ନୂଆଦିଲ୍ଲୀ: ଥାଇଲାଣ୍ଡର ଏକ ରେସ୍ତୋରାଁ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଚିଆଙ୍ଗ ମାଇ ବ୍ରେକଫାଷ୍ଟ ୱାର୍ଲଡ ନାମକ ଏହି ରେସ୍ତୋରାଁକୁ ଆସୁଥିବା ଗ୍ରାହକଙ୍କୁ ଖାଦ୍ୟପେୟରେ ଯେପରି ରିଆତି ପ୍ରଦାନ କରାଯାଉଛି ତାହା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଯେତେ ପତଳା ଗ୍ରାହକ ତାଙ୍କୁ ସେତେ ଅଧିକ ରିଆତି ପ୍ରଦାନ କରାଯାଉଛି। ଏହି ରେସ୍ତୋରାଁର ପ୍ରବେଶପଥରେ ଯେଉଁ ଫାଟକ ଲଗାଯାଇଛି ତାହାକୁ ବାଡ଼ ଦେଇ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। ଫାଟକର ବିଭିନ୍ନ ଭାଗରେ ୫%ରୁ ୨୦% ପର୍ଯ୍ୟନ୍ତ ରିଆତି ଲେଖାଯାଇଥିବା ପୋଷ୍ଟର ଲାଗିଛି। ରେସ୍ତୋରାଁକୁ ଆସୁଥିବା ଗ୍ରାହକ ଯେତେ ପରିମାଣ ରିଆତି ଲେଖାଯାଇଥିବା ବାଟ ଦେଇ ଭିତରକୁ ପ୍ରବେଶ କରିବାକୁ ସକ୍ଷମ ହୁଅନ୍ତି ତାଙ୍କୁ ଖାଦ୍ୟପେୟରେ ସେତିକି ପରିମାଣର ରିଆତି ମିଳିଥାଏ। ଅନ୍ୟ ଅର୍ଥରେ କହିବାକୁ ଗଲେ ଯେତେ ପତଳା ଲୋକ ତାଙ୍କୁ ସେତେ ଅଧିକ ରିଆତି ମିଳିଥାଏ। ସେହି ଗଳାବାଟ ଦେଇ ଯେଉଁମାନେ ପ୍ରବେଶ କରିପାରନ୍ତି ନାହିଁ ସେମାନଙ୍କୁ ପୂରା ଟଙ୍କା ଦେବାକୁ ପଡ଼ିଥାଏ। ଏହି ରେସ୍ତୋରାଁର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ତାହାକୁ ବହୁ ବ୍ୟକ୍ତି ଦେଖି ସାରିଛନ୍ତି। ଶରୀରର ଆକାର ଅନୁଯାୟୀ ରେସ୍ତୋରାଁରେ ରିଆତି ପ୍ରଦାନ ବ୍ୟବସ୍ଥାକୁ ନେଇ କେତେକ ବ୍ୟକ୍ତି ଆପତ୍ତି ଉଠାଇବା ସହ ଏହା ମୋଟା ଲୋକଙ୍କ ପାଇଁ ଏହା ଅପମାନଜନକ ବୋଲି ଦର୍ଶାଇଛନ୍ତି। ଅନ୍ୟ କେତେକ ବ୍ୟକ୍ତି ଏପରି ବ୍ୟବସ୍ଥାକୁ ସ୍ବାଗତ କରିବା ସହ ସେହି ରେସ୍ତୋରାଁକୁ ଯିବାକୁ ଚାହାନ୍ତି ବୋଲି ଦର୍ଶାଇଛନ୍ତି।
Popular Categories



