ବଡୋଦରା: ଗୁଜରାଟ ବଡୋଦରା ଜିଲାର ମାହିସାଗର ନଦୀ ଉପରେ ନିର୍ମିତ ଏକ ସେତୁର କିଛି ଅଂଶ ଭୁଶୁଡି ପଡିବାରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ସକାଳ ପ୍ରାୟ ୭ଟା ୩୦ରେ ସେତୁ ଉପରେ ଯାନବାହନ ଚଳାଚଳ କରୁଥିବାବେଳେ ଏହାର କିଛି ଅଂଶ ହଠାତ୍ ଭୁଶୁଡି ପଡିଥିଲା। ଫଳରେ ନଦୀ ମଧ୍ୟକୁ ଦୁଇଟି ଟ୍ରକ୍, ଗୋଟିଏ ଭ୍ୟାନ୍, କାର୍ ଓ ଅଟୋରିକ୍ସା ଖସି ପଡିଥିଲା। ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଆହତ ହୋଇଛନ୍ତି। ବଡୋଦରା ଗ୍ରାମାଞ୍ଚଳ ଏସ୍ପି ରୋହନ ସାଗରଙ୍କ କହିବା ଅନୁଯାୟୀ ମାହି ସାଗର ନଦୀ ଉପରେ ନିର୍ମିତ ଗମ୍ଭୀରା ସେତୁ ଉପରେ ଏକ ଟ୍ରକ୍, ଭ୍ୟାନ୍ ଓ କାର୍ ଯାଉଥିବାବେଳେ ଏହା ହଠାତ୍ ଭୁଶୁଡି ପଡିଥିଲା। ଟ୍ରକ୍ଟି କାର୍ ଓ ଭ୍ୟାନକୁ ଆଗକୁ ଯିବା ଲାଗି ରାସ୍ତା ଛାଡିବା ସମୟରେ ଏହା ଭୁଶୁଡି ପଡିଥିଲା। କାର୍ ଓ ଭ୍ୟାନ ସହିତ ଆଉ ତିନିଟି ଗାଡି ନଦୀ ଭିତରକୁ ଖସିପଡିଥିଲା। ସେତୁଟି ବଡୋଦରା ଓ ଆନନ୍ଦକୁ ଯୋଗାଯୋଗ କରୁଥିଲା। ଏହା ବଡୋଦରା ସହର ଠାରୁ ୨୫ କିମି ଦୂରରେ ଅବସ୍ଥିତ। ସେତୁଟି ସୌରାଷ୍ଟ୍ରକୁ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ଥିଲା। ସକାଳ ସମୟ ହୋଇଥିବାରୁ ଦୁର୍ଘଟଣାର ବ୍ୟାପକତା କମ୍ ରହିଛି। ଅନ୍ୟଥା ବହୁ ଗାଡି ନଦୀ ମଧ୍ୟକୁ ଖସିପଡିଥାନ୍ତା। ୯୦୦ ମିଟର ଲମ୍ବ ସେତୁର ଦୁଇଟି ଖମ୍ବର ଗୋଟିଏ ମଝି ଅଂଶ ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବା ଦେଖାଯାଇଛି।
ଘଟଣାସ୍ଥଳରେ ଅଗ୍ନିଶମ, ପୁଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନଦୀ ଭିତରକୁ ଖସିପଡିଥିବା ଗାଡିଗୁଡିକୁ ମଧ୍ୟ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ପିଛା ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିପରି ଆହତଙ୍କ ପାଇଁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟ ସରକାରଙ୍କ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ବାବଦରେ ପଚାରି ବୁଝିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମୃତ ଓ ଆହତଙ୍କ ପାଇଁ ଯଥାକ୍ରମେ ୪ଲକ୍ଷ ଟଙ୍କା ଓ ୫୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ଘଟଣାରେ କଂଗ୍ରେସ ଗୁଜରାଟ ସରକାରଙ୍କୁ ସମାଲୋଚନା କରିଛି। କଂଗ୍ରେସ କହିଛି ଯେ ଏହା ଏପରି ଏକ ବିପର୍ଯ୍ୟୟ ଯାହା ଘଟିବା ଲାଗି ଅପେକ୍ଷା କରାଯାଇଥିଲା।
୧୯୮୧ରେ ଏହି ସେତୁର ନିର୍ମାଣ କାମ ଆରମ୍ଭ ହୋଇଥିଲା। ୧୯୮୫ରେ ସେତୁଟିକୁ ଯାନବାହନ ଚଳାଚଳ ନିମନ୍ତେ ଖୋଲା ଯାଇଥିଲା। ୨୦୧୭ରେ କଂଗ୍ରେସ ଦଳ ଏହି ସେତୁଟିକୁ ଯାନବାହନ ଚଳାଚଳ ନିମନ୍ତେ ବନ୍ଦ କରିବା ଲାଗି ଦାବି କରିଥିଲା। କାରଣ ସେତୁଟି ଅନେକାଂଶରେ ନଷ୍ଟ ହୋଇଯାଇଥିଲା। ସେତୁଟି ନଷ୍ଟ ହୋଇଯାଇଥିବାରୁ ଆଉ ଏକ ନୂଆ ସେତୁ ନିର୍ମାଣ ଲାଗି ରାଜ୍ୟ ସରକାର ନିକଟରେ ପ୍ରସ୍ତାବ ମଞ୍ଜୁର କରିଥିଲେ।



