ୱାଶିଂଟନ: ସାରା ବିଶ୍ବର ଖାଦ୍ୟ ଶୃଙ୍ଖଳା ଯୋଜନାକୁ ପ୍ରଭାବିତ କରିବା ପୂର୍ବକ କୃଷି ଆତଙ୍କବାଦ ସୃଷ୍ଟି କରିବା ଲାଗି ଚୀନ କରିଥିବା ଯୋଜନା ପଣ୍ଡ ହୋଇଛି। କୃଷି ଆତଙ୍କବାଦକୁ ବାସ୍ତବ ରୂପ ଦେବା ଲାଗି ଉଦ୍ୟମ କରିଥିବା ଚୀନର ଦୁଇ ଜଣ ବୈଜ୍ଞାନିକ ଆମେରିକାରେ ଗିରଫ ହୋଇଛନ୍ତି।
ଆମେରିକାର କୃଷି କାର୍ଯ୍ୟକୁ ନଷ୍ଠ କରିବା ଉଦ୍ଦେଶ୍ୟରେ ଦୁଇ ଜଣ ଚୀନ୍ ବୈଜ୍ଞାନିକ ବିଷାକ୍ତ ରୋଗ ସୃଷ୍ଟିକାରୀ ଫଙ୍ଗସ (ଫିମ୍ପି)କୁ ଚୋରା ଆମଦାନୀ କରିବା ଲାଗି ଉଦ୍ୟମ କରି ଗିରଫ ହୋଇଛନ୍ତି। ଗିରଫ ଚୀନ୍ ବୈଜ୍ଞାନିକ ଦ୍ୱୟ ହେଲେ ୟୁନ୍କ୍ବିଙ୍ଗ ଜିଆନ୍ (୩୩) ଓ ଜିୟଙ୍ଗ ଲିଉ (୩୪)। ଏହି ଦୁଇଜଣଙ୍କୁ ଆମେରିକା ଏଫ୍ବିଆଇ ଗିରଫ କରିଥିବାବେଳେ ସେମାନଙ୍କୁ ଷଡଯନ୍ତ୍ର, ଚୋରା କାରାବାର, ମିଥ୍ୟା ବୟାନ ଓ ଭିସା ଜାଲିଆତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏମାନେ ଏକ ପ୍ରକାର ବିଷାକ୍ତ ରୋଗ ସୃଷ୍ଟିକାରୀ ଫଙ୍ଗସକୁ ଚୀନ୍ରୁ ଆମଦାନୀ କରିବା ଲାଗି ଉଦ୍ୟମ କରିଥିଲେ। ବିଷାକ୍ତ ଫଙ୍ଗସ ମାଧ୍ୟମରେ ଆମେରିକାର କୃଷି କାର୍ଯ୍ୟକୁ ପ୍ରଭାବିତ କରିବା ଏମାନଙ୍କର ଲକ୍ଷ୍ୟ ଥିଲା। ଯାହାକୁ ଆଗ୍ରୋଟେରରିଜିମ (କୃଷି ଆତଙ୍କବାଦ) କୁହାଯାଉଛି। ଅର୍ଥାତ୍ କୃଷି କାର୍ଯ୍ୟ ମାଧ୍ୟମରେ ଆମେରିକାର ଅର୍ଥନୀତି ଓ ଜୀବଜଗତକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ଏମାନଙ୍କର ଲକ୍ଷ୍ୟ ଥିଲା। ଆମେରିକାରୁ ଏହି କୃଷି ଆତଙ୍କବାଦକୁ ଅନ୍ୟ ଦେଶକୁ ବ୍ୟାପ୍ତ କରାଇବା ମଧ୍ୟ ଏମାନଙ୍କର ଯୋଜନା ରହିଥିଲା। ଚୀନ୍ ସରକାରଙ୍କ ସହଯୋଗରେ ଏମାନେ ଏପରି ଉଦ୍ୟମ କରିଥିବା ଜଣାଯାଇଛି। ବିଷାକ୍ତ ଫଙ୍ଗସ ମାଧ୍ୟମରେ କୃଷି କାର୍ଯ୍ୟ ପ୍ରଭାବିତ ହେବ। ଏହା ସହିତ ଉତ୍ପାଦିତ ବିଷାକ୍ତ କୃଷିଜାତ ସାମଗ୍ରୀକୁ ଖାଇବା ଦ୍ୱାରା ମନୁଷ୍ୟ ବିଭିନ୍ନ ପ୍ରକାର ଘାତକ ରୋଗରେ ପୀଡିତ ହେବ। ଏହା ସହିତ ମନୁଷ୍ୟ ଓ ଜୀବଜଗତର ପ୍ରଜନନ ଶକ୍ତି ହ୍ରାସ ପାଇବ। ତୃତୀୟରେ ସମଗ୍ର ବିଶ୍ୱରେ ଖାଦ୍ୟ ଶୃଙ୍ଖଳା ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହେବ। ଗିରଫ ବୈଜ୍ଞାନିକଙ୍କ ମଧ୍ୟରୁ ଜଣେ ମିଚିଗାନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିବା କୁହାଯାଇଛି। ତେବେ ସେ ଯେଉଁ ଗବେଷଣା ନିମନ୍ତେ ଫଙ୍ଗସର ଆମଦାନୀ କରିଥିଲେ ତାହା ବେଆଇନ ଥିବା କୁହାଯାଇଛି।



