-ଶାନ୍ତି ରକ୍ଷା ମୂଳଉଦ୍ଦେଶ୍ୟ ଦର୍ଶାଇଲା ପାକିସ୍ତାନ,-ଭାରତର କଡ଼ା ଆଭିମୁଖ୍ୟ, ବିଶ୍ବସମୁଦାୟର ଚାପ
-ଉତ୍ତେଜନା ହ୍ରାସ ପାଇଁ ସହଯୋଗ ଲୋଡ଼ିଲେ ଇମ୍ରାନ
ନୂଆଦିଲ୍ଲୀ : ଭାରତର କଡ଼ା ଆଭିମୁଖ୍ୟ, ବିଶ୍ବସମୁଦାୟର ଚାପ ଓ ଜେନେଭା ସନ୍ଧିରେ ଉଲ୍ଲିଖିତ ସର୍ତ୍ତାବଳୀ ପାକିସ୍ତାନକୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛି। ଦୀର୍ଘ ସମୟର ବିଚାରବିମର୍ଷ ପରେ ଗିରଫ ଭାରତୀୟ ପାଇଲଟଙ୍କୁ ଭାରତକୁ ଫେରାଇବାକୁ ପାକିସ୍ତାନ ଗୁରୁବାର ରାଜି ହୋଇଛି। ଶୁକ୍ରବାର ତାଙ୍କୁ ଭାରତକୁ ହସ୍ତାନ୍ତର କରାଯିବ ବୋଲି ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ତାଙ୍କ ସଂସଦରେ ଘୋଷଣା କରିଛନ୍ତି। ଏହି ପଦକ୍ଷେପ ଦ୍ବାରା କୁଟନୈତିକ ସ୍ତରେର ଭାରତର ବୃହତ ବିଜୟ ହୋଇଛି।
ପାକ ସଂସଦର ମିଳିତ ଅଧିବେଶନରେ ଉଦ୍ବୋଧନ ଦେଇ ଇମ୍ରାନ କହିଛନ୍ତି, ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ହ୍ରାସ ପୂର୍ବକ ଶାନ୍ତି ରକ୍ଷା ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ। କିନ୍ତୁ ଏହାକୁ ପାକିସ୍ତାନର ଦୁର୍ବଳତା ବୋଲି ମନେ ନ କରିବାକୁ ସେ କହିଛନ୍ତି। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ଦିଗରେ ସହଯୋଗ କରିବା ଲାଗି ସେ ବିଶ୍ବସମୁଦାୟକୁ ନିବେଦନ କରିଛନ୍ତି। ଏ ସମ୍ବନ୍ଧରେ ସେ ତୁର୍କୀ ରାଷ୍ଟ୍ରପତିଙ୍କ ସହ ମଧ୍ୟ କଥା ହେବେ ବୋଲି ଇମ୍ରାନ କହିଛନ୍ତି। ତାଙ୍କର ଏହି ନିଷ୍ପତ୍ତିକୁ ପାକ ସାଂସଦମାନେ ସମର୍ଥନ କରିଛନ୍ତି। ବୁଧବାର ଭାରତୀୟ ସୀମା ଉଲ୍ଲଙ୍ଘନ କରିଥିବା ପାକିସ୍ତାନୀ ବିମାନକୁ ଘଉଡାଇବା ବେଳେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ ହୋଇ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଖସିପଡିଥିଲା। ଅଭିନନ୍ଦନ ସୁରକ୍ଷିତ ଭାବେ ବିମାନରୁ ବାହାରି ଯାଇଥିଲେ ମଧ୍ୟ ତାଙ୍କ ପାରାଚୁଟ ପିଓକେରେ ଅବତରଣ କରିଥିଲା। ସେଠାରେ ପାକସ୍ତାନୀ ସେନା ତାଙ୍କୁ ଗିରଫ କରିନେଇଥିଲେ। ଏହି ଘଟଣାକୁ ନେଇ ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲା। ଜେନେଭା ସନ୍ଧି ଅନୁସାରେ ଅଭିନନ୍ଦନଙ୍କୁ ଉଚିତ ବ୍ୟବହାର କରିବା ସହ ତାଙ୍କୁ ତୁରନ୍ତ ଫେରାଇବାକୁ ଭାରତ ଦୃଢ ଦାବି କରିଥିଲା। ଏ ନେଇ ଭାରତ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ସମନ ଜାରି କରି ପ୍ରତିବାଦ ଜଣାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ପାକ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଚିଠି ମଧ୍ୟ ପ୍ରଦାନ କରାଯାଇଥିଲା। ଭାରତୀୟ ପାଇଲଟଙ୍କୁ ବନ୍ଦୀ କାରଣରୁ ଉଭୟ ଦେଶ ମଧ୍ୟରେ ପରିସ୍ଥିତି ଆହୁରି ସାଙ୍ଘାତିକ ହୋଇପଡିଥିଲା। ଏଣୁ ତୁରନ୍ତ ଗିରଫ ପାଇଲଟଙ୍କୁ ଭାରତକୁ ଫେରାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ପାକିସ୍ତାନ ଉପରେ ଚାପ ପଡିଥିଲା। ବିଶେଷ କରି ନିଜକୁ ଏକଦା ପାକିସ୍ତାନର ସର୍ବକାଳୀନ ବନ୍ଧୁ ଦର୍ଶାଇଥିବା ଚୀନ ମଧ୍ୟ ଏ ନେଇ ଚାପ ପକାଇଥିଲା। ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଉଭୟ ଭାରତ ଓ ପାକିସ୍ତାନ ପ୍ରତିପକ୍ଷଙ୍କୁ ଫୋନ କରି କାଶ୍ମୀରସ୍ଥିତି ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେଲେ ପରିସ୍ଥିତି ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହେବ ବୋଲି ସେ କୁରେଶୀଙ୍କୁ ଚେତାଇଥିଲେ। ପରମାଣୁ ଶକ୍ତି ସମ୍ପନ୍ନ ଦୁଇ ପଡୋଶୀ ରାଷ୍ଟ୍ର ଧୈର୍ଯ୍ୟ ପ୍ରଦର୍ଶନ ପୂର୍ବକ ସ୍ଥିତି ସମ୍ଭାଳିବା ନେଇ ନିଜର ପ୍ରତିବଦ୍ଧତା ରକ୍ଷା କରିବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହ ପରିସ୍ଥିତି ସମ୍ବନ୍ଧରେ ପ୍ରତିମୁହୂର୍ତ୍ତରେ ସୂଚନା ପ୍ରଦାନ କରିବାକୁ ସେ କୁରେଶୀଙ୍କୁ କହିଥିଲେ। ଅନ୍ୟପଟେ ଅଭିନନ୍ଦନଙ୍କୁ ଫେରସ୍ତ କରିବା ତଥା ଯୁଦ୍ଧ ପରିସ୍ଥିତି ଏଡାଇ ଶାନ୍ତି ରକ୍ଷା କରିବା ଲାଗି ପାକିସ୍ତାନରୁ ମଧ୍ୟ ସ୍ବର ଉଠିଥିଲା।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଭୁଟ୍ଟୋଙ୍କ ନାତୁଣୀ ଏବଂ ବେନଜିର ଭୁଟ୍ଟୋଙ୍କ ଝିଆରି ତଥା ବିଶିଷ୍ଟ ଲେଖିକା ଫାତିମା ଭୁଟ୍ଟୋ ମଧ୍ୟ ଅଭିନନ୍ଦନଙ୍କୁ ଫେରାଇବା ଲାଗି ପାକିସ୍ତାନ ସରକାରଙ୍କୁ ନିବେଦନ କରିଥିଲେ। ପାକିସ୍ତାନର ନୋବେଲ ବିଜୟିନୀ ଜାତିସଂଘ ଶାନ୍ତି ଦୂତ ମାଲାଲା ୟୁସୁଫଜାଇ ମଧ୍ୟ ଶାନ୍ତି ନିବେଦନ କରିଥିଲେ। ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ନେଇ କିଛି ଖୁସିଖବର ଆସିପାରେ ବୋଲି ଟ୍ରମ୍ପ ଗୁରୁବାର ସୂଚନା ଦେବା ପରେ ଅଭିନନ୍ଦନ ଫେରିବା ନେଇ ଭାରତୀୟଙ୍କ ଆଶା ଆହୁରି ଦୃଢ ହୋଇଥିଲା। ସବୁଆଡୁ ଚାପ ପଡିବା ପରେ ଶାନ୍ତି ଆଲୋଚନା ଆରମ୍ଭ କରିବାକୁ ଭାରତ ନିକଟରେ ଏକପ୍ରକାର ନେହୁରା ହୋଇଥିବା ପାକିସ୍ତାନ ଶେଷରେ ଅଭିନନ୍ଦନଙ୍କୁ ମୁକ୍ତ କରିବାକୁ ବାଧ୍ୟ ହୋଇଛି।



