ଦିଲ୍ଲୀରେ ରାହୁଲଙ୍କ ଶୋଭାଯାତ୍ରା, ଜାମ୍ମୁରେ ବିଜେପିର ବିକ୍ଷୋଭ

0

ନୂଆଦିଲ୍ଲୀ/ଶ୍ରୀନଗର : ଜାମ୍ମୁ ନିକଟ କାଠୁଆ ଜିଲା ରାସାନାଠାରେ ୮ବର୍ଷର ନାବାଳିକା ଆସିଫା ବାନୋକୁ ଗଣବଳାତ୍କାର ପରେ ହତ୍ୟା ଘଟଣା ନେଇ ରାଜନୀତି ଜୋର୍‌ ଧରିଛି। କାଠୁଆ ଘଟଣାରେ ଜାମ୍ମୁ ସହର ଦୁଇ ଦିନ ଧରି ଅଚଳ ରହିଥିବାବେଳେ ବିଜେପି ମନ୍ତ୍ରୀଙ୍କ ନେତୃତ୍ୱରେ ସେଠାରେ ଅଭିଯୁକ୍ତଙ୍କ ସପକ୍ଷରେ ଶୋଭାଯାତ୍ରା ଓ ବିକ୍ଷୋଭ ଜାରି ରହିଛି। ଏଥିରେ ବିଜେପି ସମର୍ଥିତ ହିନ୍ଦୁ ମୌଳବାଦୀ ସଂଗଠନ ସାମିଲ ହୋଇଛନ୍ତି। ମଧ୍ୟପ୍ରଦେଶର ଜଣେ ମନ୍ତ୍ରୀ ଏହି ଘଟଣାରେ ପାକିସ୍ତାନର ହାତ ଥିବା କହିଛନ୍ତି। ଅପରପକ୍ଷରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଏହାକୁ ଗୁରୁତର ଭାବେ ଗ୍ରହଣ କରିବା ସହ ଗୁରୁବାର ମଧ୍ୟରାତ୍ରିରେ ରାଜଧାନୀ ଦିଲ୍ଲୀରେ ମହମବତି ଶୋଭାଯାତ୍ରା ବାହାର କରିଛନ୍ତି।
ରାହୁଲ କହିଛନ୍ତି ଯେ ଏହି ଗଣବଳାତ୍କାର ଓ ହତ୍ୟା ଘଟଣା ମାନବିକତା ବିରୋଧରେ ଏକ ଅପରାଧ। ଏହା ଏପରି ଏକ ନିଷ୍ଠୁରତା ଯାହା କେହି କେବେ ଚିନ୍ତା କରିପାରିବ ନାହିଁ। ଏପରି ଅପରାଧ ଘଟାଇଥିବା ଦୋଷୀକୁ କେବେହେଲେ କ୍ଷମା ଦିଆଯିବା ଉଚିତ ନୁହେଁ। ରାହୁଲ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ଯେ ଆମେ ଯେ କେହି ବି ହୋଇଥାଉ ନା କାହିଁକି; ଏହି ପ୍ରସଙ୍ଗରେ ରାଜନୈତିକ ହସ୍ତକ୍ଷେପ କରିବା ଉଚିତ ନୁହେଁ। ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଭି କେ ସିଂହ କହିଛନ୍ତି ଯେ ଏପରି ଜଘନ୍ୟ ଅପରାଧକୁ ରୋକିବାରେ ଆମେ ବିଫଳ ହୋଇଛୁ। ଏହି ପ୍ରସଙ୍ଗରେ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତି ଯେ ଆସିଫାକୁ ନ୍ୟାୟ ପ୍ରଦାନରେ କୌଣସି ପ୍ରକାର ଆଇନଗତ ପ୍ରତିବନ୍ଧକ ରହିବ ନାହିଁ। ଅପରପକ୍ଷରେ ରାସାନାସ୍ଥିତ ଆସିଫାଙ୍କ ଘର ଏବେ ଖାଁ ଖାଁ ପଡ଼ିଛି। ତାଙ୍କ ପରିବାର ସଦସ୍ୟଙ୍କର କୌଣସି ଖୋଜ୍‌ ଖବର ମିଳୁ ନାହିଁ।
ଉଲ୍ଲେଖଯୋଗ୍ୟ ଯେ ଏହି ମାମଲାରେ ପୁଲିସ ବୁଧବାର ଅଭିଯୋଗପତ୍ର ଦାଖଲ କରିଥିଲା। ଅଭିଯୁକ୍ତମାନେ ସମ୍ପୃକ୍ତ ଅଞ୍ଚଳରୁ ଏହି ସଂଖ୍ୟାଲଘୁ ଦଳିତ ସମ୍ପ୍ରଦାୟର ଲୋକଙ୍କୁ ହଟାଇବା ପାଇଁ ଯୋଜନାବଦ୍ଧ ଭାବେ ଏପରି ଘଟଣା ଘଟାଇଥିବା ଏଥିରେ ଦର୍ଶାଯାଇଥିଲା। ଏହି ସମ୍ପ୍ରଦାୟର ଲୋକେ ଗୋହତ୍ୟା ଓ ନିଶା କାରବାରରେ ସମ୍ପୃକ୍ତ ଥିବାରୁ ସେମାନଙ୍କୁ ଅଞ୍ଚଳରୁ ହଟାଇବା ଯୋଜନା କରାଯାଇଥିଲା। ମୁସଲମାନ ବଖେରୱାଲ ସମ୍ପ୍ରଦାୟର ନାବାଳିକାକୁ ବଳାତ୍କାର ଓ ହତ୍ୟା କରାଯିବା ଘଟଣାକୁ ନେଇ ଜାମ୍ମୁ-କାଶ୍ମୀରରେ ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଯାଇଛି। ଏହି ଘଟଣାରେ ଗିରଫ ହୋଇଥିବା ୮ଜଣ ଅଭିଯୁକ୍ତଙ୍କୁ ମୁକ୍ତ କରିବା ଲାଗି ହିନ୍ଦୁ ମୌଳବାଦୀ ସଂଗଠନ ପକ୍ଷରୁ ଶୋଭାଯାତ୍ରା ହୋଇଛି। ରାଜ୍ୟର ଶହ ଶହ ଓକିଲ ମଧ୍ୟ ଏହି ଗିରଫକୁ ବିରୋଧ କରି ଶୋଭାଯାତ୍ରା କରିଛନ୍ତି। ଗିରଫ ୮ଜଣଙ୍କ ମଧ୍ୟରୁ ଦୁଇଜଣ ପୁଲିସ କର୍ମଚାରୀ ଓ ସେମାନେ ନିର୍ଦୋଷ ବୋଲି ଓକିଲମାନେ ଦାବି କରିଛନ୍ତି। ସେମାନଙ୍କ ସହିତ ଅଭିଯୁକ୍ତଙ୍କ ପରିବାର ବର୍ଗ ଜାମ୍ମୁ-ପଠାନକୋଟ ରାଜପଥରେ ଧାରଣା ଦେଇଛନ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତାକୁ କଂଗ୍ରେସ ନେତା କପିଲ ସିବଲ ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିଜେପି କ୍ଷମତାରେ ଥିବା ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଉଛି। ଉତ୍ତରପ୍ରଦେଶ ଉନ୍ନାଓରେ ବିଜେପି ବିଧାୟକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆସିଥିବାବେଳେ ଏହି ଘଟଣା ବିଜେପିକୁ ଆହୁରି ନିନ୍ଦିତ କରିଛି।

Leave A Reply