କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଙ୍ଗପୁର ଲ୍ୟାମ୍ପରେ ସାର କଳାବଜାରୀ ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ଓ ପ୍ରକାଶ ପାଇବା ପରେ ମଧ୍ୟ ଚେତିଲାନି କୃଷି ବିଭାଗ। ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ଲ୍ୟାମ୍ପରେ ସାର କଳାବଜାରୀ ହେଉଥିବାରୁ ଚାଷୀ ମୁଣ୍ଡ ହାତଦେଇ ଚିନ୍ତାରେ ବସିଛି। ଅନ୍ୟପଟେ ବେପାରୀଙ୍କଠାରୁ ଚଢ଼ାଦରରେ ଚାଷୀ କିଣିବା ପାଇଁ ବାଧ୍ୟ ହେଉଛି। ଏହି ବ୍ଲକର ଚାଷୀଙ୍କ ହିତରେ ଆସୁଥିବା ଲ୍ୟାମ୍ପରେ ଦୁଇଟି ଗଦାମରେ ସାର ଭର୍ତ୍ତି ହୋଇଥିବା ସତ୍ତ୍ବେ ମିଳୁ ନଥିବାରୁ ଚାଷୀ ବାଧ୍ୟ ହୋଇ ଲ୍ୟାମ୍ପରେ ତାଲାପକାଇଥିବା ଦେଖିବାକୁ ମିଳିଛି। ଲ୍ୟାମ୍ପରେ ୟୁରିଆ, ପଟାସ, ଡିଏପି,୨୦-୨୦, ଚାଷୀଙ୍କୁ ସୁଲଭ ମୂଲ୍ୟରେ ଦେବା କଥା। କିନ୍ତୁ ପ୍ରାଥମିକତା ଦୃଷ୍ଟିରୁ ଲୋନ ଚାଷୀମାନଙ୍କୁ ପ୍ରଦାନ କରୁଥିବାରୁ ଅନ୍ୟ ଚାଷୀମାନଙ୍କୁ ବିକ୍ରି କରୁନଥିବାରୁ କଳା ବଜାରୀ ବଢ଼ି ଚାଲିଛି। କୃଷି ବିଭାଗର ଜାଣତରେ ଏହା ଚାଲୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବିଭିନ୍ନ ସ୍ୱୀକୃତି ପ୍ରାପ୍ତ ଦୋକାନ ଓ ଅଣ ସ୍ୱୀକୃତି ପ୍ରାପ୍ତ ଦୋକାନରେ ୟୁରିଆ ବସ୍ତା ପିଛା ତିନି ଶହ ଟଙ୍କା ଅଧିକା ନେଉଥିବା ବେଳେ ଡିଏପି ଓ ୨୦-୨୦ ଚାରିଶହ ଟଙ୍କା ଅଧିକା ନେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଲ୍ୟାମ୍ପ ପ୍ରତି ବର୍ଷ ଆକଳନ କରି ସାର ଆଣିବା କଥା କିନ୍ତୁ କେଜାଣି ଚଳିତ ବର୍ଷ ଅତି କମ ସାର ଆସି ସରି ଯାଇଥିବାରୁ ଲୋନ ଚାଷୀଙ୍କୁ ମଧ୍ୟ ସାର ମିଳୁନି କିମ୍ବା ଅନ୍ୟ ଚାଷୀଙ୍କୁ ସାର ପ୍ରଦାନ କରୁନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ବେପାରୀ ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ରହିଥିବା ଏଥିରୁ ସ୍ପଷ୍ଟ ହୋଇଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଆଜକୁ ଚାରି ଦିନ ହେବ ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଜଗି ସାର ନପାଇ ଫେରି ଯାଉଥିବାରୁ ଆଜି ବାଧ୍ୟ ହୋଇ ଲ୍ୟାମ୍ପରେ ତାଲାପକାଇ ଥିଲେ। ଏହା ସହ ଏମଡିଙ୍କୁ ପରିବର୍ତ୍ତନ କରିବା ପାଇଁ ଚାଷୀ ଦାବି କରିଛନ୍ତି।



