ପୁରୀ : ତିନି ରଥର ୪୨ଟି ତୁମ୍ବର ଉଭୟ ପାର୍ଶ୍ବରେ ପନ୍ଦାରି ବଳା ବସିବା ପାଇଁ ମହାରଣା ସେବକମାନେ ଖୋଦେଇ କରୁଛନ୍ତି। ପ୍ରତ୍ୟେକ ତୁମ୍ବରେ ୧୬ ଜୋଡା ଲେଖାଏଁ ବିନ୍ଧ କରାଯାଇଛି। ସେଥିରେ ଅର ଏବଂ ପହି ସଂଯୋଗ କରି ଚକ ନିର୍ମାଣ କରାଯିବ। କଞ୍ଚା କାଠରେ ତୁମ୍ଭ ନିର୍ମାଣ କରାଯାଉଥିବାରୁ ଦୁଇ ପାର୍ଶ୍ବରେ ଲୁହା ବଳା ଲଗାଯିବ। କମାର ସେବକଙ୍କ ଦ୍ବାରା ପନ୍ଦାରୀ ବଳା ପ୍ରସ୍ତୁତ କରାଯାଉଛି। ଆଜି ନୃସିଂହ ଚତୁର୍ଦ୍ଦଶୀ ତିଥିରେ ଜନ୍ତାଗାଡ ପ୍ରସ୍ତୁତ କରାଯିବ। ପୂଜା କରାଯାଇ ଗୁଜ ଅନୁକୂଳ କରାଯିବା ବିଧି ରହିଛି। ବୈଶାଖ ଶୁକ୍ଲ ଚତୁର୍ଦ୍ଦଶୀ ମହାପ୍ରଭୁ ଶ୍ରୀନୃସିଂହ ଦେବଙ୍କ ଜନ୍ମତିଥି ହୋଇଥିବାରୁ ପରମ୍ପରା ଅନୁଯାୟୀ ଗୁଜ ଅନୁକୂଳ ପୂଜା ହେବ। ଏହାପରେ ତିନି ରଥର ଗୁଜଗୁଡ଼ିକରେ ନୃସିଂହ ମୂର୍ତ୍ତି ଖୋଦେଇ କରାଯିବ। ଏଥିସହ ଅରକଟା, ଅର ସଂଯୋଗ ଏବଂ ଜନ୍ତା ପଟାରେ ବିନ୍ଧ ଅନୁକୂଳ ପୂଜା କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଗୁଜ, କୁଡୁକା ଏବଂ ଜଳଯନ୍ତ୍ର ନିର୍ମାଣ ପାଇଁ ୧୦ଟି ଲେଖାଏଁ ୧୨ ଫୁଟିଆ ଧଉରା ଏବଂ ଅସନ ଗୋଟା କାଠ ରଥ ଖଳାକୁ ଯୋଗା ଯାଇଛି। ତିନି ରଥର ଦୁଇଟି ନାହାକା ଚକର ଅର ନିର୍ମାଣ ପାଇଁ ୧୧ଟି ଲେଖାଏଁ ୧୨ ଫୁଟିଆ ଅର ପଟା ଯୋଗାଇ ଦିଆଯାଇଛି। ପ୍ରତି ରଥ ପାଇଁ ୭ଟି ଲେଖାଏଁ ଚକ ନିର୍ମାଣ ପାଇଁ ଖପୁରୀଆ କରତ କଳରୁ ପହି ଆସି ପହଞ୍ଚିଛି। ଦୋଳବେଦୀ କୋଣ ଅସ୍ଥାୟୀ କମାରଶାଳରେ ତିନି ରଥର ଓଝା ସେବକମାନେ ଚକା ଡେରା ନୀତି ପାଇଁ କଣ୍ଟା କବଜା ସମେତ ନାହାକା ତୁମ୍ବ ପାଇଁ ୪ଟି ଲେଖାଏଁ ୧୨ଟି ବଡ଼ ପନ୍ଦାରି ବଳା ନିର୍ମାଣ କରୁଛନ୍ତି। ଏହାସହ ତିନି ରଥର ଦୁଇଟି ଚକ ନିର୍ମାଣ ପାଇଁ ଆବଶ୍ୟକ ୩୨ ଯୋଡ଼ା ଲେଖାଏଁ ଅର କଣ୍ଟା ନିର୍ମାଣ ଶେଷ ହୋଇଛି। ଅନ୍ୟ ତୁମ୍ବଗୁଡ଼ିକ ପାଇଁ ଅର କଣ୍ଟା, ପନ୍ଦାରି ବଳା ଏବଂ ତୁମ୍ବ ବଳା ନିର୍ମାଣ କରାଯାଉଛି।
Popular Categories



