ସମାଜ ଡିଜିଟାଲ ଡେସ୍କ: ସରିଲା ପୂଜା, ଆଜି ମେଲାଣି ନେବେ ମା’ ଦୁର୍ଗା । ଦେବୀଗଡା ନିକଟରେ ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି । ସକାଳ ୮ଟାରେ ନିଜ ନିଜ ଭସାଣି ଶୋଭାଯାତ୍ରା ବାହାର କରିବାକୁ ପୂଜା କମିଟିଗୁଡିକୁ କୁହାଯାଇଛି । କଟକରେ ଆଜି ପାଖ ପାଖି ୧୭୦ରୁ ଅଧିକ ମୂର୍ତ୍ତି ଦେବୀଗଡା ଠାରେ ବିସର୍ଜନ କରାଯିବ । ଏନେଇ ଦେବୀଗଡ଼ାରେ ପ୍ରଶାସନ ତରଫରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ଦେବୀଗଡ଼ାରେ ମେଢ଼ ଗୁଡିକ କିପରି ଠିକ ଭାବରେ କାଠ ଯୋଡି ନଦୀ ନିକଟ ଅସ୍ଥାୟୀ ପୋଖରୀକୁ ଯିବେ, ସେ ନେଇ ବ୍ୟବସ୍ଥା କରାଯାଇଛି ।
କଟକ ଓ ଭୁବନେଶ୍ୱରରେ ଦୁର୍ଗାପୂଜା ଭସାଣ ଉପରେ ନଜର ରଖିବ ଡ୍ରୋନ । ଚଳିତ ବର୍ଷ ପ୍ରଥମ ଥର କମିଶନରେଟ ପୁଲିସ ଭସାଣି ରୁଟରେ ୫ଶହରୁ ଅଧିକ ସିସିଟିଭ କ୍ୟାମେରା ବ୍ୟବସ୍ଥା କରାଯାଇଛି । ଏକାଧିକ କଣ୍ଟ୍ରୋଲରୁମ ଜରିଆରେ ସିସିଟିଭି ଗୁଡିକରୁ ମିଳୁଥିବା ଭିଜୁଆଲ ଉପରେ ନଜର ରଖିବ ପୁଲିସ । ସେହିପରି ପ୍ରଥମ ଥର ପାଇଁ ସିଟିସି-୬୦ ନାମରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଶଦ୍ଦ ପ୍ରଦୂଷଣ ବା ୬୦ଡେଶିବଲରୁ ଅଧିକ ଶଦ୍ଦ କରୁଥିବା ଶୋଭାଯାତ୍ରା ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ଏହି ଟିମ୍ ।



