କଟକ/କେନ୍ଦୁଝର: ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଆୟୋଜିତ ୬୪ତମ ଆନ୍ତଃଜିଲା ସିନିୟର ପୁରୁଷ ଫୁଟବଲ ଚମ୍ପିଆନସିପ ସାହାଣୀ କପ୍ରେ କଟକ ଚମ୍ପିଆନ ଓ ସମ୍ବଲପୁର ରନର୍ସଅପ ହୋଇଛି। ଦୁଇ ଚରଣ ବିଶିଷ୍ଟ ଫାଇନାଲକୁ କଟକ ୨-୧ରେ ଜିତି ଚମ୍ପିଆନ ହୋଇଛି। ରବିବାର କେନ୍ଦୁଝର ଷ୍ଟାଡିୟମରେ କଟକ-ସମ୍ବଲପୁର ୨ୟ ଲେଗ୍ ଫାଇନାଲ ୧-୧ ଗୋଲ ବରାବରରେ ଶେଷ ହୋଇଥିଲା। କଟକ ପକ୍ଷରୁ ଲଖାଇ ମୁର୍ମୁ ୪୦ ମିନିଟ୍ରେ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ୯୦ ମିନିଟ୍ରେ ସମ୍ବଲପୁର ପକ୍ଷରୁ ପ୍ରଶାନ୍ତ ଓରାମ ଗୋଲ ଦେଇ ମ୍ୟାଚକୁ ୧-୧ ବରାବର କରିଥିଲେ। ବୌଦ୍ଧରେ ଖେଳାଯାଇଥିବା ପ୍ରଥମ ଚରଣ ଫାଇନାଲକୁ କଟକ ୧-୦ ଗୋଲରେ ଜିତି ୨-୧ ଗୋଲରେ ବିଜେତା ହୋଇଛି। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚମ୍ପିଆନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିବା ସହିତ ସହିଦ ରାଜକିଶୋର ମୁଣ୍ଡାଙ୍କ ପତ୍ନୀ ସୁନିତା ମୁଣ୍ଡାଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ସାହାଣୀ କପ୍ନା ମଟି କେବଳ ଜୟ ବା ପରାଜୟ ସହ ନୁହେଁ, ବରଂ ଶ୍ରମ, ସଂଘର୍ଷ ଏବଂ ଦଳୀୟ ଆତ୍ମାର ସମ୍ମିଳିତ ପରିଣାମ। ଏହି ପ୍ରତିଯୋଗିତା କେବଳ ଆମର ଯୁବ ଖେଳାଳିଙ୍କ ଅବିଶ୍ବସନୀୟ ପ୍ରତିଭା ଏବଂ ଦୃଢ଼ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳିତ କରୁନାହିଁ ବରଂ ଆମ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ଏବଂ ଶାରୀରିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ଆମର ସାମୂହିକ ପ୍ରତିଶ୍ରୁତିବଦ୍ଧତାକୁ ମଧ୍ୟ ପ୍ରତିଫଳିତ କରୁଛି। ତୃଣମୂଳସ୍ତରରେ କ୍ରୀଡ଼ାର ବିକାଶ ନିମନ୍ତେ ୩୧୪ଟି ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ୪ ହଜାର ୧୨୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହାର ଭିଭିପ୍ରସ୍ତର ସ୍ଥାପନ ମଧ୍ୟ ହୋଇଛି। ଦୁଃସାହସିକ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାକୁ ମନାଲିରେ ଆୟୋଜିତ ଶୀତକାଳୀନ ଦୁଃସାହସିକ କ୍ରୀଡ଼ା ଶିବିରରେ ୧୦୦ରୁ ଅଧିକ ଯୁବ ପ୍ରତିଭାଙ୍କ ଅଂଶଗ୍ରହଣ ଆମ ପାଇଁ ନିଶ୍ଚିତ ଭାବେ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର ଓ କୋରାପୁଟକୁ କ୍ରୀଡ଼ା ହବ୍ ଭାବେ ବିକଶିତ କରାଯିବା ସହ ସାରା ରାଜ୍ୟରେ ବିଶ୍ବସ୍ତରୀୟ ସୁବିଧା ଉପଲବ୍ଧ କରାଯାଉଛି। ତୃଣମୂଳସ୍ତରରୁ ପ୍ରତିଭାକୁ ଚିହ୍ନଟ ଓ ରାଜ୍ୟ ଫୁଟବଲ୍ ଦଳ ଗଠନ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଟ୍ରଫି ୧୫ ବର୍ଷରୁ କମ୍ ଫୁଟବଲ୍ ଚମ୍ପିଅାନସିପ୍ ଆରମ୍ଭ ହୋଇଛି।
ଓଡ଼ିଶା ସରକାରଙ୍କ ମୁଖ୍ୟ ସଚେତକ ସରୋଜ କ୍ୁମାର ପ୍ରଧାନ, ପୁଟବଲ ଆସୋସିଏସନ ଅଫ ଓଡ଼ିଶା ସଭାପତି ତଥା ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, କେନ୍ଦୁଝର ଜିଲାପାଳ ବିଶାଳ ସିଂହ, କେନ୍ଦୁଝର ଏସ୍ପି ନୀତିନ କୁଶାଲ କର, ଫାଓ ଉପସଭାପତି ସହଦେବ ରାଉତ, ଯୁଗ୍ମ ସମ୍ପାଦକ ଅଭିଜିତ ପାଲ, ବିଶ୍ବରଞ୍ଜନ ଘଡେଇ, ଓଓଏ ଉପ ସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ, ସୁନ୍ଦରଗଡ଼ ଜିଲା କ୍ରୀଡ଼ା ସଂସଦ ଯୁଗ୍ମ ସମ୍ପାଦକ ବିଶ୍ବରଞ୍ଜନ ଘଡେଇ, ସମ୍ପାଦ ପ୍ରଭାତ ଭୋଳ, ଭଦ୍ରକ ଜିଲା କ୍ରୀଡ଼ା ସଂସଦ ସମ୍ପାଦକ ଧିରେନ ପଲେଇ, ପାରାଦ୍ବୀପ ଡିଏଏ ସମ୍ପାଦକ ରବୀନ୍ଦ୍ର କୁମାର ଦାସ, ସାହାଣୀ କପ କେନ୍ଦୁଝର ଜୋନ କନଭେନର ଗଣେଶ୍ବର ମାହାତୋ, କେଡିଏଏ ସମ୍ପାଦକ ଜନାର୍ଦ୍ଦନ ଦାସ ଯୋଗ ଦେଇଥିଲେ। ଚମ୍ପିଆନ ଦଳ କଟକକୁ ୧ ଲକ୍ଷ ଓ ରନର୍ସଅପ ସମ୍ବଲକୁରପୁ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ଅତିରିକ୍ତ ଭାବେ ସୁନୀଲ ସାହୁ ଓ ଗୌରୀ ଶଙ୍କର ସାହାଣୀଙ୍କ ପକ୍ଷରୁ ଚମ୍ପିଅାନ ଦଳକୁ ୨୫ ହଜାର ଓ ରନର୍ସଅପ ଦଳକୁ ୧୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରା ଯାଇଥିଲା।



