ମ୍ୟାଚ୍ ଖେଳିବାକୁ ମନା କଲେ ସାଇନା
ଗୁଆହାଟି : ଏଠାରେ ଆୟୋଜିତ ଜାତୀୟ ସିନିୟର ବ୍ୟାଡମିଣ୍ଟନ୍ ଚମ୍ପିଆନସିପ୍ରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗତଥରର ମହିଳା ସିଙ୍ଗଲ୍ସ ଚମ୍ପିଆନ୍ ସାଇନା ନେହୱାଲ୍ଙ୍କ ଗୁରୁବାର ମ୍ୟାଚ୍ ଥିବା ବେଳେ ବ୍ୟାଡମିଣ୍ଟନ୍ କୋର୍ଟର ଅବସ୍ଥା ଭଲ ନ ଥିବା ଦର୍ଶାଇ ମ୍ୟାଚ୍ ଖେଳିବାକୁ ମନା କରି ଦେଇଥିବା ଜଣାପଡ଼ିଛି।
ଗୁରୁବାର ମହିଳା ସିଙ୍ଗଲ୍ସର ପ୍ରିକ୍ବାର୍ଟରରେ ସାଇନାଙ୍କ ମୁକାବିଲା ଶ୍ରୁତି ମୁନ୍ଦାଦାଙ୍କ ସହ ହେବାର ଥିଲା। ତେବେ ବ୍ୟାଡମିଣ୍ଟନ୍ କୋର୍ଟର ଚଟାଣ ଆବଡାଖାବଡ଼ା ଥିବା ଯୋଗୁଁ ସାଇନା ମ୍ୟାଚ୍ ଖେଳିବାକୁ ମନା କରି ଦେଇଥିଲେ। ଆଗାମୀ ଦିନରେ ଅଲ୍ ଇଂଲଣ୍ଡ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାକୁ ଯାଉଥିବା ବେଳେ ଏଭଳି ଆବଡ଼ାଖାବଡା ଚଟାଣରେ ମ୍ୟାଚ୍ ଖେଳି ଆହତ ହେବାକୁ ଚାହାନ୍ତି ନାହିଁ ବୋଲି ସାଇନା ମତ ଦେଇଥିଲେ। ଏହି ଘଟଣାରେ ହସ୍ତକ୍ଷେପ କରି ଭାରତୀୟ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ସମ୍ପାଦକ ଓରାମ ରସିଦ୍ ସାଇନାଙ୍କ ସହ ଆଲୋଚନା କରି ଖେଳସୂଚୀରେ ପରିବର୍ତ୍ତନ କରାଇଥିଲେ। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସାଇନାଙ୍କ ପତି ପାରୁପଲ୍ଲୀ କଶ୍ୟପ୍ କହିଥିଲେ ସାଇନା ଖେଳିବାକୁ ଥିବା ବ୍ୟାଡମିଣ୍ଟନ୍ କୋର୍ଟର ଚଟାଣରେ ଲାଗିଥିବା କାଠ କେତେକ ସ୍ଥାନରୁ ବାହାରି ଆସିଥିଲା। ଫଳରେ ଆହତ ହେବା ଆଶଙ୍କା କରି ସାଇନା ମ୍ୟାଚ୍ ଖେଳିବାକୁ ମନା କରି ଦେଇଥିଲେ।