ଭୁବନେଶ୍ଵର: ବିଂଶ ଶତାବ୍ଦୀର ଭାରତୀୟ ରାଜନୈତିକ ଇତିହାସରେ ଦୁଇଟି ମଧ୍ୟରାତ୍ରି ଗଣତନ୍ତ୍ର ପାଇଁ ଗୁରୁତ୍ୱ ବହନ କରେ। ପ୍ରଥମଟି ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ରାତି, ଯେତେବେଳେ ଭାରତ ଦୀର୍ଘ ଦୁଇଶହ ବର୍ଷର ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ ହୋଇ ସ୍ୱାଧୀନ ଭାରତ ଭାବରେ ମୁଣ୍ଡ ଟେକିଲା। ଭାରତର ସ୍ୱାଧୀନତାକୁ ଲକ୍ଷ୍ୟକରି ସେତେବେଳେ କୁହାଯାଇଥିଲା- “ନିଶାର୍ଦ୍ଧରେ ଯେତେବେଳେ ପୂରା ବିଶ୍ୱ ଶୋଇଥିଲା, ଭାରତ ସେତେବେଳେ ସ୍ୱାଧୀନତା ଏବଂ ଜୀବନ ପାଇଥିଲା”।
ଭାରତର ସ୍ୱାଧୀନତା ଏହି ଦେଶ ପାଇଁ ଯେତେ ଗୁରୁତ୍ୱପୂର୍ଣ୍ଣ, ସମଗ୍ର ଦକ୍ଷିଣ ଏସିଆ ପାଇଁ ତତ୍ତୁଲ୍ୟ ଗୁରୁତ୍ୱ ବହନ କରିଥିଲା। ଗୋଟିଏ ପରେ ଗୋଟିଏ ପରାଧୀନ ରାଷ୍ଟ୍ର ସାମ୍ରାଜ୍ୟବାଦରୁ ମୁକ୍ତ ହୋଇ ନୂତନ ରାଷ୍ଟ୍ର ରୂପେ ବିଶ୍ୱ ପ୍ରେକ୍ଷାପଟରେ ଅବତୀର୍ଣ୍ଣ ହେଲେ। ଭାରତ ଏକ ସାର୍ବଭୌମ, ସମାଜବାଦ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ, ପ୍ରଜାତନ୍ତ୍ର ରାଷ୍ଟ୍ରରେ ପରିଣତ ହେଲା। ବାସ୍ତବିକ ଗଣତନ୍ତ୍ରର ଏହି ମୂଳଦୁଆ ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିଲା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଏ ପର୍ଯ୍ୟନ୍ତ ଭାରତ ବଜାୟ ରଖିଛି। କେବଳ ୧୯୭୫ ମସିହା ଜୁନ୍ ୨୫ରେ ଗଣତନ୍ତ୍ରର ଅବକ୍ଷୟ ହେଲା ଯେତେବେଳେ ସେମିତି ଏକ ନିଶାର୍ଦ୍ଧରେ ତତ୍କାଳୀନ ଭାରତର ରାଷ୍ଟ୍ରପତି ମନ୍ତ୍ରିପରିଷଦର ସୁପାରିସରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କଲେ। ସର୍ବବୃହତ୍ ଗଣତନ୍ତ୍ରର ଆତ୍ମାକୁ ଏହା ଏକ ଶକ୍ତ ଧକ୍କା ଦେଇଥିଲା। ସମଗ୍ର ବିଶ୍ୱରେ ଏକ ସୁପରିଚାଳିତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଭାରତର ଯେଉଁ ଅମଳିନ ଭାବମୂର୍ତ୍ତି ଥିଲା, ସେଥିରେ ଏକ କାଳିମାର ଛିଟା ପଡ଼ି଼ଗଲା। ସମଗ୍ର ଦେଶରେ ଜରୁରୀକାଳୀନ ପରିସ୍ଥିତି ଆଳରେ ମାତ୍ରାଧିକ ସ୍ୱେଚ୍ଛାଚାରିତାର ଶାସନ ଚାଲିଲା। ଜରୁରୀକାଳୀନ ପରିସ୍ଥିତି କେଉଁ ପରିପ୍ରେକ୍ଷୀରେ ଲାଗୁ କରାଗଲା, ତାହାର ପୃଷ୍ଠଭୂମି କ’ଣ ଥିଲା, ଏଠାରେ ଆଲୋଚନା କରିବା ସମୀଚୀନ ମନେ ହୁଏ। ଇନ୍ଦିରା ଗାନ୍ଧୀ ଯେତେବେଳେ ପ୍ରଥମ ଥର ଭାରତର ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ କଂଗ୍ରେସରେ ତାଙ୍କର ଅନେକ ବିରୋଧୀ ନେତା ଥିଲେ। ପୁରୁଣା କଂଗ୍ରେସ ନେତାମାନେ ଭାବିଲେ ଯେ ଅଭିଜ୍ଞତା ନଥିବା ଜଣେ ନାରୀ ସେମାନଙ୍କର ବଚସ୍କର ହୋଇ କାମ କରିବ। ଇନ୍ଦିରା ଗାନ୍ଧୀଙ୍କୁ ‘ଘୁଙ୍ଗି ଗୁଡି଼ୟା’ କହୁଥିବା ନେତାମାନେ ତାଙ୍କର କ୍ରମବର୍ଦ୍ଧିଷ୍ଣୁ ଶକ୍ତି ଦେଖି ପ୍ରମାଦ ଗଣିଲେ। କିଛି ମାସ ପରେ ଶ୍ରୀମତୀ ଗାନ୍ଧୀ ତାଙ୍କର ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଦାନତ କରି କଂଗ୍ରେସରେ ଏକ ବିଭାଜନ ସୃଷ୍ଟି କଲେ। କଂଗ୍ରେସ ଦୁଇ ଭାଗ ହେଲା- କଂଗ୍ରେସ (ସଂଗଠନ) ଯେଉଁଥିରେ ମୋରାର୍ଜୀ ଦେଶାଇ, ନିଜାଲିଙ୍ଗାପା ପ୍ରମୁଖ ପୁରୁଣା ନେତାମାନେ ରହିଲେ ଯାହାକୁ କୁହାଗଲା ‘ସିଣ୍ଡିକେଟ୍’। ଅନ୍ୟଟି ହେଲା କଂଗ୍ରେସ-ଆର୍ (ରିକ୍ୱିଜିସନିଷ୍ଟ) ଯାହାର ନେତୃତ୍ୱ ନେଲେ ନିଜେ ଇନ୍ଦିରା ଗାନ୍ଧୀ। କ୍ରମଶଃ ଶ୍ରୀମତୀ ଗାନ୍ଧୀ ଦଳ ଏବଂ ସରକାରରେ ନିଜର କ୍ଷମତା ଜାହିର କରି ବ୍ୟାଙ୍କ ଜାତୀୟକରଣ, ପିଭି ପର୍ସ ଉଚ୍ଛେଦ ଇତ୍ୟାଦି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କଲେ ଯାହା ତାଙ୍କୁ ଜନମାନସରେ ଅଧିକ ଲୋକପ୍ରିୟ କରାଇଲା। ୧୯୭୧ ସାଧାରଣ ନିର୍ବାଚନରେ ତାଙ୍କର ନିର୍ବାଚନ ଇସ୍ତାହାରରେ ‘ଗରିବୀ ହଟାଓ’ ସ୍ଲୋଗାନ୍ ସ୍ଥାନ ପାଇଲା ଯାହା ତାଙ୍କୁ ନିର୍ବାଚନ ଜିତାଇଲା। ସେହି ବର୍ଷ ମଧ୍ୟ ବାଂଲାଦେଶ ଯୁଦ୍ଧ ହେଲା ଯେଉଁଥିରେ ପାକିସ୍ତାନ ପରାସ୍ତ ହୋଇ ପୂର୍ବବଙ୍ଗ ପରିବର୍ତ୍ତିତ ହୋଇ ବାଂଲାଦେଶ ନାମରେ ଏକ ନୂତନ ରାଷ୍ଟ୍ର ଗଠିତ ହେଲା। ଯୁଦ୍ଧ ସମୟରେ ତାଙ୍କର ବଳିଷ୍ଠ ନେତୃତ୍ୱ ପାଇଁ ‘ଇନ୍ଦର ମାଲ୍ହୋତ୍ରା’ ପରି ସାମ୍ବାଦିକମାନେ ତାଙ୍କୁ ଭାରତର ସମ୍ରାଜ୍ଞୀ, ବିପକ୍ଷ ନେତାମାନେ ତାଙ୍କୁ ଦେବୀ ଦୁର୍ଗା ଇତ୍ୟାଦି ନାମରେ ନାମିତ କଲେ।
ଘଟଣାକ୍ରମରେ ମୋଡ଼ ଆସିଲା ଯେତେବେଳେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଜଗମୋହନଲାଲ୍ ସିହ୍ନା ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ। ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ସମାଜବାଦୀ ନେତା ‘ରାଜନାରାୟଣ’ ଆହ୍ଲାବାଦ୍ ହାଇକୋର୍ଟରେ ଏକ ମୋକଦ୍ଦମା କରିଥିଲେ ଏବଂ ତାଙ୍କ ତରଫରୁ ବିଶିଷ୍ଟ ଆଇନଜ୍ଞ ଶାନ୍ତି ଭୂଷଣ ମାମଲା ଲଢି଼ଥିଲେ। ଶ୍ରୀମତୀ ଗାନ୍ଧୀଙ୍କ ତରଫରୁ ଲଢୁଥିଲେ ପ୍ରଖ୍ୟାତ ସମ୍ବିଧାନ ଆଇନଜ୍ଞ ନନି ପାଲ୍କିୱାଲା। ଏହି ନିର୍ବାଚନ ମାମଲାର ବିଶେଷତ୍ୱ ହେଲା ଏହାର ଶୁଣାଣି ବେଳେ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଗାନ୍ଧୀଙ୍କୁ ୫ ଘଣ୍ଟା ଜେରା କରାଯାଇଥିଲା। ଆହ୍ଲାବାଦ ହାଇକୋର୍ଟ ତାଙ୍କ ରାୟରେ ଇନ୍ଦିରା ଗାନ୍ଧୀଙ୍କୁ ସରକାରୀ କଳର ଅପବ୍ୟବହାର ପାଇଁ ଦାୟୀ କରି ନିର୍ବାଚନ ରଦ୍ଦ ସହିତ ତାଙ୍କୁ ସଂସଦରେ ବସିବା ପାଇଁ ମଧ୍ୟ ଅନୁମତି ଦେଇନଥିଲା। କୋର୍ଟ ମଧ୍ୟ ପରବର୍ତ୍ତୀ ୬ ବର୍ଷ ପାଇଁ ତାଙ୍କୁ ନିର୍ବାଚନ ଲଢି଼ବା ପାଇଁ ବାରଣ କରିଥିଲେ। ଆହ୍ଲାବାଦ ହାଇକୋର୍ଟଙ୍କ ଏହି ରାୟକୁ ଶ୍ରୀମତୀ ଗାନ୍ଧୀ ସୁପ୍ରିମ୍ କୋର୍ଟରେ ଅପିଲ କରିଥିଲେ। ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଭି.ଆର୍. କ୍ରିଷ୍ଣା ଆୟର ଆହ୍ଲାବାଦ ହାଇକୋର୍ଟର ରାୟକୁ କାଏମ ରଖିଲେ। ସୁପ୍ରିମ୍ କୋର୍ଟର ରାୟକୁ ସମର୍ଥନ କରି ଏବଂ ଶ୍ରୀମତୀ ଗାନ୍ଧୀଙ୍କୁ ବିରୋଧ କରି ଲୋକନାୟକ ଜୟପ୍ରକାଶ ନାରାୟଣ ଏବଂ ମୋରାର୍ଜୀ ଦେଶାଇ ପ୍ରମୁଖ ପୁରୁଣା ନେତାମାନେ ଆନ୍ଦୋଳନ ଆରମ୍ଭ କଲେ। ଭାରତ ସାରା ଇନ୍ଦିରା ଗାନ୍ଧୀ ବିରୋଧୀ ଆନ୍ଦୋଳନ ଚାଲିଲା। ଏସବୁ ପରିସ୍ଥିତିକୁ ଦେଖି ଶ୍ରୀମତୀ ଗାନ୍ଧୀ ପଶ୍ଚିମବଙ୍ଗର ତଦାନୀନ୍ତନ ମୁଖ୍ୟମନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ରାୟ ଏବଂ ଅନ୍ୟ କେତେକ ଅନୁଗତଙ୍କ ପରାମର୍ଶରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିବା ପାଇଁ ରାଷ୍ଟ୍ରପତି ଫକିରୁଦ୍ଦିନ୍ ଅଲ୍ଲୀ ଅହମ୍ମଦଙ୍କୁ ସୁପାରିସ କଲେ। ଜୁନ୍ ୨୫ ତାରିଖ ମଧ୍ୟରାତିରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଗଲା। ସରକାର ମିସା (ମେଣ୍ଟେନାନ୍ସ ଅଫ୍ ଇଣ୍ଟରନାଲ ସିକ୍ୟୁରିଟି ଆକ୍ଟ)ରେ ସମସ୍ତ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଗିରଫ କରି ଜେଲ୍ରେ ରଖିଲେ। ଜରୁରୀକାଳୀନ ପରିସ୍ଥିତି ବା ଏମର୍ଜେନ୍ସୀ ଜାରି କରିବାର କାରଣ ସରକାରୀ ସ୍ତରରେ କୁହାଗଲା ଯେ ଦେଶରେ ଜାତୀୟ ନିରାପତ୍ତାକୁ ବିପଦ, ବାଂଲାଦେଶ ଯୁଦ୍ଧରେ ଦେଶର ଅର୍ଥନୈତିକ ସ୍ଥିତିରେ ଦୁର୍ବଳତା, ୧୯୭୩ ମସିହାର ତେଲ ସମସ୍ୟା, ଧର୍ମଘଟ ଏବଂ ହରତାଳ ଯୋଗୁଁ ସରକାର ଚଳାଇବାରେ ସମସ୍ୟା ସୃଷ୍ଟି ହୋଇଛି।
ଏମର୍ଜେନ୍ସିର ଫଳ ସ୍ୱରୂପ ସରକାର ଏକ ବିଂଶସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନେଲେ ଯାହାର ଉଦ୍ଦେଶ୍ୟ ଥିଲା କୃଷି ଏବଂ ଶିଳ୍ପ ଉତ୍ପାଦନରେ ଅଭିବୃଦ୍ଧି, ନାଗରିକ ସେବାରେ ଉନ୍ନତି, ଦାରିଦ୍ର୍ୟ ଏବଂ ବେକାରୀ ବିରୁଦ୍ଧରେ ଲଢ଼ାଇ, ନିରକ୍ଷରତାରେ ହ୍ରାସ ଇତ୍ୟାଦି। ଏହା ସହିତ ସଞ୍ଜୟ ଗାନ୍ଧୀଙ୍କ ନେତୃତ୍ୱରେ ଏକ ପାଞ୍ଚସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ଯାହାର ଉଦ୍ଦେଶ୍ୟ ଥିଲା ସାକ୍ଷରତାରେ ଅଭିବୃଦ୍ଧି, ପରିବାର ନିୟନ୍ତ୍ରଣ, ଚାରାରୋପଣ, ଜାତିପ୍ରଥା ଉଚ୍ଛେଦ ଏବଂ ଯୌତୁକ ପ୍ରଥା ଉଚ୍ଛେଦ। ଏମର୍ଜେନ୍ସି ଯୋଗୁଁଁ ବିଧାନସଭା ନିର୍ବାଚନକୁ ଘୁଞ୍ଚାଇ ଦିଆଗଲା ଓ ବିଭିନ୍ନ ଅଧ୍ୟାଦେଶ ଗୃହୀତ କରାଗଲା। ତାମିଲନାଡୁ ଏବଂ ଗୁଜରାଟରେ ରାଷ୍ଟ୍ରପତି ଶାସନ ଜାରି କରାଗଲା। ସରକାର ବିରୋଧୀ ମନ୍ତବ୍ୟ ପାଇଁ ଅନେକ ଛାତ୍ରନେତା ଏବଂ ରାଜନେତାଙ୍କୁ ଗିରଫ କରି ଜେଲ୍ରେ ଭର୍ତ୍ତି କରାଗଲା। ୪୨ତମ ସମ୍ବିଧାନ ସଂଶୋଧନ ଅଣାଗଲା ଯାହାଫଳରେ ସମ୍ବିଧାନରେ ‘ଧର୍ମ ନିରପେକ୍ଷତା’ ସ୍ଥାନ ପାଇଲା। ଟ୍ରେଡ୍ ୟୁନିୟନ୍ଗୁଡ଼ିକ ଉପରେ ଲଗାମ ରଖାଗଲା, ଶ୍ରମିକଙ୍କ ଆନ୍ଦୋଳନକୁ ଦମନ କରାଗଲା ଓ ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ଯୁବକଙ୍କୁ ବଳପୂର୍ବକ ବନ୍ଧ୍ୟାକରଣ କରାଗଲା। ଦିଲ୍ଲୀ ସହରରେ ଅନେକ ଅଟ୍ଟାଳିକା ସୌନ୍ଦର୍ଯ୍ୟକରଣ ନାମରେ ଭାଙ୍ଗି ଦିଆଗଲା ଇତ୍ୟାଦି। ସବୁଠାରୁ ବଡ଼କଥା ହେଲା ପ୍ରେସ୍ ବା ଗଣମାଧ୍ୟମର ସ୍ୱାଧୀନତା, ସ୍ୱାଧୀନ ଅଭିବ୍ୟକ୍ତି ଉପରେ ରୋକ ଲଗାହେଲା; ଯାହାର ପରିଣତି ଜଣେ ନାଗରିକର ସମସ୍ତ ମୌଳିକ ଅଧିକାର ଛିନ୍ନ କରାଗଲା। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପରି ଏକ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନକୁ ଅସିଦ୍ଧ ଘୋଷଣା କରାଗଲା। ଏମର୍ଜେନ୍ସି ବା ଜରୁରୀକାଳୀନ ପରିସ୍ଥିତିର ଭାରତରେ ଆୟୁ ଥିଲା ୨୧ ମାସ; ମାତ୍ର ଏହି କେତେ ମାସ ମଧ୍ୟରେ ଦେଶରେ ହାହାକାର ପଡ଼ି଼ଗଲା। ସବୁ ବିପକ୍ଷ ରାଜନେତା ଯେ କୌଣସି ଦଳର ହୁଅନ୍ତୁ ପଛକେ ଜେଲ୍ରେ ଦିନ କାଟିଲେ। ଗଣମାଧ୍ୟମର କଣ୍ଠରୋଧ କରାଗଲା।
