www.samajalive.in
Saturday, December 6, 2025
16.1 C
Bhubaneswar

କୃଷିର ତୃତୀୟ ବିକଳ୍ପ

ଭୁବନେଶ୍ଵର:   ପ୍ରାକୃତିକ କୃଷି ଏକ ମାର୍ଗ ଯାହା ପ୍ରକୃତି ବିରୁଦ୍ଧରେ ନଯାଇ ପ୍ରକୃତି ସହିତ ମିଶି ଅନୁସରଣ କରାଯାଏ। ଏହି ଚାଷ ପଦ୍ଧତି ସର୍ବ ପ୍ରଥମେ ଜାପାନୀ ଚାଷୀ ଓ ଦାର୍ଶନିକ ମାସାନୋବୁ ଫୁକୁଓକା ବାହାର କରିଥିଲେ। ତାଙ୍କର ଚିନ୍ତାଧାରା ଥିଲା ବିନା ହଳରେ କୃଷି। ଯଥା ସମ୍ଭବ ନ୍ୟୂନତମ କୃଷି କୌଶଳ ବ୍ୟବହାର କରି ସାର ଓ ଖତ, କୀଟନାଶକ ଇତ୍ୟାଦି ବିନା ଚାଷ କରିବା ତାଙ୍କର ମୂଳ ନୀତି ଥିଲା। ମୃତ୍ତିକାରେ ଥିବା ଉପକାରୀ ଅଣୁଜୀବ ସହାୟତାରେ ମୃତ୍ତିକାର ସ୍ୱାସ୍ଥ୍ୟ ଏବଂ ଫସଲ ଅଭିବୃଦ୍ଧି କରିବା ପାଇଁ ସେ ମାଟିକୁ ହଳ ନକରିବା ପାଇଁ ଚାଷୀଙ୍କୁ ଶିଖାଉଥିଲେ। କୃଷି ପରିସଂସ୍ଥାରେ ସନ୍ତୁଳନ ପାଇଁ ଜୈବ ବିବିଧତା ସଂରକ୍ଷଣ ଏବଂ ପ୍ରାକୃତିକ ଉପାୟରେ ଫସଲରେ ଖାଦ୍ୟ ଯୋଗାଣ ସହିତ ରୋଗପୋକ ନିୟନ୍ତ୍ରଣ ଉପରେ ଧ୍ୟାନ ଦେଉଥିଲେ। ଏହିସବୁ ତଥ୍ୟ ସେ ସ୍ବରଚିତ ପୁସ୍ତକ ‘ଗୋଟିଏ ତୃଣର ବିପ୍ଳବ’ (ୱାନ ଷ୍ଟ୍ର ରିଭଲ୍ୟୁସନ) ପୁସ୍ତକରେ ବର୍ଣ୍ଣନା କରିଛନ୍ତି।
ନାଗପୁରର କୃଷି ସ୍ନାତକ ସୁବାସ ପାଲେକର ଶୂନ୍ୟ ବଜେଟ ପ୍ରାକୃତିକ କୃଷି ପଦ୍ଧତି ବାହାର କରି ପଦ୍ମଶ୍ରୀ ଉପାଧି ପାଇଥିଲେ। ସେ କୃଷି କ୍ଷେତ୍ରରେ ଥିବା ସମ୍ବଳ ବ୍ୟବହାର କରି ଏବଂ ବାହାରୁ କୌଣସି ସାମଗ୍ରୀ ବ୍ୟବହାର ନକରି ଚାଷ ପାଇଁ ପରାମର୍ଶ ଦେଇଥିଲେ। ତାଙ୍କର ଚାରିଟି ପରାମର୍ଶ ହେଉଛି ବିହନ ବିଶୋଧନ ପାଇଁ ଜୀବାମୃତ, ଖାଦ୍ୟସାର ପାଇଁ ଜୀବାମୃତ, ଆଚ୍ଛାଦନ ଓ ୱପସା। ଦେଶୀ ଗାଈର ଗୋବର ଓ ମୂତ୍ର ପ୍ରସ୍ତୁତ ଜୀବାମୃତ ଓ ଦେଶୀ ବିହନ ସହିତ ମୃତ୍ତିକାର ସ୍ୱାସ୍ଥ୍ୟ ବୃଦ୍ଧି ପାଇଁ ଆଚ୍ଛାଦନ କରାଯାଏ। ମାଟିରେ ବାୟୁ ଚଳାଚଳ ପାଇଁ ୱପସା ବ୍ୟବହାର କରାଯାଏ। ଫସଲ ପର୍ଯ୍ୟାୟ ଓ ମିଶ୍ରିତ ଫସଲ ଉପରେ ଗୁରୁତ୍ବ ଦେବା ଫଳରେ ରୋଗପୋକ ଆକ୍ରମଣ କରିଥାଏ। ଆବଶ୍ୟକ ପଡ଼ିଲେ ନିମାସ୍ତ୍ର ଓ ବ୍ରହ୍ମାସ୍ତ୍ର ପ୍ରସ୍ତୁତ କରି ଫସଲ ଉପରେ ପ୍ରୟୋଗ କରାଯାଏ ।
ଜୈବିକ କୃଷି ହେଉଛି ଏକ ପ୍ରକାର ଫସଲ ଚାଷ ଓ ପ୍ରାଣୀ ପାଳନ ଯେଉଁଥିରେ ରାସାୟନିକ ସାର, କୀଟନାଶକ, ତୃଣନାଶକ ବ୍ୟବହାର ନକରି କେବଳ ଜୈବିକ ଖତ ଓ ଜୈବିକ କୀଟନାଶକ ବ୍ୟବହାର ସହିତ ଫସଲ ପର୍ଯ୍ୟାୟ ଏବଂ ମିଶ୍ରିତ କୃଷି ପଦ୍ଧତି ଅନୁସରଣ କରାଯାଏ। ଆଲବର୍ଟ ହାୱାର୍ଡ଼୍ ଏହି ଚାଷ ପ୍ରଥମେ ଇନ୍ଦୋରଠାରେ ବାହାର କରିଥିଲେ। ତାଙ୍କ ମତରେ ମୃତ୍ତିକା ମଧ୍ୟରେ ଥିବା ବିଭିନ୍ନ କବକ, ବ୍ୟାକ୍ଟେରିଆ, ମାଇକୋବାକ୍ଟେରିଅମ୍, ମାଇକୋରାଇଜା ଇତ୍ୟାଦି ଜୈବିକ ଅବଶେଷ ଅପଘଟନ କରି ହ୍ୟୁମସ ଗଠନ କରନ୍ତି। ଏହି ହ୍ୟୁମସ ମୃତ୍ତିକାରେ ଜଳ ଧାରଣ ଶକ୍ତି ବଢାଏ ଓ ଉଦ୍ଭିଦ ପାଇଁ ପୋଷକ ଯୋଗାଣ କରେ। ଫଳରେ ମୃତ୍ତିକାର ସ୍ୱାସ୍ଥ୍ୟ ଏବଂ ଉର୍ବରତା ବୃଦ୍ଧି ପାଏ। ସୁସ୍ଥ ମାଟିରୁ ସ୍ବାସ୍ଥ୍ୟକର ଖାଦ୍ୟ ଅମଳ ହୁଏ। ଏହି ଚାଷରେ ସାଧାରଣତଃ ଦେଶୀ ବିହନ ଓ ଦେଶୀ ଚାଷ ପଦ୍ଧତି ଅନୁସରଣ କରାଯାଏ। ଫସଲରେ ଗାଈ ଖତ, ଅନ୍ୟାନ୍ୟ ପ୍ରାଣୀର ମଳ ମୂତ୍ର, କମ୍ପୋଷ୍ଟ, ସବୁଜ ସାର ବ୍ୟବହାର ସହିତ ରୋଗ ପୋକ ନିରାକରଣ ପାଇଁ ନିମ ତେଲ ଇତ୍ୟାଦି ପ୍ରାକୃତିକ କୀଟନାଶକ ପ୍ରୟୋଗ କରାଯାଏ। ଗୋଟିଏ ଫସଲ ବାରମ୍ବାର ଚାଷ କରା ନଯାଇ ଫସଲ ପର୍ଯ୍ୟାୟ ଅନୁସରଣ କରାଯାଏ।
ପ୍ରାକୃତିକ କୃଷି ପରିବେଶୀୟ ନୀତି ଉପରେ ଆଧାରିତ ଏବଂ କ୍ବଚିତ୍ ବାହାର ସାମଗ୍ରୀ ବ୍ୟବହାର କରେ। ଜୈବିକ କୃଷି କିନ୍ତୁ ଏକ ନିୟନ୍ତ୍ରିତ ଚାଷ କୌଶଳ ଅନୁସରଣ କରେ। ଏହା ରାସାୟନିକ ମୁକ୍ତ ଚାଷ ଓ ଏହାର ଉତ୍ପାଦଗୁଡିକ ନିର୍ଦିଷ୍ଟ ମାନକ ବିଶିଷ୍ଟ ଓ ସ୍ବାସ୍ଥ୍ୟପ୍ରଦ ହୋଇଥାଏ। ଜୈବିକ କୃଷି ବାସ୍ତବରେ ଗଭୀର ଜ୍ଞାନ ଆବଶ୍ୟକ କରେ। ଭାରତୀୟ କୃଷି ଅନୁସନ୍ଧାନ ପରିଷଦର କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ଜୈବିକ କୃଷି ପାଠ୍ୟକ୍ରମ ଅନୁମୋଦନ କରିଛନ୍ତି। ଏହା ସମ୍ପୂର୍ଣ୍ଣ ବୈଜ୍ଞାନିକ ସମ୍ମତ, ଯାହା ଚାଷୀମାନେ ଜାଣିବା ଆବଶ୍ୟକ।
ଯେତେବେଳେ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ପାଇଁ ଅଧିକ ଖାଦ୍ୟର ଆବଶ୍ୟକତା ଦେଖାଗଲା ସେତେବେଳେ ରାସାୟନିକ କୃଷି ଆରମ୍ଭ କରାଗଲା। ଆମ ଦେଶ ସ୍ବାଧୀନତା ସମୟରେ ମାତ୍ର ୫୦ ନିୟୁତ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହେଉଥିବାବେଳେ ଏବେ ଏହା ୪୨୦ ନିୟୁତ ଟନରୁ ଅଧିକ ହେଲାଣି। ଡ. ନର୍ମାନ ବୋର୍ଲାଗ ମେକ୍ସିକାନ ଗେଡା ଗହମ କିସମ ବାହାର କଲା ପରେ ସବୁଜ ବିପ୍ଳବ ପାଇଁ ବାଟ ଖୋଲିଲା। ଏହା ପରେ ଅଧିକ ଅମଳକ୍ଷମ ଟାଇଚୁଙ୍ଗ ଧାନ କିସମ ବାହାର କରାଗଲା। ଆମେରିକା ବୈଜ୍ଞାନିକ ଉଇଲିୟମ୍ ଗଡ଼ ସବୁଜ ବିପ୍ଲବ ନାମକରଣ କଲେ। ଭାରତରେ ପ୍ରଫେସର ସ୍ବାମୀନାଥନଙ୍କ ନେତୃତ୍ବରେ ୧୯୬୬ ମସିହାରେ ଅଧିକ ଅମଳକ୍ଷମ ଧାନ ଓ ଗହମ ବିହନ, ରାସାୟନିକ ସାର, ଜଳ ସେଚନ ଓ କୀଟନାଶକ ବ୍ୟବହାର କରିବା ଫଳରେ ଆଶାତୀତ ଭାବରେ କୃଷି ଉତ୍ପାଦନ ବୃଦ୍ଧି ପାଇଲା। କ୍ରମାଗତ ସାର ଓ କୀଟନାଶକ ଅବିଚାରିତ ଭାବରେ ପ୍ରୟୋଗ ଫଳରେ କେତେକ ପରିବେଶୀୟ ଓ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଗଲା। ଏହାକୁ ଦୃଷ୍ଟିରେ ରଖି ପ୍ରାକୃତିକ ଓ ଜୈବିକ କୃଷିର ଚାହିଦା ବୃଦ୍ଧି ପାଉଛି। ପ୍ରାକୃତିକ ଓ ଜୈବିକ କୃଷି ପ୍ରତିପାଳନକ୍ଷମ ହେଲେ ବି ଖାଦ୍ୟ ନିରାପତ୍ତା ପାଇଁ ଯଥେଷ୍ଟ ନୁହେଁ। ସୁତରାଂ ଆମକୁ ତୃତୀୟ ବିକଳ୍ପ ବାଛିବା ଆବଶ୍ୟକ। ଏହା ହେଉଛି ସମନ୍ବିତ କୃଷି ପଦ୍ଧତି। ସମନ୍ବିତ ଫସଲ ଓ ଜଳ ପରିଚାଳନା, ସମନ୍ବିତ ଖାଦ୍ୟସାର ପରିଚାଳନା ଓ ସମନ୍ବିତ ରୋଗ ପୋକ ପରିଚାଳନା ଏହି ପଦ୍ଧତିର ମୁଖ୍ୟ ଉପାଦାନ। ଏହା ହିଁ ହେବ ଦେଶ, କୃଷକ ଓ ଉପଭୋକ୍ତାଙ୍କ ପାଇଁ ମଙ୍ଗଳକର।
ନିକଟରେ ଓଡିଶାର ସାକ୍ଷିଗୋପାଳଠାରୁ ବିକଶିତ କୃଷି ସଂକଳ୍ପ ଶୁଭାରମ୍ଭ କରିଛନ୍ତି ଭାରତର କୃଷିମନ୍ତ୍ରୀ ଶିବରାଜ ଚୌହାନ। ଦେଶର ୧୨୦୦୦ କୃଷି ବୈଜ୍ଞାନିକ ଗ୍ରାମକୁ ଗ୍ରାମ ଗସ୍ତକରି ଚାଷୀଙ୍କୁ ଗବେଷଣାଲବ୍ଧ ଜ୍ଞାନ ବିଷୟରେ ବୁଝାଇବେ ଓ ଚାଷୀଙ୍କ ସମସ୍ୟା ସଂଗ୍ରହ କରି ଏହା ଉପରେ ଗବେଷଣା କରିବେ। ଏହା ଏକ ସିଧାସଳଖ ବିଜ୍ଞାନାଗାରରୁ କୃଷି କ୍ଷେତ୍ରକୁ ଜ୍ଞାନ ହସ୍ତାନ୍ତର କାର୍ଯ୍ୟକ୍ରମ। ଆଶା କରାଯାଏ ଏହି ନୂତନ ସଂକଳ୍ପ କୃଷି କ୍ଷେତ୍ରର ବହୁ ଅସମାହିତ ପ୍ରଶ୍ନର ସମାଧାନ କରିବାରେ ସଫଳ ହେବ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories