ଛେଣ୍ଡିପଦା: ଅନୁଗୋଳ ଜିଲା ବାଗଡ଼ିଆ ପାକ୍ସ ପକ୍ଷରୁ ବାଗଡ଼ିଆ ସେବା ସମବାୟ ସମିତିରେ ଚାଷୀଙ୍କୁ ସାର ବିକ୍ରି କରିବା ପାଇଁ ବ୍ୟବସ୍ଥା କରାଯାଇଛି। ସାର ନେବାକୁ ସୋମବାର ସକାଳୁ ଶହଶହ ଚାଷୀ ସେବା ସମବାୟ ସମିତିରେ ଗହଳି ଲଗାଇଥିଲେ। ଚାଷୀମାନେ ଧାଡିରେ ଆଧାରକାର୍ଡ ରଖି ଅପେକ୍ଷା କରି ରହିଥିଲେ। ୧୫ଶହରୁ ଊର୍ଦ୍ଧ୍ବ ଚାଷୀ ସାର ପାଇଁ ଅପେକ୍ଷା କରି ରହିଥିବାବେଳେ ସେବା ସମବାୟ ସମିତିକୁ ମାତ୍ର ୭ଶହ ବସ୍ତା ସାର ଆସିଥିଲା। ପର୍ଯ୍ୟାପ୍ତ ସାର ଆସିନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ସାର କ୍ରୟ କରିବାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଚାଷୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ସମସ୍ୟାର ସମାଧାନ ନ ହେବାରୁ ସାର ବିକ୍ରୟ ବନ୍ଦ ରହିଥିଲା।
ପ୍ରକାଶ େଯ, ରାଜ୍ୟରେ ଧାନ ଚାଷ ପାଇଁ ୟୁରିଆ ସାରର ଆବଶ୍ୟକତା ରହିଛି। ସାର ଅଭାବ ଥିବା ବେଳେ ସରକାର ସବୁ ପାକ୍ସ ମାନଙ୍କରେ ସାର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପାକ୍ସରେ ଚାଷୀଙ୍କ ଭିଡ ଦେଖିବାକୁ ମିଳୁଛି। ସୋମବାର ସକାଳେ ବାଗଡ଼ିଆ ସେବା ସମବାୟ ସମିତିରେ ଧାଡିରେ ଚାଷୀଙ୍କ ବଦଳରେ ଆଧାରକାର୍ଡ ରଖି ପ୍ରାୟ ୧୦ ଘଣ୍ଟା ଅପେକ୍ଷା କରିଥିଲେ। ପ୍ରବଳ ବର୍ଷାରେ ଭିଜି ରହି ସାର ନେବାକୁ ଅପେକ୍ଷା କରି ରହିଥିଲେ। ସାର ନେବାକୁ ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ଉପସ୍ଥିତିରେ ସାର ବିକ୍ରି ହୋଇଥିଲା। ସାର ବିକ୍ରିରେ ଅନିୟମିତତା ହୋଇଥିବା ବହୁ ଚାଷୀ ଅଭିଯୋଗ କରି ସେଠାରେ ପାଟିତୁଣ୍ଡ କରିବାର ତୀବ୍ର ଉତ୍ତେଜନା ଦେଖା ଦେଇଥିଲା। ଏନେଇ ବାଗଡ଼ିଆ ଥାନା ଅଧିକାରୀ ଚାଷୀଙ୍କୁ ବୁଝାଇଥିଲେ ମଧ୍ୟ ଚଷୀ ମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ସମବାୟ ସମିତିରେ ତାଲା ପକାଇ ଦେଇଥିଲେ। ସମସ୍ୟାର ସମାଧାନ ନ ହେବାରୁ ସାର ବିକ୍ରିକୁ ବନ୍ଦ କରି ଦିଆଯାଇଥିଲା।



