ନୂଆଦିଲ୍ଲୀ : ୬ ବର୍ଷରେ ପ୍ରଥମଥର ଭାରତ ବିଶ୍ବ ଦୌଡ଼କୁଦ ଚମ୍ପିଆନ୍ସିପରୁ ଖାଲି ହାତରେ ଫେରିଛି। ଟୋକିଓରେ ଆୟୋଜିତ ଏହି ଚମ୍ପିଆନ୍ସିପ୍ରେ ସର୍ବେଶ କୁଶାରେ ହାଇଜମ୍ପ୍ ଫାଇନାଲରେ ପହଞ୍ଚିବା ଏବଂ ସଚିନ ଯାଦବ ଜାଭେଲିନ୍ ଫାଇନାଲରେ ୪ର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହେବା ଭାରତୀୟ ପ୍ରଦର୍ଶନର ମୁଖ୍ୟାଂଶ ଥିଲା। କୁଶାରେ ଫାଇନାଲରେ ଫାଇନାଲରେ ୨.୨୮ ମିଟର ଉଚ୍ଚକୁ ଡେଇଁ ଜୀବନର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ସଚିନ ଯାଦବ ଫାଇନାଲରେ ୮୬.୨୭ ମିଟର ଦୂରତା ହାସଲକରି ୪ର୍ଥ ହୋଇଥିଲେ। ୫୦୦୦ ମିଟର ଦୌଡ଼ ହିଟ୍ରେ ଗୁଲ୍ବୀର ସିଂହ ୯ମ ସ୍ଥାନରେ ରହିଥିଲେ। ଜାଭେଲିନ୍ ତାରକା ନୀରଜ ଚୋପ୍ରା ୨୬ଟି ବିଶ୍ବସ୍ତରୀୟ ପ୍ରତିଯୋଗିତା ପରେ କୌଣସି ପଦକ ଜିତି ପାରିନାହାନ୍ତି। ନୀରଜ ୧୨ ଫାଇନାଲିଷ୍ଟଙ୍କ ମଧ୍ୟରେ ୮ମ ସ୍ଥାନରେ ରହିଥିଲେ। ପୁରୁଷ ୨୦୦ ମିଟର ଦୌଡ଼ରେ ଜାତୀୟ ଚମ୍ପିଆନ୍ ଅନିମେଷ କୁଜୁର ତାଙ୍କ ଶ୍ରେଷ୍ଠ ଫର୍ମ ଦେଖାଇ ପାରିନଥିଲେ। ସେ ୨୦.୭୭ ସେକେଣ୍ଡ ସମୟ ନେଇ ହିଟ୍ସରୁ ବିଦାୟ ନେଇଥିଲେ। ଅନିମେଷଙ୍କ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୨୦.୨୭ ସେକେଣ୍ଡ। ୨୦୧୯ ଦୋହା ବିଶ୍ବ ଚମ୍ପିଆନ୍ସିପରେ ଭାରତର କୌଣସି ଆଥ୍ଲେଟ୍ ପଦକ ଜିତି ପାରିନଥିଲେ। ଏହାର ୬ ବର୍ଷ ପରେ ଭାରତକୁ ସମାନ ଦଶା ଭୋଗିବାକୁ ପଡ଼ିଛି। ୨୦୨୨ ବିଶ୍ବ ଚମ୍ପିଆନ୍ସିପରେ ଭାରତ ଗୋଟିଏ ରୌପ୍ୟପଦକ ଜିତିଥିଲା। ନୀରଜ ଚୋପ୍ରା ଜାଭେଲିନ୍ରେ ଏହି ରୌପ୍ୟ ଜିତିଥିଲେ। ୨୦୨୩ ବିଶ୍ବ ଚମ୍ପିଆନ୍ସିପରେ ନୀରଜ ସ୍ବର୍ଣ୍ଣପଦକ ଜିତିଥିଲେ। ୨୦୨୨ ଓ ୨୦୨୩ ବିଶ୍ବ ଚମ୍ପିଆନ୍ସିପରେ ୬ ଭାରତୀୟ ଫାଇନାଲରେ ପ୍ରବେଶ କରିଥିଲେ।
Popular Categories



