ସମାଜ ଡିଜିଟାଲ ଡେସ୍କ: ଭାରତୀୟ ବାୟୁସେନା ମୁଖ୍ୟ ଶନିବାର ଏକ ବଡ଼ ଦାବି କରିଛନ୍ତି। ଭାରତର ଏସ-୪୦୦ ମିଜାଇଲ ସିଷ୍ଟମ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର ୫ଟି ଯୁଦ୍ଧ ବିମାନକୁ ଖସାଇ ଦେଇଛି ବୋଲି ବାୟୁସେନା ମୁଖ୍ୟ ଏ.ପି. ସିଂହ କହିଛନ୍ତି। ଏହା ବ୍ୟତୀତ ଗୋଟିଏ ଏୟାରବୋର୍ନ ଅର୍ଲି ଓ୍ବାର୍ଣ୍ଣିଂ ଆଣ୍ଡ କଂଟ୍ରୋଲ/ଇଲେକଟ୍ରୋନିକ ଇଣ୍ଟେଲିଜେନ୍ସ (ଏଇଡବ୍ଲ୍ୟୁଆଣ୍ଡସି/ଇଏଲଆଇଏନଟି) ବିମାନକୁ ବି ୩୦୦ କିମି ଦୂରରୁ ଆକାଶରେ ନଷ୍ଟ କରିଦିଆଯାଇଛି। କେବଳ ଏତିକି ନୁହେଁ ଜେକବାବାଦସ୍ଥିତ ବିମାନ ହ୍ୟାଙ୍ଗରରେ ଥିବା କିଛି ଏଫ-୧୬ ଯୁଦ୍ଧ ବିମାନ ଏବଂ ଏଇଡବ୍ଲ୍ୟୁଆଣ୍ଡସିକୁ ନଷ୍ଟ କରାଯାଇଛି।
ଏୟାର ଚିଫ ମାର୍ଶଲ ଏ.ପି. ସିଂହଙ୍କ କହିବା ଅନୁସାରେ, ଅପରେସନ ସିନ୍ଦୂର ସମୟରେ ଭାରତ ନିଜର ବାୟୁ କ୍ଷେତ୍ରକୁ ମଜଭୁତ କରିବା ଲାଗି ଏସ-୪୦୦ର ବ୍ୟବହାର କରିଥିଲା। ଏହା ରୁଷଠାରୁ କିଣାଯାଇଥିବା ଏକ ଉନ୍ନତ ଭୂପୃଷ୍ଠରୁ ବାୟୁକୁ ନିକ୍ଷେପ କରାଯାଉଥିବା ମିଜାଇଲ ସିଷ୍ଟମ। ଏହା ୪୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ।
ଅପରେସନରେ ଏସ-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅତି ଉନ୍ନତ ପ୍ରଦର୍ଶନ କରିଥିଲା ଏବଂ ୫ଟି ପାକିସ୍ତାନୀ ଯୁଦ୍ଧ ବିମାନକୁ ଆକାଶରେ ଧ୍ବଂସ କରିଦେଇଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଗୋଟିଏ ଏଇଡବ୍ଲ୍ୟୁଆଣ୍ଡସି/ଇଏଲଆଇଏନଟି ବିମାନକୁ ୩୦୦ କିଲୋମିଟର ଦୂରରୁ ସଠିକ୍ ଭାବେ ଟାର୍ଗେଟ କରି ଖସାଇଥିଲା। ଯାହା ଏହି ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ରେଞ୍ଜ ଏବଂ ନିର୍ଭୁଲତାକୁ ଦର୍ଶାଉଛି। ଏଇଡବ୍ଲ୍ୟୁଆଣ୍ଡସି/ଇଏଲଆଇଏନଟି ବିମାନ ଶତ୍ରୁପକ୍ଷର ଗତିବିଧି ଉପରେ ନଜର ରଖିବା ଏବଂ ଆକାଶମାର୍ଗରୁ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବାରେ ବ୍ୟବହାର କରାଯାଇଥାଏ। ସେଥିଲାଗି ଏହା ନଷ୍ଟ କରିଦିଆଯିବା ଦ୍ଵାରା ପାକିସ୍ତାନକୁ ବଡ଼ ଝଟକା ଲାଗିଥିଲା।
ସିଂହ ଦାବି କରିଛନ୍ତି ଯେ, ଜେକବାବାଦ ବିମାନଘାଟିରେ ରହିଥିବା ଏଫ-୧୬ ଯୁଦ୍ଧବିମାନକୁ ନଷ୍ଟ କରିଦିଆଯାଇଥିଲା। ଏହି ବିମାନ ପାର୍କିଂରେ ଥିଲା। କିନ୍ତୁ ନିର୍ଭୁଲ ଗୁଇନ୍ଦା ତଥ୍ୟ ଆଧାରରେ ଭାରତୀୟ ସେନା ସେଠାରେ ଆକ୍ରମଣ କରିଥିଲା। ସେହିଭଳି ଭୋଲାରି ବିମାନଘାଟିରେ ମଧ୍ୟ ଗୋଟିଏ ଏଇଡବ୍ଲ୍ୟୁଆଣ୍ଡସି/ଇଏଲଆଇଏନଟି ବିମାନକୁ ନଷ୍ଟ କରାଯାଇଛି। ଏସବୁରୁ ସ୍ପଷ୍ଟ ହୋଇଛି ଯେ, ଭାରତ ନିକଟରେ ଶତ୍ରୁଙ୍କ ଗତିବିଧିର ସଠିକ୍ ତଥ୍ୟ ଥିଲା। ଠିକ୍ ସମୟରେ ତାହାର ବ୍ୟବହାର କରାଯାଇଥିଲା।



