www.samajalive.in
Saturday, December 6, 2025
15.1 C
Bhubaneswar

ଜରାଜୀର୍ଣ୍ଣ ଅବସ୍ଥାରେ ନୀଳଗିରିର ୧୧୯ ବର୍ଷର ଗୋପବନ୍ଧୁ ଛାତ୍ରାବାସ

ନୀଳଗିରି: ସ୍ୱାଧୀନତା ପୂର୍ବର କଥା। ରାଜା ଶାସନ ସମୟରେ ବାଲେଶ୍ୱର ଜିଲାର ନୀଳଗିରି ଗଡ଼ଜାତଟି ବଣ ପାହାଡ଼ ଘେରା ଅଞ୍ଚଳ ଥିଲା। ତତ୍କାଳୀନ ନୀଳଗିରି ରାଜା ଶ୍ୟାମଚନ୍ଦ୍ର ମର୍ଦ୍ଦରାଜ ଏଠାରେ ଏକ ଶିକ୍ଷାନୁଷ୍ଠାନ ଗଢ଼ିଥିଲେ। ଏହି ସ୍କୁଲରେ ୧୯୦୬ ମସିହାରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ରାଜାଶାସିତ ଅଞ୍ଚଳ ନୀଳଗିରି ଗଡ଼ଜାତରେ ଶିକ୍ଷାର ବିକାଶ ପାଇଁ ପଣ କରିଥିଲେ ପଣ୍ଡିତେ। ଶିକ୍ଷାର ଶିଖା ଜାଳି ଅଞ୍ଚଳରେ କୁସଂସ୍କାର ଦୂର କରିବା ଓ ଅଞ୍ଚଳକୁ ଶିକ୍ଷିତ କରିବାରେ ଗୋପବନ୍ଧୁଙ୍କ ଅବଦାନ ଥିଲା ଅତୁଳନୀୟ। ସେହି ସମୟରୁ ଅର୍ଥାତ ଦୀର୍ଘ ୧୧୯ବର୍ଷ ପୂର୍ବେ ଏକ ମାଟି ଘରେ ନିର୍ମିତ ହୋଇଥିଲା ଛାତ୍ରାବାସ। କେସି ହାଇସ୍କୁଲରେ ପଢ଼ୁଥିବା ପିଲାମାନେ ଏହି ମାଟିଘର ଏନ୍ତୁଡ଼ିଶାଳରେ ପଢ଼ୁଥିଲେ ପାଠ ଆଉ ଗଢ଼ୁଥିଲେ ଭବିଷ୍ୟତ।

ପରବର୍ତ୍ତୀ ସମୟରେ ଅର୍ଥାତ ଉତ୍କଳମଣି ଏଠାରୁ ଶିକ୍ଷାଦାନ କରି ଯିବାପରେ ତାଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବାକୁ ଏହି ଛାତ୍ରାବାସର ନାମ ଦିଆଗଲା ଗୋପବନ୍ଧୁ ଛାତ୍ରାବାସ। କାଳକ୍ରମେ ଏହାକୁ ପକ୍କା କାନ୍ଥ ଘର କରାଯାଇ ଉପରେ ଆଜବେଷ୍ଟସ ପକା ଯାଇଥିଲା। ଦୀର୍ଘ ବର୍ଷ ହେବ ମରାମତି ଅଭାବରୁ ସମ୍ପ୍ରତି ଏହି ଛାତ୍ରାବାସଟି ଜରାଜୀର୍ଣ୍ଣ ପାଲଟି ଗଲାଣି। ଆଜବେଷ୍ଟସ ଓ ସିଲିଂ ଫାଟି ମୂଷଳ ଧାରାରେ ବର୍ଷା ପାଣି ଗଳି ଚାଲିଛି। କାନ୍ଥ ଫାଟି ଆଁ କରିଗଲାଣି। କବାଟ ଝରକା ଉଇ ଲାଗି ନଷ୍ଟ ହୋଇଗଲାଣି। ଛାତ୍ରାବାସ ପରିସରରେ ଘାସ ଓ ବଣ ବୁଦାରେ ପରିପୂର୍ଣ୍ଣ ହୋଇ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଏହି ଛାତ୍ରାବାସରେ ମୋଟ ୧୦ଟି କୋଠରୀ ରହିଥିବା ବେଳେ ସମ୍ପ୍ରତି ଏଠାରେ ୩୫ଜଣ ଅନ୍ତେବାସୀ ପାଠ ପଢ଼ୁଛନ୍ତି। କୋଠରୀ ଭିତରେ ପାଣି ଗଳୁଥିବା ଯୋଗୁଁ ପିଲାମାନେ ଭାଗ ଭାଗ ହୋଇ ବିଭିନ୍ନ କୋଠରୀରେ ରହୁଛନ୍ତି। ଅଧ୍ୟୟନ କକ୍ଷଟିରେ ମଧ୍ୟ ଅନୁରୂପ ଅବସ୍ଥା। ନା ସେମାନେ ଶାନ୍ତିରେ ରହି ପାରୁଛନ୍ତି ନା ଶୋଇ ପାରୁଛନ୍ତି। ବିଶେଷକରି ବର୍ଷା ଦିନେ ଛାତ୍ରମାନେ ଦୟନୀୟ ପରିସ୍ଥିତିକୁ ସାମ୍ନା କରୁଛନ୍ତି। ସିଲିଂ ଦେଇ ମୂଶଳ ଧାରାରେ ପାଣି ବୋହୁଥିବା ଯୋଗୁଁ ଏମାନେ ବାଲତି, ଗରା, ବେଲା ବାସନ ରଖି ପାଣି କାଢ଼ୁଛନ୍ତି। ସେପଟେ ଫଟା ଆଜବେଷ୍ଟସ ଉପରେ ଛାତ୍ରାବାସ ଦାୟିତ୍ୱରେ ଥିବା ଶିକ୍ଷକ ଖଣ୍ଡେ ପଲିଥିନ ଘୋଡ଼ାଇ ରଖିଥିଲେ ମଧ୍ୟ ତାହା ବର୍ଷା ପବନରେ ବାରମ୍ବାର ଉଡ଼ି ଛିଣ୍ଡି ଯାଉଛି। ନୀଳଗିରିର ଏହି ସର୍ବପୁରାତନ ଶିକ୍ଷାନୁଷ୍ଠାନର ଛାତ୍ରାବାସକୁ ସରକାରୀ ଓ ପ୍ରଶାସନିକ ସ୍ତରରେ ଘୋର ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ବିଦ୍ୟାର୍ଥୀମାନେ ଛାତ୍ରାବାସରେ ରହି ହୀନସ୍ତା ହେଉଥିବା ଯୋଗୁଁ ଏକାଧିକ ଅଭିଭାବକ ଏଠାରୁ ପିଲାଙ୍କୁ ଖୋଲି ନେଉଛନ୍ତି। ବାରମ୍ବାର କହିବା ସତ୍ତ୍ୱେ ପୂର୍ବ ସରକାରଙ୍କ ସମୟରେ ଚାଲୁଥିବା ଫାଇଭ-ଟି ଯୋଜନାରେ ମଧ୍ୟ ଏହି ଛାତ୍ରାବାସକୁ ଅନ୍ତର୍ଭୁକ୍ତ କରାଗଲାନି। ଏହା ଓଡ଼ିଶାର ବରପୁତ୍ର ଉତ୍କଳମଣିଙ୍କୁ ଅପମାନ ନା ନୀଳଗିରିବାସୀଙ୍କୁ କୁଠାରାଘାତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯୁଦ୍ଧକାଳୀନ ପରିସ୍ଥିତିରେ ରାଜ୍ୟ ସରକାର ଓ ଜିଲାପ୍ରଶାସନ ଏଥିପ୍ରତି ନଜର ନଦେଲେ ନୀଳଗିରିର ଇତିହାସକୁ ଗୌବାନ୍ୱିତ କରୁଥିବା ଏହି ଛାତ୍ରାବାସଟି କେତେବେଳେ ଭୁଶୁଡ଼ିଯିବ ତାହା କହିବା ମୁସ୍କିଲ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories