ସମାଜ ଡିଜିଟାଲ ଡେସ୍କ: ୟେମେନର ରାଜଧାନୀ ସନାରେ ଇସ୍ରାଏଲ ପକ୍ଷରୁ ଏୟାରଷ୍ଟ୍ରାଇକ କରାଯାଇଛି। ଏଥିରେ ସନାରେ ହୁତି ନିୟନ୍ତ୍ରିତ ସରକାରର ପ୍ରଧାନମନ୍ତ୍ରୀ ଅହମ୍ମଦ ଅଲ-ରହାଓ୍ବି ନିହତ ହୋଇଛନ୍ତି। ବିଦ୍ରୋହୀ ସଂଗଠନ ହୁତି ପକ୍ଷରୁ ଏକ ବିବୃତିରେ ଏ ନେଇ ସ୍ପଷ୍ଟ କରାଯାଇଛି। ଆକ୍ରମଣରେ ହୁତିର ୧୦ କମାଣ୍ଡର ନିହତ ହୋଇଥିବାବେଳେ ୯୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି।
ହୁତି ପକ୍ଷରୁ କୁହାଯାଇଛି ଯେ, ଗତ ଗୁରୁବାର ଇସ୍ରାଏଲ କରିଥିବା ଆକ୍ରମଣରେ ଅନେକ ମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ଅଲ-ରହାଓ୍ବିଙ୍କ ମୃତ୍ୟୁ ଘଟିଛି। ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ଗତ ୧ ବର୍ଷରେ ସରକାରଙ୍କ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ଲାଗି ବୈଠକ କରୁଥିବା ସମୟରେ ଏହି ଆକ୍ରମଣ ହୋଇଥିଲା।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆକ୍ରମଣ ସମୟରେ ହୁତି ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ଅଲ-ଅତି ଏବଂ ସେନା ମୁଖ୍ୟ ମହମ୍ମଦ ଅବ୍ଦ ଅଲ-କରୀମ ମଧ୍ୟ ରହାଓ୍ବିଙ୍କ ସହିତ ବୈଠକରେ ଉପସ୍ଥିତ ଥିଲେ। ଆକ୍ରମଣରେ ଏହି ଦୁଇ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ହୁତି ପକ୍ଷରୁ କିନ୍ତୁ ଏହି ଦୁଇ ଜଣଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରାଯାଇନାହିଁ।
ସୂଚନାଯୋଗ୍ୟ, ଇରାନ ସମର୍ଥିତ ହୁତି ବିଦ୍ରୋହୀ ଗତ ୨୮ ତାରିଖ ଦିନ ୟେମେନରୁ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଥିଲା। ଏହାର ଜବାବରେ ସେହିଦିନ ଇସ୍ରାଏଲ ପକ୍ଷରୁ ଏୟାରଷ୍ଟ୍ରାଇକ କରାଯାଇଥିଲା।



