ଫାଙ୍କି ଦେଲା ପାକିସ୍ତାନ: ‘ଆମକୁ ବଦନାମ କରନି’
ଇସଲାମାବାଦ : ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଅପରିବର୍ତ୍ତିତ ରହିଛି। ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣକୁ ଫାଙ୍କି ଆସିଥିବା ପାକିସ୍ତାନ ପୁଲୱାମା ଘଟଣାକୁ ମଧ୍ୟ ଫାଙ୍କିଦେଇଛି। ପୁଲୱାମା ଆକ୍ରମଣ ଘଟଣାର ପ୍ରାୟ ୨୪ଘଣ୍ଟା ପରେ ଏହି ପଡ଼ୋଶୀ ତଥା ଅଭିଯୁକ୍ତ ରାଷ୍ଟ୍ର ପ୍ରଥେମ ପ୍ରତିକ୍ରିୟା ପ୍ରକାଶ ପୂର୍ବକ ‘ଏହା ଚିନ୍ତାଜନକ’ ବୋଲି କହିଛି। ଏହି ଘଟଣାରେ ପାକିସ୍ତାନର କୌଣସି ସମ୍ପୃକ୍ତି ନ ଥିବାରୁ ଏହାକୁ ବଦନାମ କରା ନ ଯିବା ଉଚିତ ବୋଲି କହିଛି। ଶୁକ୍ରବାର ପାକିସ୍ତାନ ସରକାରଙ୍କ ପକ୍ଷରୁ ପ୍ରକାଶିତ ପ୍ରତିକ୍ରିୟାରେ କୁହାଯାଇଛି ଯେ ସରକାର ସର୍ବଦା ବିଶ୍ବର ଯେ କୌଣସି ସ୍ଥାନରେ ଏଭଳି ହିଂସାକୁ ନିନ୍ଦା କରିଆସିଛନ୍ତି। ପୁଲୱାମା ଘଟଣାରେ ପାକିସ୍ତାନର ସମ୍ପୃକ୍ତିକୁ ନେଇ ଭାରତୀୟ ଗଣମାଧ୍ୟମ ଓ ସରକାର ଯେଉଁ ପ୍ରଚାର ଚଳାଇଛନ୍ତି ତାହା ବିଭ୍ରାନ୍ତିକର। ବିନା କୌଣସି ତଦନ୍ତରେ ଏଭଳି ଦୋଷାରୋପ କରିବା ଓ ଗୋଟିଏ ରାଷ୍ଟ୍ରକୁ ଅଯଥା ବଦନାମ କରିବା ଅନୁଚିତ।