ଲୋଭ ଏକ ମାନବୀୟ ପ୍ରବୃତ୍ତି। ଏହା ଊଣା ଅଧିକେ ସବୁ ମନୁଷ୍ୟଙ୍କ କ୍ଷେତ୍ରରେ ଦେଖା ଦେଇଥାଏ। ଧନ ସମ୍ପତ୍ତି, ମାନ ସମ୍ମାନ, କ୍ଷମତା ଓ ପ୍ରତିପତ୍ତି ଆଦି ପାଇଁ ମନରେ ଲୋଭ ହେବା ସ୍ବାଭାବିକ। ତା’ ବ୍ୟତୀତ ନିଜ ଶରୀର ପ୍ରତି ଲୋଭ ସହ ଆତ୍ମୀୟ ସ୍ୱଜନଙ୍କ ପାଇଁ ଲୋଭର ବଶବର୍ତ୍ତୀ ହୋଇଥାଏ ମନୁଷ୍ୟ। ସକାରାତ୍ମକ ଦୃଷ୍ଟିରୁ ବିଚାର କଲେ ଲୋଭ ମନୁଷ୍ୟକୁ ବିଭିନ୍ନ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥାଏ। ଭଲ ମନ୍ଦ ବିଚାର କରି ଅଗ୍ରସର ହେବାକୁ ବାଟ ଦେଖାଏ। କେତେକ କ୍ଷେତ୍ରରେ ଦେଶ ଦଶ ପାଇଁ ଆତ୍ମୋତ୍ସର୍ଗ ନିମିତ୍ତ ମଧ୍ୟ ପ୍ରବର୍ତ୍ତାଇଥାଏ। ନକାରାତ୍ମକ ଦୃଷ୍ଟିରୁ ବିଚାର କଲେ ଆବଶ୍ୟକ ଠାରୁ ଅଧିକ ଆଶା ହିଁ ଲୋଭ। ଧନ ସମ୍ପତ୍ତି ପ୍ରତି ଅଧିକ ଆସକ୍ତ ହେବା ଲୋଭ। ସର୍ବୋପରି କୃପଣତା ପ୍ରକାଶ କରିବା ମଧ୍ୟ ଲୋଭ ।
ଲୋଭ ସହିତ ଲାଭ ଓତଃପ୍ରୋତ ଜଡ଼ିତ। ଲାଭ ଗୋଟିଏ ଅର୍ଥନୈତିକ ଶବ୍ଦ। ସାଧାରଣତଃ ଉତ୍ପାଦନ ନିମିତ୍ତ ୪ଟି ଉପାଦାନ ଆବଶ୍ୟକ। ସେଗୁଡିକ ହେଲା ଭୂମି, ଶ୍ରମ, ପୁଞ୍ଜି ଏବଂ ଉଦ୍ୟୋଗ। ଏହି ଚାରି ଗୋଟି ଉପାଦାନଙ୍କର ପ୍ରାପ୍ୟ ଯଥାକ୍ରମେ ଭଡ଼ା, ମଜୁରି, ସୁଧ ଏବଂ ଲାଭ। ସେ କୃଷି ହେଉ କି ଶିଳ୍ପ ଅଥବା ବ୍ୟବସାୟ ବାଣିଜ୍ୟ ସମସ୍ତ ଅର୍ଥନୈତିକ କାର୍ଯ୍ୟ ନିମିତ୍ତ ପ୍ରେରଣାର ଉତ୍ସ ଲାଭ। ବିନା ଲାଭରେ କୌଣସି କାର୍ଯ୍ୟ କରାଯାଏ ନାହିଁ। ଲାଭ ଆଶାରେ ଜଣେ କୃଷକ କୃଷି କର୍ମ କରିଥାଏ, ଜଣେ ବ୍ୟବସାୟୀ ପୁଞ୍ଜି ନିବେଶ କରେ ଏବଂ ଜଣେ ଉଦ୍ୟୋଗପତି କାରଖାନା ବସାଇଥାଏ। ତେଣୁ ସାଧାରଣ ଜୀବନରେ ଲୋଭ ଏବଂ ଲାଭ ଦୁଇଟିଯାକ ଦେଖିବାକୁ ମିଳିଥାଏ। ଲୋଭ ଏବଂ ଲାଭ ଦୁଇଟିଯାକ ପରିପୂରକ। ଏ ଦୁଇଟିଯାକ ଉପାଦାନ ଯେ କୌଣସି ମନୁଷ୍ୟ ସହିତ ସନ୍ତୁଳିତ ମାତ୍ରାରେ ରହିବା ଆବଶ୍ୟକ। ନିରାସକ୍ତ ବ୍ୟକ୍ତିମାନଙ୍କ ପାଖରେ ଲୋଭର ମାତ୍ରା ଅପେକ୍ଷାକୃତ କମ୍ ଦେଖିବାକୁ ମିଳେ। ଜଣେ ସନ୍ନ୍ୟାସୀ ସାଂସାରିକ ମୋହ ପ୍ରତି ଉଦାସୀନ। ଜଣେ ଆଳସ୍ୟ ପରାୟଣ ବ୍ୟକ୍ତିର ପାର୍ଥିବ ସମ୍ପତ୍ତି ଆହରଣ ଲାଗି ଆଗ୍ରହ ଉଗ୍ର ନୁହଁ। ଅନ୍ୟ ପକ୍ଷରେ କୃପଣ ବ୍ୟକ୍ତି ଠାରେ ଅତ୍ୟଧିକ ଲୋଭ ଦେଖାଦେଇଥାଏ। ତେଣୁ ସେପରି ବ୍ୟକ୍ତି ଚାହାନ୍ତି ସ୍ବଳ୍ପ ସମୟ ମଧ୍ୟରେ ଅଧିକରୁ ଅଧିକ ଧନ ସମ୍ପତ୍ତି ହାସଲ କରିବାକୁ, କଳେ ବଳେ କ୍ଷମତା ପ୍ରତିପତ୍ତି ଆହରଣ କରିବାକୁ। ଯଦିଓ ଏହା ଧ୍ରୁବ ସତ୍ୟ ଯେ କେହି ଦୁନିଆରେ ଆସିବା ବେଳେ ସାଥିରେ କିଛି ନେଇ କରି ଆସି ନଥାନ୍ତି ଏବଂ ଦୁନିଆରୁ ଯିବାବେଳେ ସମସ୍ତେ ଶୂନ୍ୟ ହସ୍ତ ହୋଇ ଯାଇଥାନ୍ତି, ତଥାପି ଯେତେ ଦିନ ବଞ୍ଚି ରହନ୍ତି ମନୁଷ୍ୟମାନେ ପାପ ପୁଣ୍ୟ, ନୀତି ଅନୀତି ନିର୍ବିଚାରରେ ଧନ ଉପାର୍ଜନ ନିମିତ୍ତ ବ୍ୟସ୍ତ ରହନ୍ତି। ସର୍ପ ମୁହଁରେ ମଣ୍ଡୁକ ସଦୃଶ କାଳ କବଳରେ ଥାଇ ବି ଶିକାର ନିମନ୍ତେ ଜିହ୍ବା ପ୍ରସାରଣ କରିବା ମାନସିକତା ରଖି ଥାଆନ୍ତି ।
ଲୋଭର ମାତ୍ରା ଅଧିକ ହେଲେ କେବେ କେବେ ମୂଳ ବୁଡ଼ି ଯିବା ଭଳି ସ୍ଥିତି ଉପୁଜିଥାଏ। ଲୋଭର ପ୍ରଲୋଭନ ଏପରି ଅଧିକ ଥାଏ ଯେ ଲୋକମାନେ ଠିକିଲା ପରେ ବି ଶିଖିବାକୁ ପ୍ରସ୍ତୁତ ନଥାନ୍ତି। ତା’ର ଜ୍ବଳନ୍ତ ଉଦାହରଣ ଆମ ସାମ୍ନାରେ ରହିଛି। ସମସ୍ତଙ୍କୁ ଜଣା ଲାଞ୍ଚ ନେବା, ସରକାରୀ ଅର୍ଥ ତୋଷରପାତ କରିବା ଅନୈତିକତା ଏବଂ ଦଣ୍ଡନୀୟ ଅପରାଧ। ତଥାପି ନିତି ଦିନ ସେପରି ଅପରାଧରେ ଲିପ୍ତ ଥିବା କେତେ ଅଧିକାରୀ, କର୍ମଚାରୀ ଧରା ପଡୁଛନ୍ତି। ଅନ୍ୟ ଗୋଟିଏ ଉଦାହରଣ ହେଲା ସ୍ବଳ୍ପ ସମୟ ମଧ୍ୟରେ ଅଧିକ ଲାଭର ଲୋଭ। ଅର୍ଥ ବିନିଯୋଗ ହେଉ କିମ୍ବା ବ୍ୟବସାୟ ସବୁଥିରେ ଲାଭ ସଂଶ୍ଳିଷ୍ଟ ଥାଏ। ଲାଭ ଆଶାରେ ହିଁ ଉଦ୍ୟୋଗୀ ପୁଞ୍ଜି ନିବେଶ କରିଥାଏ; କିନ୍ତୁ ଅତ୍ୟଧିକ ଲାଭର ପ୍ରଲୋଭନ ମନୁଷ୍ୟକୁ ବିପଦରେ ପକାଏ। ଏଥର ଲାଭ କଥା ବିଚାର କରାଯାଉ। ସେ କୃଷି ହେଉ ବା ଉଦ୍ୟୋଗ କିମ୍ବା ବାଣିଜ୍ୟ ବ୍ୟବସାୟ ସବୁକିଛି ଲାଭ ଆଶାରେ କରା ଯାଇଥାଏ। ଯେଉଁଠାରେ ଲାଭ ନଥାଏ ସେଠାରେ ଘରୋଇ ପୁଞ୍ଜି ବିନିଯୋଗ ହୋଇ ନଥାଏ। କିନ୍ତୁ ବେଶି ଲାଭ ଆଶା କରିବା ଉଭୟ ବ୍ୟକ୍ତି ଏବଂ ସମାଜ ପ୍ରତି କ୍ଷତିକାରକ। ଅଧିକ କୃଷି ଉତ୍ପାଦନ ନିମନ୍ତେ ଅତ୍ୟଧିକ ସାର ଏବଂ କୀଟନାଶକ ପ୍ରୟୋଗ କରିବା, ଦୁଧ, ମାଛ ଚାଷରେ ଶରୀର ପାଇଁ କ୍ଷତି କାରକ ରାସାୟନିକ ପଦାର୍ଥ ବ୍ୟବହାର କରିବା, ଖାଦ୍ୟ ଦ୍ରବ୍ୟର ଅପମିଶ୍ରଣ କରିବା, ନିଷେଧ ନିଶା ଦ୍ରବ୍ୟ ବିକ୍ରୟ କରିବା ଆଦି ବୃହତ୍ତର ସ୍ବାସ୍ଥ୍ୟ ଦୃଷ୍ଟିରୁ ହାନିକର। ତା’ ଦ୍ବାରା ସମାଜରେ ଜନ ସାଧାରଣଙ୍କର ଯେଉଁ ଅପୂରଣୀୟ କ୍ଷତି ହୁଏ ତା’ ତୁଳନାରେ ଉପାର୍ଜିତ ଅର୍ଥର ମୂଲ୍ୟ ନଗଣ୍ୟ।
ତେଣୁ ସେ ଲୋଭ ହେଉ କି ଲାଭ ହେଉ ଅତ୍ୟଧିକ ମାତ୍ରାରେ ଆଶା କରି ଅସାଧୁ ଉପାୟରେ ଅର୍ଥ ଉପାର୍ଜନ କରିବା ନିଜ ତଥା ସମାଜ ପାଇଁ ବିପଦକୁ ଆହ୍ବାନ କରିବା। ନୀତି ନିୟମ ସୀମାରେ ରହି ସତ୍ ମାର୍ଗରେ ଅର୍ଥ ଉପାର୍ଜନ କଲେ ନିଜ ତଥା ସମାଜର ହିତ ସାଧିତ ହୋଇ ଥାଏ। ମାନସିକ ଶାନ୍ତି ମିଳିବା ସହ ଶରୀର ବି ସୁସ୍ଥ ରହେ ।



