାତ୍ରା କରୁଥାନ୍ତି ଗୈରିକବସନ ପରିହିତ ଜଣେ ଯୁବ ସନ୍ନ୍ୟାସୀ। ପ୍ରବଳ କ୍ଷୁଧା ଅନୁଭବ କରୁଥାନ୍ତି। ଛୋଟକାଟର ଷ୍ଟେସନରେ ଗାଡ଼ି ରହିଲା। କ୍ଷୁଧା ନିବାରଣର ସମ୍ଭାବନା ନଥିବାରୁ ତୃଷା ନିବାରଣ ଉଦ୍ଦେଶ୍ୟରେ ଷ୍ଟେସନର ଗୋଟିଏ ଦୋକାନକୁ ଯାଇ ପାଣି ମାଗିଥିଲେ। ଦୋକାନୀ କିନ୍ତୁ କିଛି ନଖାଇଲେ ପାଣି ଦେଇହେବ ନାହିଁ କହି ରୋକ୍‌ଠୋକ୍‌ ମନା କରିଦେଇଥିଲେ। ଅଗତ୍ୟା ସନ୍ନ୍ୟାସୀ ପୁଣି ନିଜ ଆସନରେ ଆସି ବସିଲେ। ବଗିରେ ଯାତ୍ରୀମାନେ ନାନା ପ୍ରକାର ଖାଦ୍ୟ ଖାଇ ଆନନ୍ଦରେ ଯାତ୍ରା କରୁଥାନ୍ତି। ଗନ୍ତବ୍ୟ ସ୍ଥଳରେ ଓହ୍ଲାଇବା ପରେ କ୍ଷୁଧାର ଜ୍ବାଳା ଖୁବ୍‌ ବଢ଼ିଯାଇଥିଲା। ଜଠର ଜ୍ବାଳାରେ ଅଧିକ ବାଟ ଯିବା ସମ୍ଭବ ନଥିବାରୁ ସନ୍ନ୍ୟାସୀ କିଛି ବାଟ ଯାଇ ଏକ ବୃକ୍ଷମୂଳରେ ବିଶ୍ରାମ ନେଲେ। କ୍ଷୁଧାତୁର ଅଥଚ ନିରୁପାୟ ସନ୍ନ୍ୟାସୀ କେବଳ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଚିନ୍ତା କରୁଥାନ୍ତି। ଏହି ସମୟରେ ସନ୍ନ୍ୟାସୀ ଦେଖିେଲ ଜଣେ ବ୍ୟକ୍ତି ଗୋଟିଏ ପୁଟୁଳା ଧରି ତାଙ୍କ ନିକଟକୁ ଆସୁଛି। ଲୋକଟି ସନ୍ନ୍ୟାସୀଙ୍କ ନିକଟକୁ ଆସି ପୁଟୁଳାଖୋଲି ସେଥିରୁ ଖାଦ୍ୟ ସାମଗ୍ରୀ ଓ ପାଣି ବୋତଲ ବାହାର କରି ସନ୍ନ୍ୟାସୀଙ୍କୁ ଦେଇ କହିଲା- ଏହି ଖାଦ୍ୟ ପାନୀୟ ଗ୍ରହଣ କରନ୍ତୁ। ସନ୍ନ୍ୟାସୀ କ’ଣ ଭାବି ଏଥିପ୍ରତି ଧ୍ୟାନ ଦେଇ ନଥିଲେ। ପୁଣି ଥରେ ଲୋକଟି କହିବାରୁ ସନ୍ନ୍ୟାସୀ କହିଥିଲେ- ଭାଇ! ମୁଁ ତୁମକୁ ଚିହ୍ନେ ନାହିଁ କି ଜାଣେ ନାହିଁ, କେଉଁ କାରଣରୁ ଖାଦ୍ୟ ଯାଚୁଛନ୍ତି ଯେ? ‘ନା ମହାଶୟ, ମୁଁ ପ୍ରତ୍ୟୁପକାର ଆଶାରେ ଖାଦ୍ୟ ଯାଚୁନାହିଁ କିମ୍ବା ମୋର କୌଣସି ଉଦ୍ଦେଶ୍ୟ ନାହିଁ। ମୁଁ ସ୍ବପ୍ନରେ ଆପଣଙ୍କୁ ହିଁ ଦେଖିଲି। ଦ୍ବି-ପ୍ରହର ଖାଦ୍ୟ ଖାଇ ମୁଁ ଶୋଇଥିଲି। ଖୋଦ ପ୍ରଭୁ ଶ୍ରୀରାମ କହିଲେ ଷ୍ଟେସନ ନିକଟସ୍ଥ ଏକ ବୃକ୍ଷ ଛାୟାରେ ଜଣେ ଭୋକିଲା ସନ୍ନ୍ୟାସୀ ବସିଛନ୍ତି ତୁରନ୍ତ ଯାଇ ତାଙ୍କୁ ଖାଦ୍ୟ ଦିଅନ୍ତୁ। ପ୍ରଭୁଙ୍କ ଆଦେଶକୁ ଭଲା ମୁଁ କିପରି ଆମାନ୍ୟ କରିଥାନ୍ତି? ମୁଁ ତୁରନ୍ତ ଉଠି ଖାଦ୍ୟ ପ୍ରସ୍ତୁତ କରି ଆଣିଛି। ଏଠାକୁ ଆସୁ ଆସୁ ଅାପଣଙ୍କ ଦର୍ଶନ ପାଇଗଲି। ଆପଣ ଖାଇ ଦିଅ, ଅନ୍ୟଥା ଭଗବାନ ମୋ ଉପରେ ରୁଷ୍ଟ ହେବେ। ସନ୍ନ୍ୟାସୀ କଥା ଭାଙ୍ଗି ନ ପାରି ଖାଇଥିଲେ। ଖାଇସାରି ଧନ୍ୟବାଦ ଦିଅନ୍ତେ ଆଗନ୍ତୁକ କହିଥିଲେ- ‘ମୋତେ ଧନ୍ୟବାଦ ନ ଜଣାଇ ସେହି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଧନ୍ୟବାଦ ଦିଅନ୍ତୁ। ମୁଁ ପ୍ରଭୁଙ୍କ ଆଦେଶ ନିର୍ବାହ କରିଛି ମାତ୍ର; ଏହା ଶୁଣି ସନ୍ନ୍ୟାସୀଙ୍କ ଚକ୍ଷୁ ଯୁଗଳରୁ ଆନନ୍ଦାଶ୍ରୁ ଧାରଧାର ହୋଇ ବହିବାରେ ଲାଗିଲା। ମନେମନେ ଭାବୁଥାନ୍ତି ସେଇ ଗୋଟିଏ କଥା ସତରେ ପ୍ରଭୁ ତାଙ୍କର ଆଶ୍ରିତଙ୍କ ପ୍ରତି ସର୍ବଦା ଧ୍ୟାନ ରଖିଥାନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories