ଭୁବନେଶ୍ବର: ନିକଟରେ ଋଷିଆରେ ଏକ ବଡ଼ ଭୂମିକମ୍ପ ହେବା ପରେ ସୁନାମି ଆସିଥିଲା। ଜାପାନ ଓ ଆମେରିକୀୟ ଏଜେନ୍ସି ଗୁଡ଼ିକ ସୁନାମି ସତର୍କତା ଜାରି କରିଥିଲେ। ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମିର ବିପଦ ମୁଖ୍ୟତଃ ଭୂମିକମ୍ପ, ସାମୁଦ୍ରିକ ଜ୍ୱାଳାମୁଖୀ କିମ୍ବା ଭୂସ୍ଖଳନ ଭଳି ପ୍ରାକୃତିକ କାରଣ ଯୋଗୁଁ ହୋଇପାରେ। ଓଡ଼ିଶା ମଧ୍ୟ ସୁନାମି ଦ୍ବାରା ପ୍ରଭାବିତ ହେବାର ଆଶଙ୍କା ରହିଛି। ବୈଜ୍ଞାନିକଙ୍କ ଆକଳନ ଅନୁସାରେ ଓଡ଼ିଶା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ପୁରୀ, କୋଣାର୍କ, ବାଲେଶ୍ୱର ଏବଂ ଗଞ୍ଜାମ ଜିଲାର ଗୋପାଳପୁର ସୁନାମିରେ ପ୍ରଭାବିତ ହୋଇପାରେ।
ସୁନାମି କେବଳ ଓଡ଼ିଶା ନୁହେଁ, ଭାରତର ଅନ୍ୟ କିଛି ରାଜ୍ୟ ଓ ସହରକୁ ମଧ୍ୟ ପ୍ରଭାବିତ କରିପାରେ। ଇଣ୍ଡିଆନ ନ୍ୟାସନାଲ ସେଣ୍ଟର ଫର ଓସନ ଇନଫର୍ମେସନ ସର୍ଭିସେସ (ଆଇଏନସିଓଆଇଏଏସ) ଦ୍ୱାରା ଏସବୁ ସ୍ଥାନ ଚିହ୍ନଟ କରାଯାଇଛି। ସୁନାମିରେ ତାମିଲନାଡୁର ଚେନ୍ନଇ, କନ୍ୟାକୁମାରୀ, କୁଡ୍ଡାଲୋର, ନାଗାପଟ୍ଟିନମ ଏବଂ ତୁତିକୋରିନ (ଥୁଥୁକୁଡି)ପ୍ରଭାବିତ ହୋଇପାରେ। ଓଡ଼ିଶାର ପୁରୀ, ବାଲେଶ୍ୱର,ପାରାଦ୍ବୀପ, ଏବଂ ଗୋପାଳପୁର ସହର ଏହି ତାଲିକାରେ ରହିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଏବଂ ମଛଲିପଟ୍ଟନମ, କେରଳର କୋଲ୍ଲମ ଏବଂ ତିରୁଅନନ୍ତପୁରମ ରହିଛି। ସେହିପରି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ପୋର୍ଟ ବ୍ଲେୟାର ଏବଂ ପୁଡୁଚେରୀର କାରିକାଲ ସୁନାମି ଜୋନ୍ରେ ରହିଛି। ସୁନାମି ସାଧାରଣତଃ ସମୁଦ୍ର ତଳେ ଭୂମିକମ୍ପ, ଜ୍ୱାଳାମୁଖୀ ବିସ୍ଫୋରଣ କିମ୍ବା ଭୂସ୍ଖଳନ ଯୋଗୁଁ ସୃଷ୍ଟି ହୁଏ।
ବନ୍ୟା ଓ ବାତ୍ୟା ପରି ଭୂକମ୍ପ ଦ୍ବାରା ସୁନାମି ଏକ ପ୍ରାକୃତିକ ବିପର୍ଯ୍ୟୟ। ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରି ସୁନାମିରେ ମଧ୍ୟ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି। ଭାରତର ଅନେକ ଅଞ୍ଚଳ ଭୂକମ୍ପ ପ୍ରବଣ ଅଞ୍ଚଳରେ ଆସୁଥିବା ବେଳେ ପୂର୍ବାଞ୍ଚଳ ମଧ୍ୟରେ ଓଡ଼ିଶାର ୧୬ଟି ଜିଲା ଜୋନ୍-୩ ଏବଂ ୧୪ଟି ଜିଲା ଜୋନ୍-୨ରେ ରହିଛି। ଅଧିକ ବିପଦ ଥିବା ଅଞ୍ଚଳରେ ଉପକୂଳବର୍ତ୍ତୀ ଅଞ୍ଚଳରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାର ସମ୍ବଲପୁର ଏବଂ ଉତ୍ତର ଓଡ଼ିଶାର ବାଲେଶ୍ବର ରହିଛି। ଜୋନ-୨ରେ ଦକ୍ଷିଣ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳ ରହିଛି। ଜୋନ୍-୩ରେ ଅଧିକାଂଶ ଅଞ୍ଚଳ ଆସୁଥିବାରୁ ଭୂକମ୍ପ ଦ୍ବାରା ସୁନାମି ପ୍ରତି ଓଡ଼ିଶାକୁ ବିପଦ ରହିଥିବା କୁହାଯାଉଛି। ଭୂକମ୍ପପ୍ରବଣ ଅଞ୍ଚଳ ଅନୁସାରେ ଜୋନ୍-୩ରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ ଏବଂ ବାଲେଶ୍ବର ଆସୁଛି। ଏହି ଜୋନ୍ରେ ରିକ୍ଟର ସ୍କେଲ୍ରେ ୭ପର୍ଯ୍ୟନ୍ତ ଭୂକମ୍ପ ହୋଇପାରେ। ସେହିପରି ଜୋନ୍-୨ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼ ଏବଂ କେନ୍ଦ୍ରାପଡ଼ା ଅନ୍ତର୍ଭୁକ୍ତ। ଏହି ଜୋନ୍ରେ ସର୍ବାଧିକ ରିକ୍ଟର ସ୍କେଲରେ ୪ ପର୍ଯ୍ୟନ୍ତ ଭୂକମ୍ପ ହୋଇପାରେ, ଯାହାକି ବିଶେଷ କ୍ଷତି କରିବାର ସମ୍ଭାବନା ନାହିଁ। ହେଲେ, ଜୋନ୍-୩ରେ ଭୂକମ୍ପ ହେଲେ ବ୍ୟାପକ ଘରଦ୍ବାର, ଧନଜୀବନ କ୍ଷତିର ସମ୍ଭାବନା ରହିଛି। ସମଗ୍ର ଜଗତସିଂହପୁର ଜିଲା କେବଳ ମଧ୍ୟମ ଧରଣ କ୍ଷତି ଜୋନ୍ ଅଧୀନରେ ଆସୁଥିବାବେଳେ ମଧ୍ୟମ ଧରଣର ବିପଦ ଜୋନ୍ ଥିବା ଅନ୍ୟ ସମସ୍ତ ଜିଲାର କିଛି ଅଂଶ ମଧ୍ୟ କମ୍ କ୍ଷତି ଜୋନ୍ ଅଧୀନରେ ରହିଛି। ରାଜଧାନୀ ବ୍ୟତୀତ କଟକ, ସମ୍ବଲପୁର, ବରଗଡ଼, ଅନୁଗୋଳ, ପୁରୀ, ପାରାଦ୍ବୀପ ବନ୍ଦର ଓ ହୀରାକୁଦ ଡ୍ୟାମ୍ ଭଳି ପ୍ରମୁଖ ଅଞ୍ଚଳ ମଧ୍ୟମଧରଣର ବିପଦ ସଙ୍କୁଳ ଭୂକମ୍ପ ଅଞ୍ଚଳ ମଧ୍ୟରେ ରହିଛି।
ସୁନାମି ମୁହଁରେ ଓଡ଼ିଶାର ୪ ସହର
Popular Categories



