ହସନଙ୍କ ଅସ୍ତିତ୍ୱ ପରୀକ୍ଷା
ନୂଆଦିଲ୍ଲୀ : ଫେବୃଆରୀ ୨୧, ୨୦୧୮, ଅର୍ଥାତ୍ ଠିକ୍ ବର୍ଷକ ପୂର୍ବେ ଦକ୍ଷିଣ ଭାରତୀୟ ଫିଲ୍ମ ଅଭିନେତା କମଲ ହସନ ମକ୍କଲ ନିଥି ମୈୟମ (ଏମଏନଏମ) ନାମକ ନୂଆ ରାଜନୈତିକ ଦଳ ଗଠନ କରିଥିଲେ। ଜୟଲଳିତା ଓ କରୁଣାନିଧିଙ୍କ ଦେହାନ୍ତ ପରେ ତାମିଲନାଡ଼ୁର ଚର୍ଚ୍ଚିତ ଚେହେରା ହେଉଛନ୍ତି କମଲ ହସନ। ପରେଲାକଗତ ଉପରୋକ୍ତ ଦୁଇ ଖ୍ୟାତନାମା ରାଜନେତାଙ୍କ ଶୂନ୍ୟସ୍ଥାନ ପୂରଣ କରିବାକୁ ସେ ରାଜନୀତିକୁ ଆସିଥିବା କମଲ କହନ୍ତି। ତେବେ ଆଗାମୀ ଲୋକସଭା ନିର୍ବାଚନ ତାଙ୍କ ପାଇଁ ସହଜସାଧ୍ୟ ହେବ ନାହିଁ ବୋଲି ଜଣାପଡ଼ୁଛି।
ଦଳ ଗଠନର ବର୍ଷକ ମଧ୍ୟରେ କମଲ ରାଜ୍ୟର ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାରେ ସେତେଟା ସଫଳ ହୋଇ ନାହାନ୍ତି। ରାଜ୍ୟର ଦୁଇ ବୃହତ୍ ଦଳ ଡିଏମକେ ସହ କଂଗ୍ରେସ ଓ ଏଆଇଏଡିଏମକେ ସହ ବିଜେପି ମେଣ୍ଟ କରିଛି। ଏଯାଏଁ କମଲଙ୍କ ଦଳ କୌଣସି ମେଣ୍ଟରେ ସାମିଲ ହୋଇ ନାହାନ୍ତି। ଯଦି କୌଣସି ରାଜନୈତିକ ଦଳ ସହ ମେଣ୍ଟ ନକରି କମଲ ନିର୍ବାଚନ ଲଢନ୍ତି-ସେହିଠାରେ ହିଁ ଦ୍ରାବିଡ଼ବାସୀଙ୍କର ସେ କେତେ ପସନ୍ଦ ଜଣାପଡ଼ିଯିବ। ଆସନ୍ତା ଲୋକସଭା ନିର୍ବାଚନରେ କମଲ କେଉଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ଏଯାଏ ଜଣାପଡ଼ି ନାହିଁ। ତେବେ ତାଙ୍କ ଦଳ ଲୋକସଭା ଅପେକ୍ଷା ବିଧାନସଭା ନିର୍ବାଚନକୁ ଅଧିକ ଗୁରୁତ୍ୱ ଦେବ ବୋଲି ଏମଏନଏମର ଉପାଧ୍ୟକ୍ଷ ଆର. ମହେନ୍ଦ୍ରନ୍ କହିଛନ୍ତି। ତେବେ ଲୋକସଭା ନିର୍ବାଚନ ତାଙ୍କ ପାଇଁ ଅଗ୍ନି ପରୀକ୍ଷା ସଦୃଶ। ତେଣୁ ଦଳ ଏଥିରେ ସମସ୍ତ ରଣ କୌଶଳ ଆପଣାଇବ ବୋଲି ମହେନ୍ଦ୍ରନ୍ କହିଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ତାଙ୍କ ଦଳ ରାଜ୍ୟରେ ସରକାର ଗଢିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ଉଭୟ ମେଣ୍ଟରେ ସାମିଲ ହେବା ପରିବର୍ତ୍ତେ କମଲ ଦିନାକରନଙ୍କ ଦଳ ଏଡିଏମକେରେ ସାମିଲ ହୋଇ ପାରନ୍ତି ବୋଲି କୁହାଯାଉଛି। ତେବେ କମଲ ନିଜ ଦଳ ପାଇଁ ଯେତିକି ଆସନ ଦାବି କରୁଛନ୍ତି ସେଥିପ୍ରତି ଦିନାକରନ ନାରାଜ ଥିବା ଜଣାପଡ଼ିଛି। ତେଣୁ ଦିନାକରନଙ୍କ ନେତୃତ୍ୱରେ ଆଗାମୀ ନିର୍ବାଚନ ଲଢାଯିବ କି କମଲଙ୍କ ନେତୃତ୍ୱରେ ଲଢାଯିବ ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ। ଯଦି ଦିନାକରନଙ୍କ ଦଳ ସହ ମେଣ୍ଟ ନହୁଏ ତେବେ ନିର୍ବାଚନରେ ଏକାକୀ ଲଢି କମଲ ବଡ଼ ଧରଣର ଭୋଟ ବିଭାଜନ କରିପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟବାସୀଙ୍କୁ ଉତ୍ତମ ଶାସନର ପ୍ରତିଶ୍ରୁତି ଦେଇ ତାଙ୍କ ଦଳ ନିର୍ବାଚନ ଲଢିବ। ଉଭୟ ଡିଏମକେ ଓ ଏଆଇଏଡିଏମକେ ଆଡୁ ଭୋଟର ମୁହଁ ଫେରାଇବାରେ ଲାଗିଲେଣି। ଏପରି ପରିସ୍ଥିତିରେ ଭୋଟରଙ୍କ ପାଇଁ ତାଙ୍କ ଦଳ ଏକମାତ୍ର ବିକଳ୍ପ ବୋଲି ଦିନାକରନ କହିଛନ୍ତି।
ନିକଟରେ ରାଜ୍ୟର ଶାସକ ଦଳ ଏଆଇଏଡିଏମକେ ବିଜେପି ସହ ଆସନ ବୁଝାମଣା କରିଛି। ରାଜ୍ୟର ସମୁଦାୟ ୩୯ଟି ଲୋକସଭା ଆସନରୁ ବିଜେପି ୫, ପିଏମକେ ୭ ଓ ଏଆଇଏଡିଏମକେ ୨୭ଟି ଆସନରୁ ଲଢିବେ। ପୁଡୁଚେରୀ ଓ ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ସହ ମେଣ୍ଟ କରିବ ବୋଲି ଏଆଇଏଡିଏମକେ କହିଛି। ଏହିଦଳ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହେବା ଆମକୁ ଅଧିକ ଶକ୍ତିଶାଳୀ କରିବ ବୋଲି କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ କହିଛନ୍ତି। ଏହି ମେଣ୍ଟ ଘୋଷଣା ହେବାର ଦିନକ ପରେ ଡିଏମ୍କେ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହୋଇଛି। ପୁଡୁଚେରୀକୁ ମିଶାଇ କଂଗ୍ରେସ ୧୦ଟି ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଡିଏମକେ ଓ ଏହାର ସହଯୋଗୀ ୩୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଦୁଇ ବୃହତ୍ ମେଣ୍ଟକୁ କମଲ କିପରି ମୁକାବିଲା କରୁଛନ୍ତି ତାହା ନିର୍ବାଚନ ପରେ ହିଁ ଜଣାପଡ଼ିବ।