କୋଇଲା ଚୋରି ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କୁସୁମ

ସୁନ୍ଦରଗଡ଼ : ଲୋକଙ୍କ ସମ୍ପତ୍ତି ଲୁଟ୍ ହେଉଛି, ଜଙ୍ଗଲ ଧ୍ବଂସ ହେଉଛି, ଆପଣ ଏ ଦିଗରେ ଧ୍ୟାନ ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜନସାଧାରଣ ଓ ସମ୍ବଳକୁ ସୁରକ୍ଷା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ନିବେଦନ କରିଛନ୍ତି ସୁନ୍ଦରଗଡ଼ର ପୂର୍ବତନ ବିଧାୟିକା କୁସୁମ ଟେଟେ। ସୁନ୍ଦରଗଡ଼଼ ଜିଲାର ହେମଗିରି ବ୍ଲକରେ କୋଇଲା ଚୋରି ଘଟଣାରେ କୁସୁମ ଉଦ୍ବେଗ ପ୍ରକାଶ କରିଛନ୍ତି। ଜିଲାରେ ବଢ଼ି ଚାଲିଥିବା ଏଭଳି ଚୋରା ଚାଲାଣର ଚେର ଛତିଶଗଡ଼଼, ଝାଡ଼ଖଣ୍ଡ ସହ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶକୁ ଲମ୍ବିଥିବା ସେ ଗୁରୁତର ଅଭିଯୋଗ କରିଛନ୍ତି । ଚୋରା ଚାଲାଣ ବଢ଼ୁଥିଲେ ମଧ୍ୟ ରୋକାଯାଇପାରୁ ନ ଥିବାରୁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ପତ୍ର ଲେଖି ଏଭଳି କୋଇଲା ଚାଲାଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କୋଇଲା ଚୋରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।
ଏଠାରେ ପ୍ରକାଶଥାଉକି ହେମଗିରି ବ୍ଲକ ଗୋପାଳପୁର ପଞ୍ଚାୟତ ତେଲେନଡିହି ଜଙ୍ଗଲରୁ ବେଆଇନ କୋଇଲା ଖଣି କରି ଚୋରା ଚାଲାଣ କରାଯାଉଥିବା ଘଟଣା ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଖଣି ବିଭାଗ ପକ୍ଷରୁ ଏ ନେଇ ହେମଗିରି ଥାନାରେ ଏତଲା ଦିଆଯାଇଥିବାବେଳେ ତତ୍କାଳୀନ ହେମଗିରି ତହସିଲଦାରଙ୍କୁ ଜିଲାପାଳଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ତିନିଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ ଜିଲାପାଳ କଡ଼ା ତାଗିଦା ରହିଛି।
Comments are closed.