ଭୁବନେଶ୍ୱର : ପାରାଦ୍ବୀପରେ ହେବ ବିମାନ ବନ୍ଦର ନିର୍ମାଣ। ଏଠାରେ ପାରାଦ୍ବୀପ ବନ୍ଦର ସମେତ ଆଇଓସିଏଲ୍, ପେଟ୍ରୋକେମିକାଲ୍ସ ତଥା ଅନ୍ୟାନ୍ୟ ପ୍ରମୁଖ ସଂସ୍ଥା ରହିଥିବାରୁ ଏହାର ଆର୍ଥିକ ଗତିବିଧି ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ପାରାଦ୍ବୀପରେ ଏକ ବିମାନ ବନ୍ଦର ନିର୍ମାଣ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିମାନ ଚଳାଚଳ ଭିତ୍ତିଭୂମି ସମୀକ୍ଷା ବୈଠକରେ ଆଲୋଚନା ହୋଇଛି। ରାଜ୍ୟରେ ବିମାନ ଚଳାଚଳ ଭିତ୍ତିଭୂମି ବିଶ୍ବସ୍ତରୀୟ ହେବ। ‘ବିମାନ ଚଳାଚଳ ଏବଂ ନେଟୱର୍କ ନିର୍ମାଣ ପରିଚାଳନା’ ସମ୍ବନ୍ଧୀୟ ଆଲୋଚନା ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଛନ୍ତି। ବୈଠକରେ ପାରାଦ୍ବୀପରେ ଏକ ନୂଆ ବିମାନ ବନ୍ଦର ପାଇଁ ଯୋଜନା ସମେତ ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ବିକାଶ ଏବଂ ରାଉରକେଲା ବିମାନ ବନ୍ଦର ଉନ୍ନତିକରଣ ଉପରେ ଆଲୋଚନା ହୋଇଥିଲା। ଆଞ୍ଚଳିକ ସଂଯୋଗୀକରଣକୁ ବୃଦ୍ଧି କରିବା ପାଇଁ ଜୟପୁର, ଦାଣ୍ଡବୋଷ, ରଙ୍ଗେଇଲୁଣ୍ଡା, ଗୋତମା, ସତୀଭଟା, ରାଇସୁଆଁ, ତୁଷରା, ଜମାଦାରପାଲ୍ଲୀ, ମାଲକାନଗିରି, ଅମର୍ଦା ରୋଡ୍ ଏବଂ ଉତ୍କେଲା ସମେତ ରାଜ୍ୟର ପ୍ରମୁଖ ବିମାନବନ୍ଦରଗୁଡ଼ିକର ଉନ୍ନତିକରଣ ଉପରେ ଗୁରୁତ୍ବ ଦିଆଯିବ। ରାଜ୍ୟର ୧୫ଟି ଜିଲାରେ ହେଲିପୋର୍ଟ ନିର୍ମାଣ ଏବଂ ଢେଙ୍କାନାଳର ବିରାଶୋଳସ୍ଥିତ ଏୟାରଷ୍ଟ୍ରିପ୍ରେ ବିଜୁ ପଟ୍ଟନାୟକ ବିମାନ ଚଳାଚଳ କେନ୍ଦ୍ରର ବିକାଶ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ନୋଡାଲ ଏଜେନ୍ସି ଭାବରେ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ବିମାନ ବନ୍ଦର, ହେଲିପ୍ୟାଡ୍ ଏବଂ ଡ୍ରୋନ୍ ହବ୍ ସମେତ ରାଜ୍ୟରେ ବିଶ୍ୱସ୍ତରୀୟ ବିମାନ ଚଳାଚଳ ଭିତ୍ତିଭୂମି ପ୍ରତିଷ୍ଠା ସମ୍ବନ୍ଧରେ ଆଲୋଚନା କରିଥିଲେ। ରାଷ୍ଟ୍ରାୟତ୍ତ ବିମାନ ବନ୍ଦରଗୁଡ଼ିକର ଉନ୍ନତିକରଣ, ବିମାନ ସଂଯୋଗ ବୃଦ୍ଧି, ବିମାନ ଚଳାଚଳ ୟୁନିଟ୍ର ଦକ୍ଷତା ବୃଦ୍ଧି ସହିତ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସମେତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ଇପିକଲ୍ର ଏମ୍.ଡି ଭୂପିନ୍ଦର ସିଂ ପୁନିଆ, ବେସାମରିକ ବିମାନ ଚଳାଚଳ ନିର୍ଦେଶିକା ଦେବଦତ୍ତା ସୁରଞ୍ଜିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



