ସମାଜ ଡିଜିଟାଲ ଡେସ୍କ: ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ପୁଲିସ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଫ୍ରାଞ୍ଚାଇଜ, ବିଜୟ ପରେଡ କାର୍ଯ୍ୟକ୍ରମର ଆୟୋଜକ ଡିଏନଏ ଏଣ୍ଟରଟେନମେଣ୍ଟ ନେଟଓ୍ବର୍କ୍ସ ଏବଂ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନ(କେଏସସିଏ)ର ପ୍ରଶାସନିକ କମିଟି ବିରୋଧରେ ଗୁରୁବାର ଏତଲା ରୁଜୁ କରିଛି। ଦଳାଚକଟା ଘଟଣାରେ ‘ଆପରାଧିକ ଅବହେଳା’ କରାଯାଇଥିବା ନେଇ ଏତଲାରେ ଦର୍ଶାଯାଇଛି। ବେଙ୍ଗାଲୁରୁ ପୁଲିସ ପକ୍ଷରୁ କ୍ୟୁବନ ପାର୍କ ଥାନାରେ ଏହି ଏତଲା ଦିଆଯାଇଛି।
ଗୁରୁବାର ପୂର୍ବାହ୍ନରେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ଦଳାଚକଟା ମାମଲାର ଶୁଣାଣି କରି ଏହାର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଜୁନ ୧୦ ତାରିଖ ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭି. କାମେଶ୍ଵର ରାଓ ଏବଂ ବିଚାରପତି ସି.ଏମ. ଜୋଶୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ବୁଧବାର ଏମ. ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଆରସିବିର ବିଜୟ ପରେଡ ଆୟୋଜନ କରାଯାଉଥିଲା। ଏଥିରେ ଯୋଗଦେବା ଲାଗି ଷ୍ଟାଡିୟମ ବାହାରେ ୩ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ଭିଡ଼ ନିୟନ୍ତ୍ରଣ ବାହାରକୁ ଯିବାରୁ ଦଳାଚକଟା ଘଟି ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୫୦ରୁ ଅଧିକ ଆହତ ହୋଇଥିଲେ।



