www.samajalive.in
Friday, December 5, 2025
26.1 C
Bhubaneswar

ବହୁଳତାବାଦୀ ଭାରତୀୟତା

ଭୁବନେଶ୍ଵର: ପ୍ରସଙ୍ଗ ଅତି ଗୁରୁତ୍ବପୂର୍ଣ୍ଣ କାରଣ ୟା ସହିତ ରହିଚି ବହୁଜାତୀୟତା, ବହୁସାଂସ୍କୃତିକତା, ବହୁଧର୍ମୀୟତା, ବହୁଭାଷିକତା, ବହୁକ୍ଷେତ୍ରୀୟତା, ବହୁବୈଚାରିକତା ଓ ବହୁସଂସର୍ଗତାର ରହସ୍ୟମୟ, ସଘନ ବହୁ ଉପପାଠ। ବହୁଳତାବାଦର ଯେଉଁ ବ୍ୟାଖ୍ୟା କରାଯାଇଚି ସେ ସବୁରେ ବିବିଧତା ଓ ବୈଚିତ୍ର୍ୟର ବହୁ ସୁନ୍ଦର ଚିତ୍ର ମାଧ୍ୟମରେ ଗୋଟିଏ ସମ୍ଭାବ୍ୟ ଏକକର ଚିତ୍ର ଦିଆଯାଇଚି; କିନ୍ତୁ ଏକୀକରଣର ଦୈନନ୍ଦିନ ପ୍ରକ୍ରିୟା ଯେ ଗୋଟେ ବିବିଧତାମୟ ଦେଶର ବା ରାଷ୍ଟ୍ରର ଏକୀକରଣର ସ୍ବପ୍ନକୁ ବଞ୍ଚେଇ ରଖିବା ପାଇଁ ଜରୁରୀ, ଏକଥା କେହି କହୁନାହାନ୍ତି।
ସ୍ବୀକାର କରିବାକୁ ହେବ ଯେ ବିବିଧତାରେ ଏକତ୍ୱ ପ୍ରାପ୍ତି ଗୋଟେ ବହୁଳତାମୟ ଦେଶରେ ସ୍ୱାଭାବିକ ନୁହେଁ। ୟାକୁ ସମ୍ଭବ କରାଇବା ଦେଶର ସର୍ବୋଚ୍ଚ ଲକ୍ଷ୍ୟ ହେବା ଉଚିତ। କିନ୍ତୁ ହବ କେମିତି? ଲୋକଚଳନ ବିଶ୍ୱରେ ବହୁଳତାବାଦର ଉତ୍ସ। ଲୋକଚଳନ ବନ୍ଦ କରି ଗୋଟିଏ ଅବରୁଦ୍ଧ ରାଷ୍ଟ୍ର ତିଆରିକରିବା ସମ୍ଭବ ନୁହେଁ। ଲୋକେ ଯୁଆଡ଼େ ଯିବେ ଭାଷା ଓ ସଂସ୍କୃତି ସିଆଡ଼େ ଯିବେ। ସଂସ୍କୃତି ଭିତରେ ଧର୍ମ ରହିବେ, ପରମ୍ପରାର ନ୍ୟୂନତମ ଅସମାପ୍ୟ ଅବଶେଷ ଟିକେ ଟିକେ ରହିବେ। ଅବଚେତନ ଓ ଅଚେତନରେ କିଛି କିଛି ଧୂମାଳ ଅର୍ଦ୍ଧପରିଚିତି ରହିବେ। ରହିବାର ଅର୍ଥ ଏଇ ଯେ ଲୋକର ସାମାଜିକ ଓ ରାଜନୈତିକ ବର୍ତ୍ତମାନ ଯାହା ବି ହେଉ ତାର ଧର୍ମ, ପରମ୍ପରା ଓ ଅବଚେତନ ଓ ଅଚେତନ ସହିତ ତାର ଗୋଟେ ଜୈବ ପରିଚିତି ରହିବ। ଇଏ କେତେ ଦୃଢ଼ ତାହାରି ଉପରେ ନିର୍ଭର କରିବ ତାର ଭୂଲଗ୍ନତା। ଇଏ ମୋ ଦେଶ, ଇଏ ମୋ ରାଷ୍ଟ୍ର, ଇଏ ମୋ ମା’ ଏହି ଭାବ ଜାଗ୍ରତ ରହିବା ପାଇଁ ଯେଉଁ ଜୈବ ଏକାତ୍ମତା ଲୋଡ଼ା ତାହା ସେହି ଭୂଲଗ୍ନ ଭାବ। ଭାରତ ମୁଖ୍ୟତଃ ସନାତନୀ ହିନ୍ଦୁ, ବୌଦ୍ଧ ଓ ଜୈନଙ୍କ ଦେଶ।
ଏମାନଙ୍କ ସହିତ ଖ୍ରୀଷ୍ଟିଆନ, ମୁସଲମାନ, ଜୋରାଷ୍ଟ୍ରିଆନ ଓ ଅନ୍ୟ ଧର୍ମାବଲମ୍ବୀ ଅଛନ୍ତି। ହିନ୍ଦୁଙ୍କର ଧର୍ମାନ୍ତରଣ ନାହିଁ। କିନ୍ତୁ ଅନ୍ୟ ଧର୍ମମାନଙ୍କରେ ଧର୍ମାନ୍ତରଣ ଅଛି। ଅନ୍ୟ ଭାବରେ କହିଲେ ଭାରତର ପ୍ରାୟ ସବୁ ହିନ୍ଦୁ ମୂଳରୁ ହିନ୍ଦୁ। କିନ୍ତୁ ସବୁ ଅନ୍ୟ ଧର୍ମାବଲମ୍ବୀ ମୂଳରୁ ସେ ଧର୍ମର ନହୋଇପାରିଥାନ୍ତି। ଏହି ପରିପ୍ରେକ୍ଷୀରେ କିଛି ଧର୍ମ ଛାଡ଼ିଲେ, କିଛି ଆସିଲେ। ଅଶୀ ପ୍ରତିଶତ ହିନ୍ଦୁ ଓ ପନ୍ଦର ପ୍ରତିଶତ ମୁସଲମାନଙ୍କୁ ନେଇ ଭାରତ। ଖ୍ରୀଷ୍ଟିଆନ ଓ ଅନ୍ୟ ଧର୍ମାବଲମ୍ବୀଙ୍କର କ୍ଷୁଦ୍ର ସମୁଦାୟ ଭାରତର ବିଭିନ୍ନ କ୍ଷେତ୍ରରେ ସୁପ୍ରତିଷ୍ଠିତ। ହିନ୍ଦୁ ଓ ମୁସଲମାନଙ୍କ ଭିତରେ ସମସ୍ୟା ଅଛି, କାରଣ କ୍ଷେତ୍ରୀୟ ଧର୍ମ ବିତରଣରେ କେତେକ ରାଜ୍ୟରେ ମୁସଲମାନ କ୍ଷେତ୍ରୀୟ ଗରିଷ୍ଠତା ଭିତ୍ତିରେ ଓ ତା’ର ରାଜନୈତିକ ସ୍ୱୀକୃତିର ଆଧାରରେ ନିଜର ଧର୍ମୀୟ ସଂସ୍କାର ଓ ରାଜନୈତିକ ଅଧିକାର ସାବ୍ୟସ୍ତ କରିବାରେ ଆଗ୍ରହୀ। ତାହା ସ୍ୱାଭାବିକ ଓ ତା ପାଇଁ ଭାରତର ସମ୍ବିଧାନ ଅନୁକୂଳ। ବସ୍ତୁତଃ ସବୁ ବିଭେଦର ଗଣତାନ୍ତ୍ରିକ ସମାଧାନ ଭାରତରେ ସମ୍ଭବ। ସବୁ ସଂଖ୍ୟାଲଘୁଙ୍କ ପାଇଁ ସୁରକ୍ଷା ଅଛି। ବରଂ କହିପାରନ୍ତି ଏ ଉଦାର ଦେଶରେ ସଂଖ୍ୟା ଗରିଷ୍ଠ ଙ୍କ ପାଇଁ କୌଣସି ସ୍ୱତନ୍ତ୍ର ସୁଯୋଗ ବା ଅଧିକାର ନାହିଁ। ୟାର କାରଣ ଏଇଆ ଯେ ଯିଏ ଏ ଦେଶର ପ୍ରାଚୀନତମ, ମୌଳିକ ଓ ଆସ୍ଥାଗତ ସନାତନୀ ସିଏ ବହୁ ପ୍ରସାରିତ କରି ଅନ୍ୟ ସମସ୍ତଙ୍କୁ କୋଳେଇନେବ। ଏହା ହିଁ ଘଟିଚି ଖ୍ରୀଷ୍ଟିଆନ ଓ ଇସ୍‌ଲାମ ବହୁଳ ରାଷ୍ଟ୍ରମାନଙ୍କରେ। କିନ୍ତୁ ସେଠାରେ କୌଣସି ସଂଖ୍ୟାଲଘୁ ଅନ୍ୟ ଧର୍ମର ଲୋକେ ସ୍ବପ୍ରତିଷ୍ଠା ପାଇଁ ଧର୍ମକୁ ଅସ୍ତ୍ର କରି ଲଢ଼ନ୍ତି ନାହିଁ ବା ବହୁଗୁଣରେ ସଂଖ୍ୟାଗରିଷ୍ଠଙ୍କ ଆଗରେ ପତିଆରା ଦେଖାନ୍ତି ନାହିଁ।
ଡାନିଏଲ ପାଟ୍ରିକ ମୋଇନିହନ (ଗ୍ଲେଜ଼ାରଙ୍କ ସହିତ)ତାଙ୍କର ‘ବିୟଣ୍ଡ ଦ ମେଲଟିଙ୍ଗ ପଟ’ ବହିରେ ଏ ନିଷ୍କର୍ଷରେ ଉପନୀତ ହୋଇଚନ୍ତି ଯେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ନ୍ୟୁୟର୍କ ଭଳି ଗୋଟେ ମହାନଗରର ବିଶ୍ୱମୁଖୀ ସାଧାରଣୀକରଣ ସତ୍ତ୍ବେ ନିଜର ଅସ୍ତିତ୍ୱ ହରାଇ ଆମେରିକାନ ମୁଖ୍ୟସ୍ରୋତରେ ବିଲୀନ ହେବେନାହିଁ। କିଛି ନା କିଛି ଘଟେଇବେ ଓ ତାଙ୍କ ନିଜ ସମ୍ପ୍ରଦାୟକୁ ବଞ୍ଚେଇବେ। ଅର୍ଥାତ୍‌ ତାଙ୍କ ଭିତରେ ଗୋଟେ ଅସ୍ତିତ୍ବ ସନ୍ଧାନର ପ୍ରେରଣା ସବୁବେଳେ ରହିବ। ଏ ବହି ଥିଲା ବିଂଶ ଶତାବ୍ଦୀର ଷଷ୍ଠ ଦଶକର ଏକ ବହୁ ଚର୍ଚ୍ଚିତ ଓ ବହୁ ପ୍ରସାରିତ ବହି। ୟାର ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ବକାଳ ପରେ ଏବେ ଏକ ସୁଦୀର୍ଘ ଉପକ୍ରମଣିକା ସହିତ ଆସିଚି ସେ ବହିର ଏକ ନୂଆ ସଂସ୍କରଣ। ଏଥିରେ ସ୍ପଷ୍ଟ କରାଯାଇଚି ଯେ ୧୯୬୦ରେ ସ୍ଥିତି ଯାହା ଥିଲା ତାହା ଏତେ ଦୀର୍ଘକାଳ ପରେ ବି ବଦଳିନି। ସଂଖ୍ୟାଲଘୁ ସେହିପରି ଅଛନ୍ତି, ଆମେରିକାନ ମୁଖ୍ୟ ସ୍ରୋତରେ ମିଶି ନାହାନ୍ତି; କିନ୍ତୁ ଏମାନେ ସମସ୍ତେ ଆମେରିକାନ। ସମସ୍ତେ ଆମେରିକାନ? ତାହେଲେ ଆମେରିକାର ନୂଆପିଢ଼ିର ଉତ୍‌ପ୍ରବାସୀ ସୃଜନଶୀଳ ରଚନାରେ ଏତେ ଛିନ୍ନମୂଳ ଭାବ କାହିଁକି? କାହିଁକି ଆମେରିକାର ଜଣେ ବିଚକ୍ଷଣା, ବହୁପୁରସ୍କୃତ କବି ଦିବ୍ୟା ଭିକ୍ଟର ନିଜକୁ ଏସିଆନ ଆମେରିକାନ ବୋଲି ଚିହ୍ନାଦିଅନ୍ତି? ୟାର ଅର୍ଥ ଆମେରିକାର ଯୋଡ଼ିଏ ଯୋଡ଼, ଗୋଟିଏ ମିଛଯୋଡ଼, ଗୋଟିଏ ସତଯୋଡ଼। ଭିତର ପ୍ରକୃତରେ ପୋଲା, ଅର୍ଥାତ୍‌ ଆମେରିକାର ସଂଖ୍ୟାଲଘୁ ସମ୍ପ୍ରଦାୟଗୁଡ଼ିକ ଏ ପର୍ଯ୍ୟନ୍ତ ମୁଖ୍ୟସ୍ରୋତରେ ମିଶିନାହାନ୍ତି। କିନ୍ତୁ ବାହାରେ ଜବର ଯୋଡ଼। ଏ ଯୋଡ଼ଟି ଆମେରିକାନିଜିମ୍‌। ନିୟୁଜଉଇକ ପତ୍ରିକା ଘୋଷଣା କଲେ ଯେ, ବିଶ୍ୱକୁ ଆମେରିକାର ଶ୍ରେଷ୍ଠ ଅବଦାନ ପୁଞ୍ଜିବାଦ ନୁହେଁ କି ଟେକ୍ନୋଲୋଜି ନୁହେଁ, ଆମେରିକୀବାଦ। ୟାର ମର୍ମ ଏଇ ଯେ ସମ୍ପନ୍ନତା, ସ୍ୱଚ୍ଛଳତା, ଜୀବନଶୈଳୀ, ସୁଯୋଗ-ସୁବିଧା ସବୁଥିରେ ଉନ୍ନତ ହେବାର ଗୋଟିଏ ଭାବ। ଜଣେ ଯେତେବେଳେ ଆମେରିକାରେ ଅଛି ବୋଲି କହେ, ଆମ ଆଖିରେ ଏହି ଭାବ ଉକୁଟେ। ଆମେ ଭାବିପାରୁନେ ଲୋକଟି ଘୋର ସାଂସ୍କୃତିକ ଏକୁଟିଆପଣରେ ଥାଇପାରେ। ଭବାନୀପାଟଣା ବା ଭୋଗରାଇ ବା ଜଳନ୍ଧର ବା ଥିରୁଚିରାପଲ୍ଲୀର ପିଲାଟିଏ ଆଇଟି କମ୍ପାନୀରେ ଅଛି ମାନେ ଭଲରେ ଅଛି। ଯାହା ପାରିଶ୍ରମିକ ପାଏ ତାକୁ ସିଧା ଟଙ୍କାରେ ବଦଳେଇ ଆମେ କହୁ ମାସକୁ ସାତଲକ୍ଷ। କିନ୍ତୁ ବୋଷ୍ଟୋନ ବା ନ୍ୟୁୟର୍କରେ ଏ ତାକୁ କେତେ ସ୍ୱଚ୍ଛଳ ରଖିପାରେ? ପ୍ୟାକେଜ ବୋଲି ଯାହାକୁ କୁହାଯାଏ ସେଇଟି ଖୋଲିଦେଲା ପରେ ପାରିଶ୍ରମିକ ଅଧାକୁ ଖସିଆସେ। ପିଲାଟି ଉପରେ ଆଉଜିପଡ଼େ ମଧ୍ୟବିତ୍ତ ପରିବାର। ପିଲାଟି ଋଣ କରେ, ଘରକିଣେ, ପତିଆରା ଦେଖାଏ, ଭିତରେ ଭିତରେ ମରି ମରି ଯାଏ। ତୃତୀୟ ଶ୍ରେଣୀର ନାଗରିକ ବା ଅଣନାଗରିକ ହୋଇ ରହିବାର ଦୁଃଖ ସେ କହିପାରେନି କାହାକୁ। ନିଜ ସ୍ତ୍ରୀକୁ ବି ନୁହେଁ। ପିଲା ଜନ୍ମ ହୁଅନ୍ତି, ଆମେରିକାନ ବାଇ ବାର୍ଥ! ପିଲାଏ ରହିଯାନ୍ତି ସେଇଠି ତୃତୀୟ ଶ୍ରେଣୀର ଆଜନ୍ମ ନାଗରିକ, ବୁଢ଼ାବୁଢ଼ୀ ପଳେଇ ଆସନ୍ତି ଦେଶକୁ ନହେଲେ ଝୁରି ଝୁରି ମରିଯାନ୍ତି। ଏବେ ତୃତୀୟ ପିଢ଼ିର ତୃତୀୟ ଶ୍ରେଣୀର ନାଗରିକ ଆମେରିକାକୁ ନିଜ ଦେଶ ମାନନ୍ତି, କିନ୍ତୁ ଆମେରିକା ତାଙ୍କୁ ତାଙ୍କ ରୂପ ଓ ଭେକରୁ ଠଉରେଇ ନିଏ। ସେମାନେ ସେହିଭଳି ଜୀବନ ସମ୍ଭାଳି ନିଅନ୍ତି, ପରପିଢ଼ି ଗୋରୀମେମ ବାହା ହୁଅନ୍ତି, ହୁଏତ ଏମିତି ହେଇ ହେଇ ଜୀବକୋଷର ରଚନା ବଦଳେ, ସାତପୁରୁଷ ପରେ ପିଢ଼ି ମିଶେ, ଧର୍ମ ମିଶେ ଓ ତା’ସହିତ ସେମାନେ ଆମେରିକାନ ହୋଇଯାନ୍ତି, ନିଜ ଦେଶ, ନିଜ ବଂଶମୂଳ ସହିତ ସମ୍ପର୍କ ପୂରା ଛିଡ଼ିଯାଏ। ଧର୍ମ ଓ ଜୀବକୋଷ ବଦଳିଲା ପରେ ସେମାନେ ମୁଖ୍ୟସ୍ରୋତକୁ ଆସନ୍ତି। ଭାରତରେ ଏଭଳି ମ୍ୟୁଟେସନ ହୁଏ ନାହିଁ। ତେଣୁ ଭାରତରେ ଥାଇବି ବହୁ ଭାରତୀୟ ନିଜ ଧର୍ମ ଓ ଜୈବ ପରିଚିତି ଧରି ରହନ୍ତି। ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟିଆନଙ୍କ ଭିତରେ ଅନ୍ତର୍ବିବାହ ହୁଏନାହିଁ। ଏଠି ଇଣ୍ଡିଆନିଜିମ ଜନ୍ମ ନିଏନାହିଁ। ଭାରତୀୟତାର ଯୋଡ଼ ବସିବ କେମିତି? ଭୂଲଗ୍ନତା ଆସିବ କେମିତି? ଯେଉଁମାନଙ୍କର ସାତପିଢ଼ି ଏଇ ଭୂମି ଚଷିଲେଣି ବା ୟାର ଫଳ ଖାଇଲେଣି ବା ୟାର ମାଲିକାନା ଭୋଗ କଲେଣି ସେହି ଅଣହିନ୍ଦୁ ସମ୍ପ୍ରଦାୟର ଲୋକେ ୟାକୁ ଛାଡ଼ି ପାରିବେନି। ଏଇଠି ରହିବେ। ଭାରତ ବିଭାଜନ ବେଳେ ଯେଉଁମାନେ ଭାରତକୁ ହିଁ ନିଜର ‘ବତନ’ ବୋଲି ‘ବେବତନ’ ହୋଇ ନଥିଲେ ବା ନୂଆ ବତନ ଖୋଜି ନଥିଲେ ସେମାନେ ଭାରତୀୟ।
ସେହିଭଳି ଯେଉଁ ଖ୍ରୀଷ୍ଟିଆନବହୁଳ କ୍ଷେତ୍ରଗୁଡ଼ିକ ପୂର୍ବୋତ୍ତର ଭାରତର ଭାରତର ଅଂଶ ହେବା ସତ୍ତ୍ୱେ ଏକ ଭିନ୍ନ ସାଂସ୍କୃତିକ ମୂଳରେ ଏକାଠି ହୁଅନ୍ତି ଓ ରୋମାନ ଲିପିରେ ଲେଖନ୍ତି, ସେମାନେ ଆଉ କୁଆଡ଼େ ଯିବେନି, ଏଇଠି ରହିବେ ତାଙ୍କ ମାତୃଭୂମିରେ। ବ୍ୟାପକ ଦୃଷ୍ଟିରେ ଆର୍ଯ୍ୟାବର୍ତ୍ତ ଏକ ସଭ୍ୟତାର ସଂଚରଣଶୀଳତାର ସୀମା, ଭୌଗୋଳିକ ବନ୍ଦୀଶାଳା ନୁହେଁ। ଏବେ ପୂର୍ବୋତ୍ତର ଅଞ୍ଚଳ ବାକି ଭାରତ ସହିତ ରାଜନୈତିକ, ଅର୍ଥନୈତିକ ଓ ସୃଜନଶୀଳ ସାହିତ୍ୟର ସମ୍ପର୍କରେ ଯୋଡ଼ି ହୋଇଚନ୍ତି। ଅବିଭକ୍ତ ବୃହତ୍ତର ଆସାମ ପୂର୍ବୋତ୍ତର କ୍ଷେତ୍ରର ନିର୍ମାଣପୀଠ। ଏଇଠି ଏକ ବହୁମୁଖୀ ସାଂସ୍କୃତିକ ସଂରଚନା ହିନ୍ଦୁ ଶାସ୍ତ୍ରୀୟତା ସହିତ ପାର୍ବତ୍ୟ ଲୋକପ୍ରତିମାର ମିଳନ ଘଟାଇଥିଲା। ବସ୍ତୁତଃ କ୍ଷେତ୍ରୀୟ, ସାଂସ୍କୃତିକ ଓ ଭାଷା ସ୍ୱତନ୍ତ୍ରତା ଆଧାରରେ ରାଜ୍ୟ ହେବାବେଳକୁ ଭାରତୀୟତାର ମୂଳ ବଳବତ୍ତର ଥିଲା, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ତାକୁ ପଲ୍ଲବିତ କରିବାରେ ନୂଆ ରାଜନୈତିକ ସଂକଳ୍ପ ଦେଲା। ମିଜୋରାମର ମାଲସାଓମା ବା