www.samajalive.in
Saturday, December 6, 2025
23.1 C
Bhubaneswar

ଭିଜନ ଡକ୍ୟୁମେଣ୍ଟରେ କୃଷି

ଭୁବନେଶ୍ଵର:  ଓଡ଼ିଶାରେ ବିଜୁ ଜନତା ଦଳର ନେତା ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବରେ ଏକ ସ୍ଥିର ସରକାର ନିରବଚ୍ଛିନ୍ନ ଭାବରେ ଦୀର୍ଘ ୨୪ ବର୍ଷ ଧରି ଚାଲିଲା ପରେ ଓଡ଼ିଶାର ବିକାଶ ଯାହା ହେବା କଥା ତାହା ହେଲାନି ଏବଂ ଓଡ଼ିଶା ଯେଉଁ ପଛୁଆ ରାଜ୍ୟ ସେହି ପଛୁଆ ରାଜ୍ୟ ହୋଇ ରହିଲା, ଯଦିଓ ଦ୍ରୁତ ବିକାଶ ପାଇଁ ପ୍ରାକୃତିକ ସମ୍ପଦର ଅଭାବ ନାହିଁ। ଓଡ଼ିଶାର ଯୋଜନାବଦ୍ଧ ବିକାଶ ପାଇଁ ଗଠିତ ଯୋଜନା ବୋର୍ଡକୁ ପଙ୍ଗୁ କରିଦେଲେ ତତ୍କାଳୀନ ସରକାର। ଏମିତି ସବୁ ଲୋକପ୍ରିୟ ଅଣଉତ୍ପାଦନମୂଳକ ଯୋଜନା ସବୁ କାର୍ଯ୍ୟକାରୀ ହେଲା ଯାହା ଭୋଟ ବ୍ୟାଙ୍କ ବଢାଇଲା, କିନ୍ତୁ ଦୀର୍ଘମିଆଦୀ ବିକାଶ ନିଶ୍ଚିତ କଲା ନାହିଁ।
ନବୀନ ସରକାର ୨୦୧୭-୧୮ରେ ଏକ ଭିଜନ ଡକ୍ୟୁମେଣ୍ଟ ୨୦୩୬ ପର୍ଯ୍ୟନ୍ତ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଲେ। ସେଥିପାଇଁ ଯୋଜନା ଓ ସଂଯୋଜନା ବିଭାଗର ଜଣେ ଅତିରିକ୍ତ ସଚିବ ନୋଡାଲ ଅଫିସର ନାମିତ ହୋଇ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କଲେ। ସେହି ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ ପାଇଁ ଦିନ ଧାର୍ଯ୍ୟ ହେଲା; କିନ୍ତୁ ହଠାତ୍ କୌଣସି କାରଣରୁ ବନ୍ଦ ହୋଇଗଲା। ତାପରେ ଆସିଲା ନିର୍ବାଚନ। ନିର୍ବାଚନ ପରେ ଭିଜନ ଡକ୍ୟୁମେଣ୍ଟ ସମ୍ବନ୍ଧରେ ଆଉ କେହି କିଛି ପଚାରିଲେ ନାହିଁ। ଏପରି ଯୋଜନା ସବୁ କାର୍ଯ୍ୟକାରୀ ହେଲା, ଯେଉଁଥିରେ ଭୋଟରଙ୍କ ମନ କିଣିବା ଥିଲା ପରୋକ୍ଷ ଉଦ୍ଦେଶ୍ୟ।
୨୦୨୪ ନିର୍ବାଚନରେ ବିଜେଡି ହାରିଗଲା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାରକୁ ଆସିଲା। ବିଜେପି ସରକାରକୁ ଆସିବା ପରେ ପରେ ପଙ୍ଗୁ ହୋଇ ପଡ଼ିଥିବା ଯୋଜନା ବୋର୍ଡକୁ ଭାଙ୍ଗି ଦେଇ ଘୋଷଣା କଲେ ଯଥାଶୀଘ୍ର ନୂତନ ଯୋଜନା ବୋର୍ଡ ଗଠନ ହେବ ନିତି ଆୟୋଗ ଢାଞ୍ଚାରେ; କିନ୍ତୁ ବର୍ଷେ ବିତିଗଲା ଯୋଜନା ବୋର୍ଡ ଗଠନ ହେଲା ନାହିଁ। ଓଡ଼ିଶା ୨୦୩୬ରେ ଶତାୟୁ ହେବ ଏବଂ ଓ ସ୍ବାଧୀନତାର ଶତବାର୍ଷିକ ପାଳନ କରିବ ୨୦୪୭ରେ। ଏହି ସମୟ ବେଳକୁ ଓଡ଼ିଶା କିପରି ଆତ୍ମନିର୍ଭରଶୀଳ ହେବ ଏବଂ ବିକଶିତ ହେବ ସେଥିପାଇଁ ଏକ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ସେହି ଅନୁଯାୟୀ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଗଲା।
ବିଶେଷଜ୍ଞ ଓ ସାଧାରଣ ଲୋକଙ୍କଠାରୁ ପ୍ରସ୍ତାବ ଆହ୍ବାନ କରାଗଲା। ମୁଖ୍ୟମନ୍ତ୍ରୀ କହନ୍ତି ୩.୨ ଲକ୍ଷ ନାଗରିକଙ୍କଠାରୁ ସଂଗ୍ରହ ହୋଇଥିବା ମତାମତକୁ ମଧ୍ୟ ବିଚାରକୁ ନେଇ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ହୋଇଛି। ନିତି ଆୟୋଗର ସାହାଯ୍ୟ ନିଆଯିବା କଥା ମଧ୍ୟ କୁହାଯାଇଛି। ଏହା ଏକ ପୃଥୁଳକାୟ ୫୯୭ ପୃଷ୍ଠାର ଭିଜନ ଡକ୍ୟୁମେଣ୍ଟ। ଏହି ସୀମିତ ଆଲୋଚନାରେ ସବୁ ବିଭାଗ ସମ୍ବନ୍ଧରେ ଆଲୋଚନା କରିବା ସମ୍ଭବ ନୁହେଁ। ମୁଖ୍ୟ ବିଭାଗ କୃଷି ବିଭାଗ ବିଷୟରେ ଆସନ୍ତୁ ସମୀକ୍ଷା କରିବା।
କୃଷି କ୍ଷେତ୍ରର ବିକାଶ ହେଉଛି ବିକଶିତ ଓଡ଼ିଶା ପାଇଁ ଅସଲ ଚାବିକାଠି। ଏବେ ବି ଆମ ରାଜ୍ୟର ୮୦ ଭାଗ ଲୋକ ଗ୍ରାମାଞ୍ଚଳରେ ବାସ କରୁଛନ୍ତି ଆଉ ସେମାନେ କୃଷି ଓ କୃଷି ଆନୁଷଙ୍ଗିକ ବୃତ୍ତି ଉପରେ ନିର୍ଭରଶୀଳ। କୃଷିର ବିକାଶ ନହେଲେ ଚାଷୀର ଆୟ ବୃଦ୍ଧି ହେବ ନାହିଁ। କୃଷକର ଆୟ ବୃଦ୍ଧି ନ ହେଲେ ଆମେ କାହାକୁ ନେଇ ବିକାଶର ସ୍ବପ୍ନ ଦେଖିବା? ଏବେ ଦେଖିବା କୃଷିକ୍ଷେତ୍ରର ବିକାଶ ପାଇଁ ଭିଜନ ଡକ୍ୟୁମେଣ୍ଟରେ କ’ଣ ଅଛି।
ଯେତେବେଳେ କୌଣସି ବିଭାଗର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯାଏ, ସେ ବିଭାଗର ସ୍ଥିତି କ’ଣ ତାହା ଜାଣିବା ଜରୁରୀ। କୃଷି ଅଧ୍ୟାୟରେ ପୃଷ୍ଠା ୩୧ରେ କୁହାଯାଇଛି କୃଷକର ମୁଣ୍ଡ ପିଛା ଆୟ ବର୍ତ୍ତମାନର ୫, ୧୧୨ ଟଙ୍କାରୁ ୨୦୪୭ ବେଳକୁ ୧୫, ୦୦୦ ଟଙ୍କା କରାଯିବ। ତେବେ କୃଷକର ମୁଣ୍ଡପିଛା ଆୟ ୫, ୧୧୨ ଟଙ୍କା ନୁହେଁ; ତାହା ହେଉଛି କୃଷକ ପରିବାରର ମାସିକ ଆୟ। ପୁନଶ୍ଚ ସେହି ଅଧ୍ୟାୟର ୧୮ ପୃଷ୍ଠାରେ କୁହାଯାଇଛି କୃଷକର ମାସିକ ଆୟ ୫, ୧୧୨ ଟଙ୍କାରୁ ବୃଦ୍ଧି କରି ୨୦୩୬ ବେଳକୁ ଦେଶର ପାଞ୍ଚଟି ଅଗ୍ରଣୀ ରାଜ୍ୟ ସହିତ ରହିବ। ଏଥିରୁ ସହଜରେ ଅନୁମେୟ ଚାଷୀର ଆୟ ବିଷୟରେ ଭିନ୍ନଭିନ୍ନ କଥା ଲେଖାଯାଇଛି। ପ୍ରକୃତରେ ଓଡ଼ିଶାରେ ଗୋଟିଏ ଚାଷୀ ପରିବାରର ମାସିକ ଆୟ ୫, ୧୧୨ ଟଙ୍କା। ଓଡ଼ିଶାରେ ଗୋଟିଏ ପରିବାରର ହାରାହାରି ସଦସ୍ୟ ସଂଖ୍ୟା ୪.୫। ତାହାହେଲେ ଓଡ଼ିଶାରେ ଜଣେ ଚାଷୀର ବାର୍ଷିକ ମୁଣ୍ଡ ପିଛା ଆୟ ୧୩, ୬୩୨ ଟଙ୍କା। ଯଦି ଭିଜନ ଡକ୍ୟୁମେଣ୍ଟ ଏପରି ଭୁଲ ତଥ୍ୟକୁ ନେଇ ପ୍ରସ୍ତୁତ ହୁଏ, ତେବେ ଲକ୍ଷ୍ୟ ହାସଲ କ’ଣ ଓ କେମିତି ହେବ, ତାହା ବିଚାର୍ଯ୍ୟ।
ଆଳୁ ସମସ୍ୟା ଗତ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ ଧରି ଉତ୍କଟ ହେଉଛି। ନବୀନ ସରକାର ଆଳୁରେ ଆତ୍ମ ନିର୍ଭର ହେବା ପାଇଁ ଆଳୁ ମିଶନ କଲେ। ତାହା ଦୟନୀୟ ଭାବରେ ବିଫଳ ହେଲା। ଗତ ବର୍ଷ ନୂଆ ସରକାର କ୍ଷମତାକୁ ଆସିବା ପରେ ପରେ ଆଳୁ ସମସ୍ୟା ଉତ୍କଟ ହେଲା। ସରକାର ପ୍ରତିଶ୍ରୁତି ଦେଲେ ୫୮ଟି ଶୀତଳ ଭଣ୍ଡାର କରିବେ ଆଳୁ ସାଇତି ରଖିବା ପାଇଁ ଏବଂ ଆଳୁ ଚାଷର ସମ୍ପ୍ରସାରଣ କରିବେ। ଗତ ରବି ଋତୁରେ ଆଳୁ ବିହନ ଚାଷୀଙ୍କୁ ରିଆତି ମୂଲ୍ୟରେ ବାଣ୍ଟିଲେ। ଅବଶ୍ୟ କେତେ ଆଳୁ ଅମଳ ହେଲା ଏ ପର୍ଯ୍ୟନ୍ତ କହି ନାହାନ୍ତି; କିନ୍ତୁ ବର୍ଷେ ହେଲା ଗୋଟିଏ ହେଲେ ଶୀତଳ ଭଣ୍ଡାର ନିର୍ମାଣ ହେଲା ନାହିଁ। ଆଶ୍ଚର୍ଯ୍ୟର କଥା ଭିଜନ ଡକ୍ୟୁମେଣ୍ଟରେ କୁହାଯାଇଛି ୨୦୩୬ ବେଳକୁ ଯାଇ ଆମେ ଆଳୁରେ ଆତ୍ମନିର୍ଭର ହେବା। ତାହାହେଲେ ଆହୁରି ୧୧ ବର୍ଷ ପଶ୍ଚିମବଙ୍ଗ ପାଖରେ ହାତ ପତାଇବା? ଏ କି ଦୋହରା କଥା?