ଭାରତ ପୃଥିବୀର ସର୍ବବୃହତ୍ ଗଣତନ୍ତ୍ର। ବିଖ୍ୟାତ ଆମେରିକୀୟ ରାଷ୍ଟ୍ରପତି ‘ଆବ୍ରାହମ୍ ଲିଙ୍କନ୍’ଙ୍କ ଭାଷାରେ ଗଣତନ୍ତ୍ର ଲୋକଙ୍କର, ଲୋକଙ୍କ ଦ୍ୱାରା ଏବଂ ଲୋକଙ୍କ ପାଇଁ। ଆମର ସମ୍ବିଧାନ ଗଣତାନ୍ତ୍ରିକ କାରଣ ଏହା ଲୋକଙ୍କ ଦ୍ୱାରା ଏହା ଗ୍ରହଣ ହୋଇଛି। ଗଣତନ୍ତ୍ରର ମୂଳମନ୍ତ୍ର ହେଉଛି ବାକ୍ ସ୍ୱାଧୀନତା, ଗଣମାଧ୍ୟମର ସ୍ୱାଧୀନତା, ସ୍ୱାଧୀନ ଚିନ୍ତନ ଏବଂ ଲିଖନ। ଭିନ୍ନ ମତ ଗଣତନ୍ତ୍ରର ବୈଶିଷ୍ଟ୍ୟ। ପ୍ରସିଦ୍ଧ ରାଜନୀତି ବିଜ୍ଞାନୀ ଅର୍ନେଷ୍ଟ ବାର୍କର କହିଥିଲେ, “ଗଣତନ୍ତ୍ର ଯେତିକି ଚିନ୍ତନର ସଂଘାତ, ସେତିକି ମନର ମିଳନ”। ଗଣତନ୍ତ୍ରର ମହାନ୍ ଉଦ୍ଗାତା ଜନ୍ ଲକ୍ ଓ ଜନ୍ ଷ୍ଟୁଆର୍ଟ ମିଲ୍ କହିଛନ୍ତି, ଗଣତନ୍ତ୍ରରେ ପ୍ରକୃତ ଶାସନ ଡୋରି ଥାଏ ଲୋକଙ୍କ ପାଖରେ। ଗଣତନ୍ତ୍ର ଉଦାରବାଦର ଉନ୍ନତି, ବ୍ୟକ୍ତି ସ୍ୱାଧୀନତାର ଅଭିବୃଦ୍ଧି ଏବଂ ଏକ ସୁସ୍ଥ ରାଜନୈତିକ ଚିନ୍ତନ ପାଇଁ ନିହାତି ଅନିବାର୍ଯ୍ୟ। ଏହାକୁ ଆଖିଆଗରେ ରଖି ବାବାସାହେବ ଆମ୍ବେଦକର ଏବଂ ଅନ୍ୟାନ୍ୟ ସମ୍ବିଧାନ ପ୍ରଣେତାମାନେ ସମ୍ବିଧାନର ଧାରା ୧୪ରୁ ୩୨ରେ ବ୍ୟକ୍ତିର ମୌଳିକ ଅଧିକାର ବିଷୟରେ ଉଲ୍ଲେଖ କରିଛନ୍ତି। ମୌଳିକ ଅଧିକାରକୁ ଯଦି କ୍ଷୁଣ୍ଣ କରାଯାଏ ତାହେଲେ ଏହା ବ୍ୟକ୍ତି ସତ୍ତାକୁ ହତ୍ୟା କରେ। ବ୍ୟକ୍ତି ଓ ବାକ୍ ସ୍ୱାଧୀନତା ନ ରହିଲେ ମୁକ୍ତ ଚିନ୍ତନ ଆସିବ ନାହିଁ ଏବଂ ଗଣତନ୍ତ୍ର ତିଷ୍ଠି ପାରିବ ନାହିଁ। ଏମର୍ଜେନ୍ସିରେ ଏହି ବାକ୍ ସ୍ୱାଧୀନତା ଲୋପ ପାଇଥିଲା। ନିଃସନ୍ଦେହରେ କୁହାଯାଇପାରେ ଯେ ଭାରତ ପରି ଏକ ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ପରମ୍ପରାରେ ଏମର୍ଜେନ୍ସି ଏକ କାଳିମାମୟ ଘଟଣା ଯାହାର ପୁନରାବୃତ୍ତି ଭବିଷ୍ୟତରେ କେବେ ନ ହେଉ।
ଗଣତନ୍ତ୍ରର ଏକ କଳା ଅଧ୍ୟାୟ
Popular Categories