ଅରୁଣାଚଳ ପ୍ରଦେଶର ମାମଙ୍ଗ ଦାଈ ରାଷ୍ଟ୍ରୀୟ ସ୍ୱୀକୃତି ସହିତ ତାଙ୍କ ସାହିତ୍ୟକୁ ମୁଖ୍ୟସ୍ରୋତକୁ ଆଣିଚନ୍ତି। ପୂର୍ବୋତ୍ତର କ୍ଷେତ୍ରର ଯୁବଲେଖକ ସମ୍ମିଳନୀ ଉଦ୍‌ଘାଟନ କରିବା ଅବସରରେ ମୁଁ ଲକ୍ଷ୍ୟକଲି ସେଠିକାର ପିଲାମାନେ ହିନ୍ଦୀ, ଇଂରେଜୀ ସହିତ ଚଳଣିରେ ବି ଅନ୍ୟ କ୍ଷେତ୍ରର ଯୁବବର୍ଗ ଭଳି ସହଜ, ବରଂ ତାଙ୍କର କ୍ଷେତ୍ରୀୟତା ତାଙ୍କ ସାଂସ୍କୃତିକ ବ୍ୟକ୍ତିତ୍ୱର ଗୋଟିଏ ଭୂଲଗ୍ନ ଚରିତ୍ର। ତାହା ହିଁ ଭାରତର ବହୁ ସାଂସ୍କୃତିକତା, ବହୁଭାଷିକତା ଭାରତୀୟତା ନିର୍ମାଣ କରିବାର କଳା। ୟାର ପ୍ରଥମ ପରିଚୟ ଥିଲା ଆର୍ଯ୍ୟ- ଦ୍ରାବିଡ଼ ମିଳନରେ। ଦ୍ରାବିଡ଼ର ଉଦ୍‌ଗମ ସେହି ଆର୍ଯ୍ୟଉତ୍ସରୁ, ସାଂସ୍କୃତିକ ଭିନ୍ନତା ସୂକ୍ଷ୍ମ ଦୃଷ୍ଟିରେ ଏତେ ଭିନ୍ନ ନୁହେଁ। ଭାରତର ଏକକ କୃତ୍ରିମ ଯୋଡ଼ରେ ନାହିଁ, ଭିତର-ବାହାର ଦ୍ୱୈତରେ ନାହିଁ। ୟାର ଏକତ୍ୱ ଗୋଟିଏ ମହାଜାତୀୟ ଅଚେତନ ଦ୍ୱାରା ପରିଚାଳିତ ହୁଏ। ହୁଏତ ଏହି ମହାଜାତୀୟ ଅଚେତନ ହିଁ ଆର୍ଯ୍ୟ-ଦ୍ରାବିଡ଼-ଜନଜାତୀୟ ସଭ୍ୟତା। ବହୁଳତାବାଦୀ ଭାରତର ରହସ୍ୟ ତାର ସଭ୍ୟତା। ଇଏ ତିଷ୍ଠିବ ତାର ନିଜ ଶକ୍ତିରେ। ରାଜନୈତିକ ହସ୍ତକ୍ଷେପ ନୁହେଁ, ରାଜନୀତିର ସଭ୍ୟତା ହେବ ୟାର କାରକ। ସଂଖ୍ୟାଲଘୁତା ଏକୀକରଣର ଅନ୍ତରାୟ ନୁହେଁ। ଏଠି କେହି ସମ୍ପନ୍ନତାର ସନ୍ଧାନରେ ଆସି ଜାକିଜୁକି ହୋଇ, ଡରିମରି ରହିନାହାନ୍ତି। ଭାରତ ତାଙ୍କର ମାତୃଭୂମି। ଭାରତୀୟଙ୍କ ଭାରତରେ ବହୁଳତାବାଦ ଏକ ବାଦ ନୁହେଁ, ଏକ ଜୀବନ ଶୈଳୀ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories