ଭୁବନେଶ୍ଵର: ଯେ କୌଣସି ରାଷ୍ଟ୍ରରେ ଲିଙ୍ଗଗତ ଅସମାନତା ସମାଜ ପାଇଁ ଏକ ସତର୍କ ଘଣ୍ଟି। ଏହା ସାମାଜିକ ବିଶୃଙ୍ଖଳା ସୃଷ୍ଟି କରିବା ସହିତ ମହିଳା ବିରୋଧୀ ହିଂସାକୁ ପ୍ରକାରାନ୍ତରେ ବଢାଇଥାଏ। ଓଡ଼ିଶାରେ ଲିଙ୍ଗଗତ ଅନୁପାତ ବିଗତ ଦୁଇ ଦଶନ୍ଧି ତଳେ ବେଶ୍ ଉଦ୍ବେଗଜନକ ରହିଥିଲା। ପୁଅଙ୍କ ତୁଳନାରେ ରାଜ୍ୟରେ ଝିଅଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଇ ଚାଲିଥିଲା। କନ୍ୟା ସନ୍ତାନକୁ ଅନାଦର ଓ ହତାଦର କରାଯାଉଥିବାର ଚିତ୍ର ସାମ୍ନାକୁ ଆସୁଥିଲା। କେବଳ ଓଡ଼ିଶା ନୁହେଁ; ଭାରତର ଅଧିକାଂଶ ପ୍ରଦେଶରେ ଏଭଳି ଲିଙ୍ଗଗତ ଅସମାନତା କାରଣରୁ ଏଭଳି ସାମାଜିକ ବିକୃତିକୁ ଦୂର କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର କନ୍ୟା ଜନ୍ମ ପ୍ରୋତ୍ସାହନ ଲାଗି ଏକାଧିକ ଯୋଜନା ଚଳାଇଛନ୍ତି। ସାଧାରଣତଃ ଝିଅମାନଙ୍କୁ ଶିକ୍ଷା, ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ କରିବା ଲାଗି ଭାରତର ପ୍ରଦେଶରେ ଭିନ୍ନ ଭିନ୍ନ ଯୋଜନା ନାଁରେ ଯୋଜନା କ୍ବିୟାନ୍ବିତ ହେଉଛି। ‘ଦୁହିତା ଦୁଇ କୁଳକୁ ହିତା’ ଆପ୍ତବାକ୍ୟକୁ ଧ୍ୟେୟ କରି ସାମାଜିକ ସ୍ତରରେ ବ୍ୟାପକ ସଚେତନତା ଏବେ ବଢିଛି। ଲିଙ୍ଗ ଚିହ୍ନଟ କରି କନ୍ୟାଭ୍ରୂଣ ହତ୍ୟାରେ ସଂପୃକ୍ତ ପରିବାର, ପିତାମାତା ଓ ବିଶେଷକରି ଲିଙ୍ଗ ଚିହ୍ନଟକାରୀ ସଂସ୍ଥାଗୁଡିକ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏଥିରେ ନିୟନ୍ତ୍ରଣ ଆସିପାରିଛି। ଏପରି କି ପରିବାରର ସଚେତନତା ଓ ଶିକ୍ଷା କାରଣରୁ କନ୍ୟା ସନ୍ତାନ ପ୍ରତି ପୂର୍ବରୁ ଥିବା ଅବଧାରଣା ଏବେ ଦୂର ହୋଇପାରୁଛି।
ତେବେ ନାବାଳିକା ଏବେ ବି ଅନେକ କ୍ଷେତ୍ରରେ ନିଜକୁ ଅସୁରକ୍ଷିତ ମଣୁଛି। ରାଜ୍ୟରେ ନାବାଳିକା ବିରୋଧୀ ହିଂସାକୁ ନେଇ ଖୋଦ୍ ଅଦାଲତ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି। ବିଦ୍ୟାଳୟ, ମହାବିଦ୍ୟାଳୟ ତଥା ଆଖପାଖ ସାହିପଡିଶାରେ ଝିଅମାନଙ୍କ ପାଇଁ ବଢୁଥିବା ଆଶଙ୍କାକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ବାଳସୁଧାର ସମିତି ପକ୍ଷରୁ ପ୍ରତ୍ୟେକ ଜିଲା ଜଜ୍କୋର୍ଟଙ୍କୁ ଚିଠି ଲେଖି କୁଆଡେ ପ୍ରସ୍ତାବ ଓ ପରାମର୍ଶ ଲୋଡିଛନ୍ତି ଉଚ୍ଚ ନ୍ୟାୟାଳୟ। ଜିଲା କୋର୍ଟ ପକ୍ଷରୁ ନିଜ ନିଜ ଅଞ୍ଚଳରେ ବୁଦ୍ଧିଜୀବୀ ଓ ବିଶେଷଜ୍ଞଙ୍କୁ ଡାକି ବୈଠକରେ ନାବାଳିକାଙ୍କ ସୁରକ୍ଷା ଓ ନିରାପତ୍ତା ଲାଗି ବାତାବରଣ ସୃଷ୍ଟି ଦିଗରେ ପ୍ରସ୍ତାବ ଲୋଡାଯିବ। ଜିଲା ସ୍ତରରୁ ଆସିଥିବା ପ୍ରସ୍ତାବ ଓ ପରାମର୍ଶ ରିପୋର୍ଟ ହାଇକୋର୍ଟକୁ ଦିଆଯିବ। ସମସ୍ତ ରିପୋର୍ଟକୁ ତର୍ଜମା କରି ବିଭିନ୍ନ ପ୍ରସ୍ତାବ ଓ ପରାମର୍ଶକୁ ସନ୍ନିବେଶିତ କରି ଉଚ୍ଚ ନ୍ୟାୟାଳୟ ଏକ ସ୍ବତନ୍ତ୍ର ରିପୋର୍ଟ ରାଜ୍ୟ ସରକାରଙ୍କୁ ପଠାଇବେ। ଏହାକୁ କାର୍ଯ୍ୟକାରୀ କରିବା ଲାଗି ନିର୍ଦେଶ ତଥା ସୁପାରିସ କରାଯିବ।
ତଥ୍ୟ ଅନୁଯାୟୀ, ବିଶ୍ବରେ ପ୍ରତି ୪ରୁ ୩ ଜଣ ଝିଅ ନିକଟ ସଂପର୍କୀୟଙ୍କ ଦ୍ବାରା ନିର୍ଯାତିତ ହୋଇଥାନ୍ତି। ୧୫ରୁ ୧୯ବର୍ଷର ଝିଅ ସର୍ବାଧିକ େଯୗନ ଉତ୍ପୀଡନର ଶିକାର ହେଉଛନ୍ତି। ବିଶ୍ବ ମୋଟ ଜନସଂଖ୍ୟାରେ ପ୍ରତି ୧୦୨ ପୁଅରେ ଝିଅଙ୍କ ସଂଖ୍ୟା ୧୦୦ ରହିଛି। କେତେକ ରାଷ୍ଟ୍ରରେ ସ୍ଥିତି ଅଧିକ ସଙ୍କଟଜନକ ରହିଛି। ସ୍ଥିତିକୁ ବଦଳାଇବାକୁ ପଡିବ। ଝିଅମାନେ ସମ୍ମୁଖୀନ ହେଉଥିବା ଅତ୍ୟାଚାର ଓ ହିଂସାକୁ ଦୃଷ୍ଟିରେ ରଖି ଅଦାଲତ ଚିନ୍ତିତ ହେବା ସ୍ବାଭାବିକ। ତେଣୁ କନ୍ୟା ସୁରକ୍ଷା ଲାଗି ନ୍ୟାୟପାଳିକାର ଏଭଳି ପଦକ୍ଷେପ ନିଶ୍ଚିତ ସ୍ବାଗତଯୋଗ୍ୟ। ତେବେ ନିରାକରଣ ଲାଗି କେବଳ ସରକାର କିମ୍ବା ଅଦାଲତ ନୁହେଁ; ନାଗରିକ ସଂଗଠନ, ସାମାଜିକ ସଂଗଠନ, ଶିକ୍ଷାନୁଷ୍ଠାନ ଓ ବିଶେଷକରି ପରିବାର ପକ୍ଷରୁ ଉତ୍ତମ ତଥା ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ବ ଦିଆଯିବା ଜରୁରୀ। ନାବାଳିକାଙ୍କ ସୁରକ୍ଷା ନେଇ ଏବେ ପାଠ୍ୟକ୍ରମରେ ବିଷୟ ରଖାଗଲାଣି। ଗୁଡ୍ ଟଚ୍, ବ୍ୟାଡ୍ ଟଚ୍(ଭଲ ସ୍ପର୍ଶ ଓ ଖରାପ ସ୍ପର୍ଶ) ସଂପର୍କରେ ଛୋଟଛୋଟ ପିଲାଙ୍କୁ ମଧ୍ୟ ଶିକ୍ଷା ଦିଆଯାଉଛି।
ଭାରତୀୟ ସମାଜ ଦୀର୍ଘବର୍ଷ ଧରି ପୁରୁଷ ପ୍ରଧାନ ଥିଲା। ଏବେ ଧୀରେ ଧୀରେ ଏହି ବ୍ୟବସ୍ଥା ବଦଳୁଛି। ଝିଅମାନେ କୌଣସି ଗୁଣ ଓ ସାମର୍ଥ୍ୟରେ କମ୍ ନୁହନ୍ତି। ତାହାକୁ ସେମାନେ ପ୍ରତିପାଦିତ କରୁଛନ୍ତି। ଯେ କୌଣସି ପ୍ରଗତିଶୀଳ ସମାଜରେ ନାରୀ ପ୍ରମୁଖ ଅଙ୍ଗ। ସମାଜ ରଥର ଏହା ଗୁରୁତ୍ବପୂର୍ଣ୍ଣ ଚକ। ନାରୀ ବିନା ସମାଜ ଗଠନ ଅସମ୍ଭବ। ତେଣୁ ନାରୀର ସୁରକ୍ଷା ଓ ନିରାପତ୍ତା ସମାଜର ସବୁ ବର୍ଗର ନାଗରିକଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ ହେବା ଉଚିତ।
ନାରୀ ସୁରକ୍ଷା
Popular Categories



