କଟକ: ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ସୋମବାର କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣିଛି। ଚୌଦ୍ବାର ଜେଲ୍ରୁ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଏବଂ ଶିକ୍ଷକ ନେତା ବିଜୟ ମିଶ୍ରଙ୍କୁ ଆଣି କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟରେ ଜେରା କରାଯାଉଛି। ପ୍ରାୟ ୩ରୁ ୪ ଘଣ୍ଟା ଧରି ଉଭୟଙ୍କୁ ପୃଥକ ଭାବେ ଜେରା କରାଯାଇଥିବାବେଳେ ମଙ୍ଗଳବାର ସାମ୍ନାସାମ୍ନି ଜେରା କରାଯିବ ବୋଲି ଏକ ବିଶେଷ ସୂତ୍ରରୁ ଖବର ମିଳିଛି। ପ୍ରଥମ ଦିନରେ ପ୍ରଶ୍ନପତ୍ର ପ୍ରଘଟ କାରବାରରେ ଜିତନଙ୍କ ସହ ନିହାରଙ୍କର ଏବଂ ବିଜୟଙ୍କ ସମ୍ପୃକ୍ତି କେତେ ଦିନ ଧରି ରହିଛି, କେବଳ ଏହି ଘଟଣାରେ ନା ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ କାରବାରରେ ସମସ୍ତ ଅଭିଯୁକ୍ତଙ୍କର ସମ୍ପୃକ୍ତି ରହିଛି, ସେଥିନେଇ କ୍ରାଇମବ୍ରାଞ୍ଚ ଟିମ୍ ଜେରାବେଳେ ପଚାରିଛି। ଦୁଇ ଅଭିଯୁକ୍ତ ସେମାନଙ୍କର ମୋବାଇଲରୁ କିଛି ତଥ୍ୟ ଡିଲିଟ କରିଥିବା ଜଣାପଡ଼ିଛି। ଜିତନ ପ୍ରଶ୍ନପତ୍ର ଚୋରିରେ ବ୍ୟବହାର କରିଥିବା ପେନଡ୍ରାଇଭ ମିଳୁନଥିବାବେଳେ ହାତଲେଖା ପ୍ରଶ୍ନପତ୍ର କ୍ରାଇମବ୍ରାଞ୍ଚ ନିକଟରେ ନଥିବା ଜଣାପଡ଼ିଛି। ରିମାଣ୍ଡ ଶେଷ ହେବା ପରେ ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ସାମ୍ନାକୁ ଆସିବ। ଅନ୍ୟପକ୍ଷରେ ଆସନ୍ତା ଅଗଷ୍ଟ ୩୧ରେ ପୁଣି ଥରେ ସ୍ବତନ୍ତ୍ର ଓଟିଇଟି ହେବାକୁ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଥିଲା; କିନ୍ତୁ ଉକ୍ତ ପରୀକ୍ଷା ଘୁଞ୍ଚିବ ବୋଲି ଚର୍ଚ୍ଚା ଜୋର ଧରିଛି। ପରୀକ୍ଷା ଘୁଞ୍ଚାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ବୋର୍ଡ ପକ୍ଷରୁ ଚିଠି କରାଯାଇଛି। ତେବେ ପରୀକ୍ଷା କାହିଁିକି ଘୁଞ୍ଚାଯାଉଛି, ସେଥିନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। କାରଣ ସବୁ ପରୀକ୍ଷା ସମୟରେ ୩ ଟି ସେଟ୍ର ପ୍ରଶ୍ନପତ୍ର ତିଆରି କରାଯାଇଥାଏ। ଯଦି କୌଣସି ସେଟ୍ର ପ୍ରଶ୍ନପତ୍ର ପ୍ରଘଟ ହୁଏ, ତାହେଲେ ଅନ୍ୟ ସେଟ୍ ପ୍ରଶ୍ନପତ୍ରରେ ପରୀକ୍ଷା ହୋଇଥାଏ। ତେଣୁ ସବୁ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ସନ୍ଦେହ ବଢ଼ିଛି।
ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ୮ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣ ଜିତନ ଏବଂ ବିଜୟଙ୍କୁ କ୍ରାଇମବ୍ରାଞ୍ଚର ଜେରା ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚୌଦ୍ବାର ଜେଲ୍ରୁ ଦୁଇଜଣକୁ ପୁଲିସ ଆଣିଥିଲା। ରାତି ପର୍ଯ୍ୟନ୍ତ ସେମାନଙ୍କୁ ଜେରା କରାଯାଇଛି। ଆଉ କାହାର ସମ୍ପୃ୍କ୍ତି ରହିଛି,କେତେ ଟଙ୍କାର କାରବାର ହୋଇଛି, ଜିତନ ଓ ବିଜୟ କେଉଁମାନଙ୍କ ସହ ସମ୍ପର୍କରେ ଥିଲେ ଆଦି ବିଭିନ୍ନ ପ୍ରଶ୍ନ କ୍ରାଇମ୍ବ୍ରାଞ୍ଚ ଟିମ୍ ପଚାରିଛି। ଜିତନ୍ ଏହି କାରବାର ମୁଖ୍ୟ ଅଭିଯୁକ୍ତ ବୋଲି ପ୍ରଥମେ ଜଣାପଡ଼ିଥିଲା। ସେ ବୋର୍ଡର ନିଲମ୍ବିତ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ଲାପ୍ଟପରୁ ପ୍ରଶ୍ନପତ୍ର ଚୋରି କରି ନେଇ ଶିକ୍ଷକ ନେତା ବିଜୟଙ୍କ ଜରିଆରେ ପ୍ରଘଟ କରାଯାଇଥିଲା। ଏଥିପାଇଁ ଜିତନଙ୍କୁ ବିଜୟଙ୍କ ଠାରୁ ଅଢେଇ ଲକ୍ଷ ଟଙ୍କା ମିଳିଥିଲା। ସେ ନିଜ ଆକାଉଣ୍ଟରେ ଟଙ୍କା ନ ନେଇ ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ପଠାଇବାକୁ ବିଜୟଙ୍କୁ କହିଥିଲେ। ବିଜୟଙ୍କୁ ଧରିବା ପରେ କ୍ରାଇମ୍ବ୍ରାଞ୍ଚ କଳାହାଣ୍ଡି ବେଜିପଦର ଉଚ୍ଚପ୍ରାଥମିକ ବିଦ୍ୟାଳୟର ନିଲମ୍ବିତ ଶିକ୍ଷକ ପ୍ରଶାନ୍ତ ଖମାରୀଙ୍କୁ ଧରିଥିଲା। ପ୍ରଶାନ୍ତ ଉଭୟ ଜିତନ ଏବଂ ବିଜୟଙ୍କ ସହ ସମ୍ପର୍କରେ ଥିଲେ। ବିଜୟଙ୍କ ସହ ମିଶି ଜିତନଙ୍କ ଠାରୁ ପ୍ରଶାନ୍ତ ପ୍ରଶ୍ନପତ୍ର ଆଣି ଓଡ଼ିଆରେ ଅନୁବାଦ କରି ବିକ୍ରି କରିଥିଲେ। ପ୍ରଶାନ୍ତ ଶିକ୍ଷକଙ୍କ ଠାରୁ ଆଦାୟ କରିଥିବା ୯୯ ହଜାର ଟଙ୍କା ବିଜୟଙ୍କୁ ପଠାଇଥିଲେ। ଏହିଭଳି ସବୁ କାର୍ପଟଦାରଙ୍କୁ ଧରି କ୍ରାଇମବ୍ରାଞ୍ଚ ନିହାରଙ୍କ ପାଖେ ପହଞ୍ଚିପାରିଥିଲା। ତେଣୁ ଅନୁରୂପ ଭାବେ ପ୍ରଥମ ଅଭିଯୁକ୍ତଙ୍କ ଠାରୁ କ୍ରାଇମବ୍ରାଞ୍ଚ ଜେରା ଆରମ୍ଭ କରିଛି। ପରେ ସବୁ ଅଭିଯୁକ୍ତଙ୍କୁ ରିମାଣ୍ଡ ଅଣାଯିବ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ୩୧ରେ ପୁଣି ଥରେ ସ୍ବତନ୍ତ୍ର ଓଟିଇଟି କରିବା ପାଇଁ ଅଗଷ୍ଟ ୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ପରୀକ୍ଷା ଦେବାକୁ ଥିବା ୭୫ ହଜାର ଶିକ୍ଷକ ନିଜକୁ ପ୍ରସ୍ତୁତ କରୁଥିଲେ; କିନ୍ତୁ ପରୀକ୍ଷା ଘୁଞ୍ଚିବ ବୋଲି ଶୁଣିବାକୁ ମିଳିଛି। ଏପରିକି କର୍ମଚାରୀ ଅଭାବ ସାଙ୍ଗକୁ ଉପସଭାପତି ପଦ ଖାଲିଥିବାବେଳେ ସମ୍ପାଦକ ଛୁଟିରେ ରହିଥିବା କୁହାଯାଉଛି। ମାନବ ସମ୍ବଳ ଅଭାବ ଯୋଗୁଁ ପରୀକ୍ଷାକୁ ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବରରେ କରିବାକୁ ବୋର୍ଡ କର୍ତ୍ତୃପକ୍ଷ ବିଭାଗକୁ ଚିଠି କରୁଥିବା କୁହାଯାଉଥିଲେ ମଧ୍ୟ ଏନେଇ ବୋର୍ଡ କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟତା ଦେଇନାହାନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୁପରିଚାଳିତ ଭାବେ ପରୀକ୍ଷା କରାଯିବାକୁ ପ୍ରସ୍ତୁତି ଜାରି ରହିଥିବା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିବାବେଳେ ବୋର୍ଡ କର୍ତ୍ତୃପକ୍ଷ ନୀରବ ରହିଛନ୍ତି।