ପ୍ରତିବର୍ଷ ବଜେଟ୍ ଉପସ୍ଥାପନ ପୂର୍ବରୁ ଓଡିଶା ସରକାର ରାଜ୍ୟର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ପ୍ରକାଶ କରନ୍ତି, ଯାହା ଆଧାରରେ ବଜେଟ ପ୍ରସ୍ତୁତ ହୁଏ। ସେଥିରେ କୃଷି ଅଧ୍ୟାୟରେ ଜଳସେଚନ ସମ୍ବନ୍ଧରେ ପରିସଂଖ୍ୟାନ ପ୍ରକାଶ ପାଏ। ସେହି ପରିସଂଖ୍ୟାନରେ ରାଜ୍ୟରେ କେତେ ହେକ୍ଟର ଜମିରେ ପାଣି ମାଡୁଛି ଓ କେତେ ଜମିରେ ପାଣି ମାଡ଼ିବା ପାଇଁ ଉତ୍ସ ସୃଷ୍ଟି କରାଯାଇଛି ତାହା ଉଲ୍ଲେଖ ଥାଏ; କିନ୍ତୁ ଏଇ କେତେବର୍ଷ ଧରି ଅର୍ଥନୈତିକ ସର୍ଭେ ରିପୋର୍ଟରେ କେବଳ କେତେ ଜମିରେ ପାଣି ମାଡିବା ପାଇଁ ଉତ୍ସ ସୃଷ୍ଟି କରାଯାଇଛି ତାହା ଉଲ୍ଲେଖ କରାଗଲାବେଳେ ପ୍ରକୃତରେ କେତେ ଜମିରେ ପାଣି ମାଡୁଛି କୁହାଯାଉ ନାହିଁ। ଏହା ଆମ ସମସ୍ତଙ୍କୁ ଭ୍ରମିତ କରୁଛି। ନିକଟରେ ନିତି ଆୟୋଗର ଜଣେ ସଦସ୍ୟ ଓଡ଼ିଶା ଆସିଥିବା ବେଳେ କହିଲେ, ଓଡ଼ିଶାର ଯେତେ ଜମିରେ ଚାଷ ହେଉଛି ତା’ର ମାତ୍ର ୨୭ ଭାଗ ଜମିରେ ଜଳସେଚନ ହେଉଛି। ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ଆମ ୨୦୨୩-୨୪ସୁଦ୍ଧା ଉଭୟ ଖରିଫ୍ ରବି ଋତୁରେ ୭୨.୨ ଲକ୍ଷ ହେକ୍ଟର ଜମିରେ ଚାଷ ହେବା ପାଇଁ ଜଳସେଚନର ଉତ୍ସ ସୃଷ୍ଟି କରିଛୁ; କିନ୍ତୁ କେତେ ଜମିରେ ପାଣି ମାଡୁଛି କହି ନାହାନ୍ତି। କେତେ ଜମିରେ ପାଣି ମାଡୁଛି ନକହି କେତେ ଜମି ପାଇଁ ପାଣିର ଉତ୍ସ ସୃଷ୍ଟି ହୋଇଛି କହି ଆମେ ଆମକୁ ଠକୁଛେ। ନୂଆ ସରକାର କ୍ଷମତାକୁ ଆସିଲା ବେଳେ ଆମେ ପ୍ରସ୍ତାବ ଦେଇଥିଲୁ ସରକାର ଜଳସେଚନ ସମ୍ବନ୍ଧରେ ପ୍ରକୃତ ସ୍ଥିତି ଜାଣିବା ପାଇଁ ରାଜ୍ୟରେ ଏକ ସର୍ବେକ୍ଷଣ କରନ୍ତୁ। ଯେଉଁଥିରେ ବ୍ଳକୱାରି କେଉଁ ସୂତ୍ରରୁ କେତେ ଜମିରେ ପାଣି ମାଡ଼ିବା ପାଇଁ ଆଧାର ସୃଷ୍ଟି ହୋଇଛି ଓ ପ୍ରକୃତରେ କେତେ ଜମିରେ ପାଣି ମାଡୁଛି ଏବଂ ଆଉ ଅଧିକ କେତେ ଜମିରେ ପାଣି ମାଡ଼ିବା ପାଇଁ ସୁଯୋଗ ଅଛି ଜାଣିଲା ପରେ ଏକ ଶ୍ବେତପତ୍ର ପ୍ରକାଶ ପାଉ। ସେହି ଶ୍ବେତପତ୍ରକୁ ଭିତ୍ତି କରି ଜଳସେଚନ ନୀତି ପ୍ରସ୍ତୁତ ହେଉ; କିନ୍ତୁ ଶୁଣିବାକୁ କେହି ନାହାନ୍ତି।
ଯଦି ୭୯ ପ୍ରତିଶତ ଖରିଫ ଓ ରବି ଋତୁରେ ଚାଷ ହେଉଥିବା ଜମି​‌େ​‌ର ଜଳସେଚନର ବ୍ୟବସ୍ଥା ହୋଇଛି, ତେବେ ଫସଲ ଚାଷର ସାନ୍ଦ୍ରତା ମାତ୍ର ୧୬୪ ପ୍ରତିଶତ କାହିଁକି? ପୂର୍ବରୁ ୧୯୯୫-୯୬, ୨୦୧୦-୧୧ ଓ ୨୦୧୪-୧୫ରେ ଏହି ସାନ୍ଦ୍ରତା ଥିଲା ଯଥାକ୍ରମେ ୧୫୬, ୧୬୭ ଓ ୧୬୪ ପ୍ରତିଶତ। ଏତେ ବର୍ଷ ପରେ ବଢୁ ନାହିଁ କାହିଁକି? ସାନ୍ଦ୍ରତା ଅର୍ଥ ଖଣ୍ଡିଏ ଜମିରୁ ବର୍ଷକରେ କେତେ ଥର ଫସଲ ଚାଷ ହେଉଛି। ଓଡ଼ିଶାର ଜଳସେଚନର ଏହି ସ୍ଥିତି ମଧ୍ୟରେ ଭିଜନ ଡକ୍ୟୁମେଣ୍ଟରେ କୁହାଯାଇଛି ବର୍ତ୍ତମାନ ଜଳସେଚନ ପ୍ରସାରଣ ହୋଇଛି ୫୫ ପ୍ରତିଶତ ଜମିରେ। ୨୦୨୯, ୨୦୩୬ ଓ ୨୦୪୭ ବେଳକୁ ସମ୍ପ୍ରସାରିତ ହେବ ଯଥାକ୍ରମେ ୬୬, ୮୦ ଓ ୯୦ ପ୍ରତିଶତକୁ। ଏହା କ’ଣ ଆଧାର ସୃଷ୍ଟି ହେବ ନା ପ୍ରକୃତ ଚାଷ ଜମିରେ ପାଣି ମାଡିବ? ଏହା ଭ୍ରମ ସୃଷ୍ଟି କରୁଛି। ନବୀନ ସରକାର କହିଥିଲେ ଜଳସେଚନ ପାଇଁ ମହାନଦୀର ହୀରାକୁଦ ତଳ ଅଞ୍ଚଳରେ ୬ଟା ବ୍ୟାରେଜ ସୃଷ୍ଟି କରିବେ; କିନ୍ତୁ ଗୋଟାଏ ବି କଲେ ନାହିଁ, ବହୁ ସମାଲୋଚନା ହେଲା। ଭିଜନ ଡକ୍ୟୁମେଣ୍ଟରେ କାହିଁ ବ୍ୟାରେଜ କଥା ନାହିଁ।
ଓଡ଼ିଶାରେ କପା ଉତ୍ପାଦନ ହେଉଛି ୭.୫ ଲକ୍ଷ ଟନ୍। ଓଟିଏମ୍ ବନ୍ଦ ହେବାପରେ ଲୁଗାକଳ ନାହିଁ। ଆମେ ଅନ୍ୟୂନ ୨୫ ହଜାର କୋଟି ଟଙ୍କାର ବସ୍ତ୍ର ଆମଦାନୀ କରୁଛୁ। କାହିଁ ଲୁଗାକଳ, ସୂତାକଳ ବିଷୟରେ କିଛି ଯୋଜନା ନାହଁ। ଚିନିକଳ ବିଷୟରେ ଉଲ୍ଲେଖ ନାହଁ। ଏସବୁ କାରଖାନା ବସିଲେ କୃଷି ଉତ୍ପାଦନ ବଢନ୍ତା, ଚାଷୀର ଆୟ ବଢନ୍ତା ଏବଂ ନିଯୁକ୍ତି ସୃଷ୍ଟି ହୁଅନ୍ତା। ଭୂସଂସ୍କାର ଆଇନରେ ସଂଶୋଧନ ଆଣି ଭାଗଚାଷକୁ ଆଇନସମ୍ମତ ନକଲେ କୃଷି ଉତ୍ପାଦନ ବୃଦ୍ଧି ପାଇବ ନାହିଁ ବୋଲି ଡକ୍ୟୁମେଣ୍ଟରେ ସ୍ବୀକାର କରାଯିବା ଯଥାର୍ଥ। ଦେଖାଯାଉ ଭାଗଚାଷ ଆଇନ କେବେ ଆସୁଛି?
ଭିଜନ ଡକ୍ୟୁମେଣ୍ଟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଏହା ବର୍ଣ୍ଣନାତ୍ମକ ହୋଇଛି, ବସ୍ତୁନିଷ୍ଠ ହୋଇନାହିଁ। ଏହି ଡକ୍ୟୁମେଣ୍ଟ ଉପରେ ବିଶେଷଜ୍ଞମାନେ ଆଲୋଚନା କରି ଏହାର ସଂଶୋଧନ ପାଇଁ ପ୍ରସ୍ତାବ ଦିଅନ୍ତୁ।
ଏକ ସୂତ୍ରରୁ ଜଣାଯାଏ ଯେ ଏହାକୁ ପ୍ରସ୍ତୁତ କରିଛନ୍ତି ଏକ କନ୍‌ସଲ୍‌ଟାଣ୍ଟ ଫାର୍ମ ‘ମ୍ୟାକେଞ୍ଜି’। ସେମାନଙ୍କର ନିଶ୍ଚିତ ଭାବରେ ଓଡ଼ିଶା ଅର୍ଥନୀତି ସମ୍ବନ୍ଧରେ ପ୍ରତ୍ୟକ୍ଷ ଜ୍ଞାନ ନଥିବ। ଡକ୍ୟୁମେଣ୍ଟ ପ୍ରସ୍ତୁତି ପରେ ବିଭାଗୀୟ ଅଧିକାରୀ ଓ ବିଶେଷଜ୍ଞମାନେ ଭଲ ଭାବରେ ପରଖ କରି ନାହାନ୍ତି ବୋଲି ଅନୁଭବ ହେଉଛି। ତାହା ହୋଇ ଥିଲେ କୃଷି ସମ୍ବନ୍ଧୀୟ ପରିସଂଖ୍ୟାନରେ ମୌଳିକ ଭୁଲ ନଥାନ୍ତା। ପରିଶେଷରେ ଏତିକି କୁହାଯାଇପାରେ ଯେ ଡକ୍ୟୁମେଣ୍ଟରେ ଭୁଲଭଟକା ଥିଲେ ବି ଆବଶ୍ୟକ ସ୍ଥଳେ ସଂଶୋଧନ ଆଣି ଯଦି ନିଷ୍ଠାର ସହ କାର୍ଯ୍ୟ କରାଯାଏ ତେବେ ଲକ୍ଷ୍ୟର ପାଖାପାଖି ପହଞ୍ଚି ପାରିବା।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories