ଆଠଗଡ : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆହ୍ୱାନ କ୍ରମେ ଆଠଗଡର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ କଲେଜର ଅଧ୍ୟାପକ ଓ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଆଠଗଡ ଖଣ୍ଡ ସଂଯୋଜକ ଜିତେନ୍ଦ୍ର କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏଠାରେ ଥିବା ଗୋପବନ୍ଧୁ ବିଜ୍ଞାନ କଲେଜ, ଗୋପବନ୍ଧୁ ମହିଳା ସ୍ନାତକ କଲେଜ, ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଉକ୍ତ ବର୍ଗର ଅଧ୍ୟାପକ ଓ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହେବା ସହ କାର୍ଯ୍ୟାବନ୍ଦ କରି ଅନୁଷ୍ଠାନ ସମ୍ମୁଖରେ ଧାରଣା ଦେଇଛନ୍ତି । ଦୀର୍ଘ ୧୫ ବର୍ଷ ଧରି ଶିକ୍ଷକ ଓ କର୍ମଚାରୀମାନେ କଲେଜରୁ ୨ ହଜାରରୁ ୫ହଜାର ଟଙ୍କା ପାରିଶ୍ରମିକ ପାଇ କଲେଜର ସମସ୍ତ କାର୍ଯ୍ୟ କରିବା, ନିର୍ବାଚନ ଠାରୁ ଆରମ୍ଭ କରି କଲେଜର ରାକ୍ଷଣବେକ୍ଷଣା ଦାୟିତ୍ୱ ନିର୍ବାହ କରିଥାନ୍ତି ।
କିନ୍ତୁ ଦୁଃଖ ଓ ପରିତାପର ବିଷୟ ଭୁବନେଶ୍ୱର ଲୋୟର ପିଏମଜିଠାରେ ୪୯୭ ଦିନ ଆହୋରାତ୍ର ଧାରଣା ଦେବା ସହିତ ଦେଢ଼ ଲକ୍ଷ ଅଭିଵାବକଙ୍କ ଠାରୁ ଦସ୍ତଖତ କରାଇବା, ପଥପ୍ରାନ୍ତ ସଭା, ଅନଲାଇନ ଏବଂ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଶିକ୍ଷାମନ୍ତ୍ରୀ, ଅର୍ଥମନ୍ତ୍ରୀ ସମସ୍ତ ମନ୍ତ୍ରୀ ଏବଂ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ ଦେଇଥିଲେ ମଧ୍ୟ ଦାବି ପୂରଣ ହେଲାନାହିଁ । ଗତ ୧୬ ତାରିଖରେ ହଜାର ହଜାର ଶିକ୍ଷକ ଲୋୟାର ପିଏମଜିଠାରେ ଏକାଠି ହୋଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦେଖା କରିବାକୁ ଚାହିଁଥିଲେ ମଧ୍ୟ ସମ୍ଭବ ହେଲାନାହିଁ l ଗୋଟିଏ ମାତ୍ର ଦାବି ୨୦୦୮ ରୁ ୨୦୧୮ ପର୍ଯ୍ୟନ୍ତ ନୂତନ ଜିଆଇଏ ବାହାର କରାଯାଉ । ଏଇ ଏକମାତ୍ର ଦାବି ସରକାର ଶୁଣୁନାହାନ୍ତି ସେଥିପାଇଁ କେବଳ ଆଠଗଡ ନୁହେଁ ସମଗ୍ର ରାଜ୍ୟରେ କାର୍ଯ୍ୟାବନ୍ଦ ଆନ୍ଦୋଳନ କରାଯାଇଛି । ଆଠଗଡର ବିଭିନ୍ନ କଲେଜରେ ଜିଲ୍ଲା ସଂଯୋଜକ କେଶବ ଚନ୍ଦ୍ର ସାହୁଙ୍କ ସମେତ ପ୍ରଶାନ୍ତ କୁମାର ନାୟକ, ଜ୍ୟୋତିପ୍ରକାଶ ପଟ୍ଟନାୟକ, ସୁଜାତାରାଣୀ ଦାସ, ସ୍ପିତି ରଞ୍ଜନ ରାଉତ, ରଶ୍ମିରଂଜନ ରାଉତ, ସୁମନ୍ତ କୁମାର ବାରିକ, ସୁଯ୍ୟକାନ୍ତ ଭକ୍ତା, ରଶ୍ମିତା ପଣ୍ଡା, ଟ୍ୱିଙ୍କଲ ମିଶ୍ର, ସରିତା ଆଚାର୍ଯ୍ୟ, ଶୁଭସ୍ମିତା ଦାସ, ଅପରାଜିତା ଜେନାମଣି, ପ୍ରତିମା ଦାସ, ସୁଭଦ୍ରା ଭୋଳ, ରଂଜିତ କୁମାର ସ୍ୱାଇଁ, ସହଦେଵ ନାୟକ, ନିର୍ଯ୍ୟାସୀ ବଳବନ୍ତରାୟ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଏହି ଆନ୍ଦୋଳନ ଓ ଧାରଣାରେ ଯୋଗ ଦେଇଛନ୍ତି । ଯଦି ସରକାର ନୂତନ ଜିଆଇଏ ବାହାର ନ କରନ୍ତି ତେବେ ଅନିଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି ।



