www.samajalive.in
Sunday, December 14, 2025
19.1 C
Bhubaneswar

ସମ୍ବଲପୁରରେ ସାର କଳାବଜାର ବୃଦ୍ଧି, ଚାଷୀ ତାତିବାରୁ ଗୋଦାମ ସିଲ କଲା ପ୍ରଶାସନ

ସମ୍ବଲପୁର: ସମ୍ବଲପୁର ଜିଲା କୃଷକ ସୁରକ୍ଷା ସଙ୍ଗଠନ ପକ୍ଷରୁ ଜିଲାରେ ସାରର ବ୍ୟାପକ କଳାବଜାରୀ ହେଉଥିବାର ବାରମ୍ବାର ଅଭିଯୋଗ କରାଯାଇଛି। କିନ୍ତୁ କୃଷି ବିଭାଗ ଜାଣିଶୁଣି ଚୁପ ରହୁଥିବାରୁ ଶନିବାର ସମ୍ବଲପୁର ସହର ଦେଇ ଯାଇଥିବା ଜାତୀୟ ରାଜପଥ ସଂଖ୍ୟା ୫୫ କଡରେ ଗୋପାଲପାଲିସ୍ଥିତ ଏକ ସାର ଦୋକାନରେ ୟୁରିଆ ବସ୍ତା ପିଛା ୫୨୦ ଟଙ୍କା ଲେଖାଏଁ କଳାବଜାରୀ କରୁଥିବା ଅଭିଯୋଗରେ ସମ୍ବଲପୁର ଜିଲା କୃଷକ ସୁରକ୍ଷା ସଙ୍ଗଠନ ପକ୍ଷରୁ ଚଢ଼ଉ କରାଯାଇଛି।

ଜିଲା କୃଷି ଅଧିକାରୀଙ୍କ ନିକଟରେ କରାଯାଇଥିବା ଅଭିଯୋଗ ଅନୁଯାୟୀ, ୟୁରିଆ ବସ୍ତା ପିଛା ସରକାରୀ ମୁଲ୍ୟ ୨୬୭ ଟଙ୍କା ହୋଇଥିବା ବେଳେ ଏହାକୁ କଳାବଜାର କରାଯାଇ ପ୍ରତି ବସ୍ତା ୫୨୦ ଟଙ୍କା ଲେଖାଏଁ ଚାଷୀମାନଙ୍କୁ ନିକଟରୁ ନିଆଯାଇ ଶୋଷଣ କରାଯାଉଛି ବୋଲି ସଙ୍ଗଠନ ଅଭିଯୋଗ କରିଛି। ଶନିବାର ପୂର୍ବାହ୍ନରେ ୟୁରିଆ ସାର କଳାବଜାର କରାଯାଉଥିବା ଖବର ପାଇ ଚାଷୀ ସଙ୍ଗଠନର ଜିଲା ସଭାପତି ଉମେଶ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଚାଷୀମାନେ ଗୋପାଲପାଲିସ୍ଥିତ ଉକ୍ତ ସାର ବିକ୍ରେତାର ହୋଲସେଲ ଦୋକାନକୁ ଘେରି ଯାଇଥିଲେ। ୟୁରିଆ ସାରର ଅଧିକ ଦାମ ନେବା ଘଟଣାକୁ ନେଇ ଉତ୍ତେଜିତ ଚାଷୀମାନେ ଏହାର ତୀବ୍ର ବିରୋଧ କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ କୃଷି ବିଭାଗର ଅଧିକାରୀ, କର୍ମଚାରୀ ଓ ପୁଲିସ ପହଞ୍ଚିଥିଲା।

- Advertisement -

ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ସମ୍ବଲପୁରର କେନ୍ଦ୍ର ସ୍ଥଳରେ ଥିବା ସାର ଦୋକାନରେ ଏଭଳି ଖୁଲମଖୁଲା କଳାବଜାରୀ ଚାଲିଥିବା ବେଳେ କୃଷି ବିଭାଗ ପକ୍ଷରୁ ସବୁ ଜାଣିଶୁଣି ଅଣଦେଖା କରାଯାଉଛି। ଜିଲାରେ ଥିବା ସାର ବିକ୍ରେତାମାନେ ଏଭଳି କଳାବଜାରରେ ଲିପ୍ତ ଥିବା ବେଳେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏହି ଘଟଣାକୁ ସାର ବିକ୍ରେତା ଖଣ୍ଡନ କରିଥିବା ବେଳେ ଚାଷୀମାନେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ସ୍ଥିତି ଉତ୍ତେଜନାପୁର୍ଣ୍ଣ ହେବା ପରେ ଚାଷୀମାନଙ୍କ ଲିଖିତ ଅଭିଯୋଗ ପରେ ଉକ୍ତ ସାର ହୋଲସେଲ ବିକ୍ରେତାଙ୍କ ୟୁରିଆ ସାର ରଖାଯାଇଥିବା ଗୋଦାମକୁ ମାଜିଷ୍ଟ୍ରେଟ ପ୍ରତାପ ଦାସଙ୍କ ଉପସ୍ଥିତିରେ ସିଲ କରାଯାଇଛି। ଏହି ଘଟଣା ସମ୍ପର୍କରେ ଅଧିକ ତଥ୍ୟ ପାଇଁ ଧନକଉଡା ବିଇଓ ରାକେଶ ରଞ୍ଜନ ଦାସଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିବା ବେଳେ ତାହା ସମ୍ଭବପର ନ ହେବାରୁ ତାଙ୍କର ପ୍ରତିକ୍ରିୟା ମିଳି ପାରି ନାହିଁ । ଆଜି ହୋଇଥିବା ଏହି ଚଢ଼ଉରେ ସଙ୍ଗଠନର ସମ୍ପାଦକ ଦେବେନ୍ଦ୍ର କୁମାର ପଧାନ, ଆଶିଷ ହୋତା, ସନତ ମିଶ୍ର, ଅଜୟ ଓରାମ, ହରିଶଙ୍କର ପୁରୋହିତ, ବାଦଲ ପ୍ରଧାନଙ୍କ ସମେତ ଅନେକ ଚାଷୀ ଉପସ୍ଥିତ ରହିଥିଲେ।

ସାର କଳାବଜାର ଉପରେ ଅଙ୍କୁଶ ଲଗାଇବା କୃଷି ବିଭାଗ ଓ ସରକାରଙ୍କ ଦାୟିତ୍ୱ ହୋଇଥିବା ବେଳେ ସେମାନେ ତାଙ୍କର ଦାୟିତ୍ୱ ନିର୍ବାହ କରୁ ନ ଥିବାରୁ ଚାଷୀ ସବୁ ସମୟରେ ହଇରାଣ ହୋଇ ଅଯଥାରେ ଲୁଣ୍ଠିତ ହେଉଛି । କଣ ପାଇଁ ସାର କଳାବଜାରକୁ ରୋକା ଯାଉନାହିଁ, ଏଥି ପାଇଁ ଦାୟୀ ଅଧିକାରୀ ମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ, ତାହା ତଦନ୍ତ ସାପେକ୍ଷ ବୋଲି ଚାଷୀମାନେ ଦାବି କରିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories