www.samajalive.in
Friday, December 5, 2025
27.1 C
Bhubaneswar

ନେଡି ଗୁଡ କହୁଣୀକୁ ବୋହିଗଲା ପରେ..

ଭୁବନେଶ୍ଵର: କିଛିଦିନ ହେଲା ରାଜ୍ୟରେ ମହାନଦୀ ଜଳବଣ୍ଟନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅତୀତରେ ବିଭିନ୍ନ ଭାବରେ ମହାନଦୀ ପାଣିକୁ ନେଇ ମତ ଓ ମନ୍ତବ୍ୟ ଦିଆଯାଉଛି। ଓଡ଼ିଶାରେ ଥିବା ନବୀନ ବାବୁଙ୍କ ସରକାର ମଧ୍ୟ ଏ ସମ୍ପର୍କରେ ସଚେତନ ଥାଇ ଛତିଶଗଡ଼ ସରକାରଙ୍କ ସହିତ କୌଣସି ଆପୋସ ଆଲୋଚନା ନକରିଥିବା ଓ ଆଇନ ମୁତାବକ ଜଳବଣ୍ଟନ କାର୍ଯ୍ୟ ପାଇଁ ଟ୍ରାଇବ୍ୟୁନାଲ୍‌‌ର ଆଶ୍ରୟ ନେଇଥିବା ସମ୍ପର୍କରେ ସମସ୍ତେ ଅବଗତ ଥିଲେ। ଦୀର୍ଘ ବର୍ଷଧରି ଟ୍ରାଇବ୍ୟୁନାଲ୍‌‌ର ବୈଠକ ବସି ଚାଲିଛି, ଅଥଚ ସମସ୍ୟାର କୌଣସି ସମାଧାନ ସୂତ୍ର ଏ ପର୍ଯ୍ୟନ୍ତ ଲୋକଲୋଚନକୁ ଆସିନାହିଁ। ଏହି ବୈଠକ ଆହୁରି ଅନେକବାର କେତେଦିନ ଚାଲିବା ଆଶଙ୍କା ମଧ୍ୟ ରହିଛି। ଏପରି ଏକ ପରିସ୍ଥିତିରେ ହଠାତ୍‌‌ ରାଜ୍ୟରେ ଥିବା ଭାରତୀୟ ଜନତା ପାର୍ଟିର ସରକାର ଛତିଶଗଡ଼ର ସରକାରଙ୍କୁ ପତ୍ର ଲେଖି ଆପୋସ ଆଲୋଚନାରେ ସମସ୍ୟା ସମାଧାନ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ଏହା ନିଶ୍ଚିତ ଯେ, ଏପରି ଏକ ପ୍ରସ୍ତାବ ସ୍ୱାଗତଯୋଗ୍ୟ ଓ ଅନେକ ଦୃଷ୍ଟିରୁ ଉଭୟ ରାଜ୍ୟର ଜନସାଧାରଣଙ୍କ ହିତ ପାଇଁ ଶୁଭଙ୍କର। ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ମଧ୍ୟ ଏହା ଉପରେ ତାଙ୍କର ମତ ରଖି ଏପରି ଏକ ଆଲୋଚନା ପାଇଁ ସମର୍ଥନ କରିଛନ୍ତି। କେବେ ସୁଦ୍ଧା ଏହି ବୈଠକ ବସିବ ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ବର୍ତ୍ତମାନ ଦେଶରେ ଗୋଟିଏ ଦଳର ଶାସନ କେନ୍ଦ୍ରରେ ଥିବାବେଳେ ସେହି ଦଳର ଶାସନ ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ଚାଲିଛି। ଏପରି ଏକ ଅନୁକୂଳ ବାତାବରଣ ଭିତରେ ଆପୋସ ଆଲୋଚନା ହେବା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ।
ଆମେ ସମସ୍ତେ ଜାଣିଛେ ଯେ, ମହାନଦୀ ପୁରାଣ ବର୍ଣ୍ଣିତ ଚିତ୍ରୋତ୍ପଳା ନଦୀର ଆଧୁନିକ ନାମ ଓ ଏହାର ଦୈର୍ଘ୍ୟ ୮୫୧ କି.ମି। ଏଥିରେ ହାରାହାରି ୬୬୮୮୦ ଏମ୍‌‌ସିଏମ୍‌‌ ଜଳ ପ୍ରବାହିତ ହୋଇଥାଏ। ନଦୀର ଅବବାହିକା ଅଞ୍ଚଳ ୧୪୧୫୮୯ ବର୍ଗ କି.ମି। ସେଥିମଧ୍ୟରୁ ଛତିଶଗଡ଼ରେ ୭୪୯୯୭ ବର୍ଗ କି.ମି ଥିବାବେଳେ ଓଡ଼ିଶାରେ ୬୫୫୮୦ ବର୍ଗ କି.ମି ଓ ଝାଡଖଣ୍ଡରେ ଅଂଶ ୬୩୫ ବର୍ଗ କି.ମି ରହିଛି। ମହାରାଷ୍ଟ୍ରରେ ୨୩୮ ବର୍ଗ କି.ମି ଓ ମଧ୍ୟପ୍ରଦେଶରେ ୧୩୯ ବର୍ଗ କି.ମି ପ୍ରବାହିତ ହୋଇଛି। ଛତିଶଗଡ଼ ସ୍ଥିତ ସିହାୱା ପର୍ବତ (ଶିଓନାଥ)ରୁ ସୃଷ୍ଟି ମହାନଦୀର ପୌରାଣିକ ନାମ ଚିତ୍ରୋତ୍ପଳା। ଏହି ସ୍ଥାନଟି ହେଉଛି ରାୟପୁର ଜିଲାର ନାଓରୀ ସହର ନିକଟସ୍ଥ ଫାରସିଆ ଗ୍ରାମଠାରୁ ପାଞ୍ଚ କି.ମି ଦୂରରେ। ସମୁଦ୍ର ପତ୍ତନଠାରୁ ଉଚ୍ଚତା ହେଉଛି ୪୪୨ ମିଟର। ତ୍ରିକୋଣ ଭୂମି ପର୍ଯ୍ୟନ୍ତ ୮୫୨.୮ କି.ମି ପ୍ରବାହିତ ହେବା ପରେ ସେଇଠୁ ଆଉ ୧୦୭ କି.ମି ଯାଇ ଏହା ପାରାଦ୍ବୀପ ଠାରେ ବଙ୍ଗୋପସାଗରରେ ମିଶିଯାଇଛି। ଅନ୍ୟଭାବରେ କୁହାଯାଇପାରେ ଯେ ବସ୍ତର ଅଞ୍ଚଳର ଅମରକଣ୍ଟକ ପର୍ବତମାଳାରୁ ମହାନଦୀ ନିର୍ଗତ ହୋଇଛି। ବର୍ତ୍ତମାନ ଏହା ପ୍ରବେଶ କରିଛି ସମ୍ବଲପୁର ଜିଲାର ପଡ଼ିଗାଁ ନିକଟରେ। ଏହିଠାରୁ ସମୁଦ୍ର ପର୍ଯ୍ୟନ୍ତ ଓଡ଼ିଶା ମଧ୍ୟରେ ଦୂରତା ହେଉଛି ୪୯୪ କି.ମି। ରାୟପୁପର ଜିଲାରେ ଏହା ପଏରୀ-ସୋଁଢ଼ୁଇ, ମାନ, କେଲୋ, ଜୋଁକ ପ୍ରଭୃତି କେତୋଟି ନଦୀ ସହିତ ମିଳିତ ହେବା ପରେ ଓଡ଼ିଶାରେ ପ୍ରଥମେ ଇବ୍‌‌ ନଦୀ ସହିତ ମିଳିତ ହୋଇଛି। ସମ୍ବଲପୁରଠାରୁ ଏହା ଦକ୍ଷିଣାଭିମୁଖୀ ହୋଇ ସୋନପୁରଠାରେ ତେଲନଦୀ ସହିତ ମିଶିଛି। ପୁଣି ସେଠାରୁ ପୂର୍ବମୁହାଁ ହୋଇ ବୌଦ, ଟିକରପଡ଼ା, ସାତକୋଶିଆ, ବରମୂଳ, କଣ୍ଟିଲୋ ଦେଇ ନରାଜ ଯାଏ ଯାଇ ସେଠାରେ ତ୍ରିକୋଣ-ଭୂମି ସୃଷ୍ଟି କରିଛି। ଏହି ସୀମା ପର୍ଯ୍ୟନ୍ତ ଅନେକ ଉପନଦୀ ଏଥିରେ ମିଶିଛନ୍ତି। ସେଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଜିରା, ବାଘ, ସାଲ୍‌‌କୀ, କୁଅାଁରିଆ, ହରିହର ଯୋର, ଶଗଡ଼ିଆ, ରେତ, ହାତୀ, ଇନ୍ଦ୍ର, ସୁକତେଲ ଉତେଇ, ରେମାରେ ଉଦନ୍ତୀ, ସାପୁଆ ଆଦି ନଈ ଅଛନ୍ତି। ପରେ ୮୦ କି.ମି ଯାଏ ବହୁ ଶାଖା ପ୍ରଶାଖା ଯଥା:- କାଠଯୋଡ଼ି, ଅଳକା, ବିରୂପା, ପାଇକା, ଚିତ୍ରୋତ୍ପଳା, ପ୍ରାଚୀ, ଦେବୀ, କନ୍ଦଳ, କୁଆଖାଇ, କୁଶଭଦ୍ରା, ଭାର୍ଗବୀ, ଦୟା ପ୍ରଭୃତି ସୃଷ୍ଟିକରି ସମୁଦ୍ରରେ ପଡ଼ିଛି। ଗତିପଥରେ ଏହା ସମ୍ବଲପୁର, ବଲାଙ୍ଗିର, ସୋନପୁର, ବୌଦ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଅନୁ‌େଗାଳ ଏବଂ କଟକ, ଜଗତ୍‌‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଜିଲା ଗୁଡ଼ିକୁ ଛୁଇଁ ବହିଯାଇଛି। ହୀରାକୁଦ ଜଳଭଣ୍ଡାର ମଧ୍ୟରେ ପ୍ରବେଶ କଲା ପରେ ସ୍ୱାଭାବିକ କାରଣରୁ ନଦୀ ତଳଆଡ଼କୁ ଶୀର୍ଣ୍ଣ ହୋଇଯାଇଛି। ତେବେ କ୍ରମଶଃ ପ୍ରଶସ୍ତ ହୋଇଛି ଏବଂ ବିଭିନ୍ନ ଶାଖା ପ୍ରଶାଖାରେ ବିଭକ୍ତ ହୋଇ ଏହା ଓଡ଼ିଶାର ବିସ୍ତୃତ ଅଞ୍ଚଳକୁ ଜଳପ୍ଲାବିତ କରୁଛି। ସମ୍ବଲପୁର ଠାରୁ ନରାଜ ପର୍ଯ୍ୟନ୍ତ ଏହା ମାଳଭୂମିରେ ପ୍ରବାହିତ ହେବା ପରେ ଶେଷୋକ୍ତ ସ୍ଥାନଠାରୁ ହିଁ ସମତଳ ଭୂମିରେ ପ୍ରବେଶ କରିଛି। ରାଜ୍ୟ ଗଠନ ସମୟରେ ମୁଖ୍ୟତଃ ଦୁଇଟି କଥାକୁ ନେଇ ବିଚାର ବିମର୍ଶ କରାଯାଉଥିଲା। ପ୍ରଥମଟି ହେଉଛି, ତାହାର ଭୌଗୋଳିକ ସ୍ଥିତି ଯାହାକି ହେଉଛି ପ୍ରକୃତି ଦତ୍ତ ବା ପ୍ରକୃତି ସୃଷ୍ଟ। ଅନ୍ୟଟି ଥିଲା ଭାଷା ଭିତ୍ତିକ। ଯେଉଁ ଅଞ୍ଚଳରେ ଗୋଟିଏ ଭାଷା ପ୍ରଚଳିତ ଥିଲା ତାହାକୁ ନେଇ ରାଜ୍ୟ ଗଠନ କରିବାର ଦାବି ସେ ସମୟର ଜାତୀୟବାଦୀ ନେତାମାନେ ଦାବି ରଖିଥିଲେ ମଧ୍ୟ ଭୌଗୋଳିକ ସ୍ଥିତି ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଥିଲା। ଓଡ଼ିଶା କ୍ଷେତ୍ରରେ ଏହି ଦୁଇଟି ଯାକ ଦାବିର ଯଥାର୍ଥତା ଥିଲା ଏକ ମୁଖାମୁଖୀ ଅର୍ଥାତ୍‌‌ ଯେଉଁ ଅଞ୍ଚଳରେ ନଦୀ ଉତ୍ପନ୍ନ ହୋଇ ପ୍ରବାହିତ ହୋଇଛି, ସେହି ଅଞ୍ଚଳର ଉପତ୍ୟକାରେ ଓଡ଼ିଆ ଭାଷା ପ୍ରଚଳିତ ହେଉଥିବା ଦେଖାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ସେ ସମୟରେ ଏହି ଦୁଇଟିଯାକ କଥାକୁ ଅଣଦେଖା କରାଯାଇଥିଲା। ଯାହା ଫଳରେ ନଦୀସବୁ ପ୍ରବାହିତ ହେବା ଆଧାରରେ ରାଜ୍ୟର ଭୌଗୋଳିକ ସ୍ଥିତି ନିର୍ଣ୍ଣୟ ହେଲା ନାହିଁ ବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ରାଜ୍ୟ ଗଠନ କରାଗଲାନାହିଁ। ଯଦ୍ଦ୍ବାରା ଓଡ଼ିଶା ପୂର୍ବପରି ଏକ ବିଖଣ୍ଡିତ ଭୌଗୋଳିକ ସ୍ଥିତିକୁ ନେଇ ଜନ୍ମନେଲା। ସେ ସମୟରେ ପ୍ରତିଶ୍ରୁତି ଥିଲା ଯେ, ରାଜ୍ୟ ପୁନର୍ଗଠନ ସମୟରେ ଓଡ଼ିଶାର କଥା ବିଚାରକୁ ନିଆଯିବ। କିନ୍ତୁ ୨୦୦୧ ମସିହାରେ ରାଜ୍ୟ ପୁନର୍ଗଠନର ସୁଯୋଗ ସୃଷ୍ଟି ହୋଇଥିଲେ ମଧ୍ୟ ଏ ସମ୍ପର୍କରେ କୌଣସି ବିଚାର ବିମର୍ଶ ବା ସିଦ୍ଧାନ୍ତ ନିଆଗଲା ନାହିଁ। ଭୌଗୋଳିକ ସ୍ଥିତି ଓ ଭାଷାକୁ ଭିତ୍ତିକରି ଓଡ଼ିଶା ରାଜ୍ୟ ଗଠିତ ହୋଇଥିଲେ ଆଜି ଏ ସମସ୍ୟା ଘଟିନଥାନ୍ତା। ବୈତରଣୀ ନଦୀ ପରି ମହାନଦୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ଦକ୍ଷିଣରେ ଋଷିକୁଲ୍ୟା, ଇନ୍ଦ୍ରାବତୀ ସବୁ ନଦୀଗୁଡ଼ିକ ରାଜ୍ୟ ଭିତରେ ରହିଥାନ୍ତା ଅର୍ଥାତ୍‌‌ ଓଡ଼ିଆ ଭାଷାଭାଷୀ ତଥା ଏକ ସଂସ୍କୃତି ସମ୍ପନ୍ନ ଅଞ୍ଚଳର ସୀମା ରାଜ୍ୟ ପରିସୀମା ଅନ୍ତର୍ଗତ ଥାନ୍ତା। ଜଳର ଆବଣ୍ଟନ ପ୍ରକ୍ରିୟା ବା ସମ୍ପୂର୍ଣ୍ଣ ବିନିଯୋଗ ରାଜ୍ୟ ସରକାର ନିର୍ଦ୍ଧାରଣ କରିଥାନ୍ତେ। ଅନ୍ୟ କୌଣସି ରାଜ୍ୟର ସହଯୋଗ ବା ବିବାଦର ସମ୍ମୁଖୀନ ହେବାକୁ ପଡ଼ିନଥାନ୍ତା। ଯାହାହେଉ ବର୍ତ୍ତମାନର ଯେଉଁ ଆପୋସ ଆଲୋଚନା କଥା ଉଠୁଛି ସେ ସମୟରେ ସେ ଦିଗଗୁଡ଼ିକୁ ସାମନାକୁ ଆଣିବାର ଏକ ସମ୍ଭାବ୍ୟ ସୁଯୋଗ ସୃଷ୍ଟି ହୋଇଛି। ବର୍ଷତମାମ ମୌସୁମି, ଅଣମୌସୁମି ବର୍ଷା ଅନୁପାତ ଗତ ୧୦୦ ବର୍ଷର ହାରାହାରି ହିସାବକୁ ନେଇ ପ୍ରତିମାସରେ ଜଳପ୍ରବାହ ହିସାବ କରାଯିବା ଦରକାର। ଅଧିକନ୍ତୁ, ସେହି ସବୁ ଅଞ୍ଚଳର ଲୋକସଂଖ୍ୟା ଚାଷୀ ଓ ଚାଷର ଆବଶ୍ୟକତାକୁ ଲକ୍ଷ୍ୟକରି ଏଥି ସହିତ ଲୋକଙ୍କ ପାଇଁ ପାନୀୟ ଜଳ ବଣ୍ଟନର ବ୍ୟବସ୍ଥା ନିର୍ଣ୍ଣୟ କରିପାରିଲେ ଜଳ ଆବଣ୍ଟନ ପ୍ରକ୍ରିିୟା ଅଧିକ ଯୁକ୍ତିଯୁକ୍ତ ହେବ। ମହାନଦୀର ଜଳବଣ୍ଟନ ବିଶେଷତଃ ଛତିଶଗଡ଼ର ଲୋକଙ୍କ ଆବଶ୍ୟକତା ଓ ଓଡ଼ିଶାରେ ଥିବା ଲୋକଙ୍କ ଆବଶ୍ୟକତାକୁ ଲକ୍ଷ୍ୟକରି ଧାର୍ଯ୍ୟହେବା ଦରକାର। ଏଥିସହିତ ଆତଯାତ ପଶୁ ସମ୍ପଦ ପାଇଁ ଜଳର ଆବଶ୍ୟକତାକୁ ହିସାବ କରାଯିବା ଦରକାର ଅଛି। ସମସ୍ତେ ମନେରଖିବା ଦରକାର ଯେ, ଶିଳ୍ପ ଆମର ପ୍ରକୃତିଦତ୍ତ ସହଜାତ ବ୍ୟବସ୍ଥା ନୁହେଁ। ତା’ ପାଇଁ ଆବଶ୍ୟକ ଜଳବଣ୍ଟନକୁ ପ୍ରାଥମିକତା ଦିଆଯିବାର ନାହିଁ। ପୂର୍ବୋକ୍ତ ବ୍ୟବସ୍ଥା ପାଇଁ ଜଳବଣ୍ଟନ କରିସାରିବା ପରେ ଦୁଇ ରାଜ୍ୟରେ ଥିବା ଶିଳ୍ପ ଆବଶ୍ୟକତାକୁ ନେଇ ଜଳବଣ୍ଟନ କରାଯାଇପାରେ। ଏ ସମୟରେ ମୁଖ୍ୟତଃ ଦୁଇଟି ରାଜ୍ୟ ଦୃଷ୍ଟି ଦେବା ଉଚିତ୍‌‌ ଯେ, ଉଭୟ ରାଜ୍ୟର ପ୍ରାଥମିକ ଆବଶ୍ୟକତା ମଣିଷ ଓ ପଶୁମାନଙ୍କ ପାଇଁ ପାନୀୟ ଜଳ, ଚାଷ ଓ ଚାଷୀ ପାଇଁ ଆବଶ୍ୟକ ପରିମାଣର ଜଳ ତାହା ପ୍ରକୃତିଦତ୍ତ। ଏଣୁ ସେହି ଅନୁସାରେ ଏ ଜଳବଣ୍ଟନ ପ୍ରଥମେ ନିର୍ଦ୍ଧାରିତ ହେବା ଦରକାର। ଓଡ଼ିଆଙ୍କ କଥାରେ ଅଛି, “ନେଡ଼ିଗୁଡ଼ କହୁଣୀକୁ ବୋହିଗଲା ପୂର୍ବରୁ ଚିନ୍ତା କରିବାର ଥିଲା।” ଆଜି ସେହିପରି ଏକ ଅବସ୍ଥା ଓଡ଼ିଶା ପାଇଁ ସୃଷ୍ଟି ହୋଇଛି।
୨୦୧୨-୧୩ ମସିହାରେ ରାଜ୍ୟ ସରକାରଙ୍କୁ ଜଳ ସମସ୍ୟା ସମ୍ପର୍କରେ ଅନେକ ଭାବରେ ସଚେତନ କରାଯାଇଥିଲା। କିନ୍ତୁ ସରକାର କୌଣସି କାରଣରୁ ସେ ସମ୍ପର୍କରେ ଗୁରୁତ୍ୱ ଦେଲେନାହିଁ। ଅଧିକନ୍ତୁ, ଛତିଶଗଡ଼ର ପାଣି ରୋକିବା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାର ପ୍ରକ୍ରିୟାକୁ ସୁଯୋଗ ଦେଲେ। ଏବେ ସେ ସମ୍ପର୍କରେ ଚିନ୍ତାକରି ଆପୋସ ଆଲୋଚନା ପାଇଁ ବୈଠକ ବସୁଛି। ବସୁ, ସ୍ୱାଗତଯୋଗ୍ୟ। ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ, ଜଳସମ୍ପଦ ମନ୍ତ୍ରୀଙ୍କୁ ଭେଟି ଆପୋସ ଆଲୋଚନା ପାଇଁ ପ୍ରସ୍ତାବ ରଖିସାରିଲେଣି। ଏଥିପାଇଁ ଯେ, କେନ୍ଦ୍ର ଉଭୟ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ରେ ଗୋଟିଏ ଦଳର ସରକାର ରହିଛି। ଲୋକଙ୍କ ହିତ ପାଇଁ ଭାରତର ସାମଗ୍ରିକ ବିକାଶ ପାଇଁ ଚିନ୍ତା କରୁଥିବା କଥା ସେମାନେ କହିଚାଲିଛନ୍ତି। ଆଶା ଓ ବିଶ୍ୱାସ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କର ମଧ୍ୟସ୍ଥତାରେ ଉଭୟ ରାଜ୍ୟର ବୈଠକ ବସି ଏ ସମସ୍ୟାର ଆଶୁ ସମାଧାନ କରାଯିବ। ଏହା ପୂର୍ବରୁ ରାଜ୍ୟ ସରକାର ରାଜ୍ୟର ସଚେତନ ବୁଦ୍ଧିଜୀବୀ, ସମସ୍ତ ସକ୍ରିୟ ରାଜନୈତିକ ଦଳ, ହୀରାକୁଦ ଜଳ ପରିଚାଳନା ଦାୟିତ୍ୱରେ ରହି ଆସିଥିବା ଅଭିଜ୍ଞ ଇଞ୍ଜିନିୟରଙ୍କୁ ଡକାଇ ପରାମର୍ଶ କରିବା ଆବଶ୍ୟକତା ରହିଛି। ସ୍ମରଣ କରିବାକୁ ହେବ ଯେ, ମହାନଦୀର ଜଳବଣ୍ଟନକୁ ନେଇ ଓଡ଼ିଶା ଓ ସେ ସମୟର ମଧ୍ୟପ୍ରଦେଶ ସରକାର ମଧ୍ୟରେ ୧୯୮୩ ମସିହାରୁ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏଥିରେ ଏକ ଯୁଗ୍ମ ବୋର୍ଡ ଗଠନ କରାଯାଇ, ଦୁଇ ରାଜ୍ୟ ମଧ୍ୟରେ ଜଳବଣ୍ଟନକୁ ନିୟନ୍ତ୍ରଣ କରିବା ପ୍ରସ୍ତାବ ଥିଲା। ତାହା ହେଲାନାହିଁ। ଅଧିକନ୍ତୁ, ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବଙ୍କର ବକ୍ତବ୍ୟ ଅନୁସାରେ ଓଡ଼ିଶା ସହ ପରାମର୍ଶ କରା ନଯାଇ ଛତିଶଗଡ଼ ସରକାର କଲମା ବ୍ୟାରେଜ୍‌‌, ସାରତି ବ୍ୟାରେଜ୍‌‌, ବସନ୍ତପୁର ବ୍ୟାରେଜ୍‌‌, ସିଓନାରାୟଣପୁର ବ୍ୟାରେଜ୍‌‌, ମିଲୁନି ବ୍ୟାରେଜ୍‌‌, ସମତା ବ୍ୟାରେଜ୍‌‌ ଆଦି ନିର୍ମାଣ କରିଛନ୍ତି। ଏଥିପାଇଁ ଅଣ ମୌସୁମି ସମୟରେ ଓଡ଼ିଶାରେ ଜଳ ସଂକଟ ଦେଖାଦେବ। ଶ୍ରୀ ମହତାବ ଏହି ବକ୍ତବ୍ୟ ରଖିଲା ବେଳେ ସେ ବିଜୁ ଜନତା ଦଳର ସଦସ୍ୟ ଥିଲେ ଏବଂ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ସଦସ୍ୟ ଅଛନ୍ତି। ଛତିଶଗଡ଼ ସହ ଆଲୋଚନା ସମୟରେ ରାଜ୍ୟ ସରକାର ତାଙ୍କର ସହାୟତା ନେଇପାରିଲେ କାର୍ଯ୍ୟ ଅଧିକ ସୁଗମ ହେବ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories