ନାଦିର ଶାହା ଦିଲ୍ଲୀ ଆକ୍ରମଣ କରିଥିଲେ ଏହାକୁ ନିଜ ଶାସନାଧୀନ କରିବା ପାଇଁ। ଦିଲ୍ଲୀର ତତ୍କାଳୀନ ଶାସକ ମହମ୍ମଦ ଶାହା ବୀରତ୍ବର ସହ ଏହାର ଜବାବ ଦେଇଥିଲେ। ମହମ୍ମଦ ଶାହାଙ୍କ ସୈନ୍ୟମାନଙ୍କ ସାହସିକତା ନିକଟରେ ନତି ସ୍ବୀକାର କରି ନାଦିରଙ୍କ ସୈନ୍ୟମାନେ ପଛଘୁଞ୍ଚା ଦେଇଥିେଲ। ନାଦିରଙ୍କ ଦିଲ୍ଲୀ ଉପରେ ଆକ୍ରମଣ ଯୋଜନା ଏତେ ଗୋପନୀୟ ଥିଲା ଯେ ତାଙ୍କର ପ୍ରଧାନ ସଭାସଦ୍ଙ୍କ କାନକୁ ମଧ୍ୟ ଏ କଥା ଯାଇନଥିଲା। ନାଦିର କଳ୍ପନା କରି ନଥିଲେ ଯେ ଯୁଦ୍ଧରେ ତାଙ୍କର ଏପରି ବିପର୍ଯ୍ୟୟ ହେବ ବୋଲି। ତାଙ୍କର ଧାରଣା ହେଲା- ସତେ ଯେପରି ମହମ୍ମଦ ଶାହା ସ୍ବୟଂ ତାଙ୍କ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇ ରହିଥିଲେ ବହୁ ପୂର୍ବରୁ। ନିଜର ସୈନ୍ୟବଳ ଉପରେ ଦୃଢ଼ ବିଶ୍ବାସ ଥିବାରୁ ସେ ନିଶ୍ଚିତ ଥିଲେ ଯେ ମହମ୍ମଦ ଶାହା ଯୁଦ୍ଧରେ ପରାସ୍ତ ହୋଇ ତାଙ୍କର ବଶ୍ୟତା ସ୍ବୀକାର କରିବେ।
ବିପରୀତ ଫଳ ନାଦିରଙ୍କୁ ଚିନ୍ତାରେ ପକାଇ ଦେଇଥିଲା। ଏହାର କାରଣ କ’ଣ ହୋଇପାରେ ଏହା ଭାବି ଗଭୀର ଚିନ୍ତାରେ ବୁଡ଼ି ରହିଥିଲାବେଳେ ତାଙ୍କୁ ଏକ ପତ୍ର ମିଳିଥିଲା ଯେଉଁଥିରେ ଲେଖାଥିଲା ଆକ୍ରମଣ ସମ୍ପର୍କରେ ସୂଚନା ମୋତେ ଛ’ମାସ ପୂର୍ବରୁ ମିଳିଥିଲା। ଜଣେ ମହାନ୍ ସନ୍ଥ ଏହା ମୋତେ ଅବଗତ କରାଇଥିଲେ। ଏହାର ସତ୍ୟତା ସ୍ବରୂପ ମହମ୍ମଦ ଶାହା ନିଜ ପତ୍ର ସହିତ ସେହି ମହାନ୍ ସନ୍ଥଙ୍କ ସୂଚନା ସଂକ୍ରାନ୍ତ ପତ୍ର ସଂଲଗ୍ନ କରି ଦେଇଥିଲେ। ସବୁଠାରୁ ଚକିତକର ଘଟଣା ଥିଲା, ପତ୍ରରେ ନାଦିରଙ୍କ ଆକ୍ରମଣ ସମ୍ପର୍କରେ ଯେଉଁ ତିଥି ବାର ଉଲ୍ଲେଖ କରାଯାଇଥିଲା ସେ ସମୟକୁ ନାଦିରଙ୍କ ମନରେ ଦିଲ୍ଲୀ ଆକ୍ରମଣର ଚିନ୍ତା, ଭାବନାରେ ମଧ୍ୟ ଉଦ୍ରେକ ହୋଇ ନଥିଲା। ହେଲେ ସତ୍ୟ ଏହା ଥିଲା ଯେ ଉପରୋକ୍ତ ତଥ୍ୟ ମହମ୍ମଦ ଶାହାଙ୍କ ନିକଟରେ ପହଞ୍ଚି ଯାଇଥିଲା। ଏହି ପତ୍ର ଲେଖିଥିଲେ ଚରଣ ଦାସ ନାମକ ଜଣେ ମହାନ ସନ୍ଥ। ରାଜସ୍ଥାନର ଅଲୱାର ଜିଲାର ଛୋଟ ଗ୍ରାମ ଡେହରାସ୍ଥ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ। ସାଧାରଣ ଶିକ୍ଷାର ବିପରୀତ ତାଙ୍କର ଅଭିରୁଚି ଥିଲା ଅଧ୍ୟାତ୍ମ ପୁସ୍ତକ ଅଧ୍ୟୟନ ଓ ସ୍ବାଧ୍ୟାୟ। ଗାୟତ୍ରୀ ଉପାସନାର ମହତ୍ତ୍ବ ସମ୍ପର୍କରେ ଯେତେଯେତେ ଅଧିକ ପଢ଼ୁଥାନ୍ତି ଭଗବତୀ ଗାୟତ୍ରୀଙ୍କ ଚରଣରେ ତାଙ୍କର ଅନୁରକ୍ତି ସେତିକି ଅଧିକ ବଢ଼ୁଥାଏ। ସିଦ୍ଧିର ଲକ୍ଷ୍ୟ କୌଣସି ଚମତ୍କାରିତା ଦେଖାଇବା ନୁହେଁ, ଆତ୍ମାର ଉତ୍କର୍ଷ ଓ ଲୋକମଙ୍ଗଳ ନିମନ୍ତେ ଏହା ଅଭିପ୍ରେତ ହେବା ଉଚିତ। ଚରଣ ଦାସ ସ୍ବୀୟ ଜୀବନ କାଳରେ ଏହାକୁ ପାଳନ କରିଥିଲେ ଓ ଯଥେଷ୍ଟ ଗୁରୁତ୍ବ ଦେଇଥିଲେ। ଗାୟତ୍ରୀ ଉପାସନାରେ ସିଦ୍ଧି ଲାଭ କରିଥିଲେ ମଧ୍ୟ ଲୋକକଲ୍ୟାଣକୁ ଅଗ୍ରାଧିକାର ଦେବା କାରଣରୁ ତା’ର ଜାଲରେ (ପାର୍ଥିବ ଇଚ୍ଛା ପରିପୂରଣ) ଫସି ନଥିଲେ।



