ଭୁବନେଶ୍ୱର : ଲୋକସେବା ଭବନରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପ୍ରକାଶ କୁମାର ସାହୁ ନିଖୋଜ ଥିବା ଅଭିଯୋଗ ହୋଇଛି। ପ୍ରକାଶ ସାହୁ ନିଖୋଜ ହୋଇଯାଇଥିବା ନେଇ ଭରତପୁର ଥାନାରେ ଏତଲା ଦାୟର ହୋଇଛି। ଅଭିଯୋଗ ମିଳିବା ପରେ ପୁଲିସ ତଦନ୍ତ ଆରମ୍ଭ ସହ ପ୍ରକାଶଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛି।
ଲୋକସେବା ଭବନରେ ଏଏସଓ ଭାବେ କାର୍ଯ୍ୟରତ ପ୍ରକାଶ କୁମାର ସାହୁ ଶୁକ୍ରବାର ଡ୍ୟୁଟିକୁ ଯାଇଥିଲେ। ଲୋକସେବା ଭବନରେ ଡ୍ୟୁଟି ସାରିବା ପରେ ସେ ଆଉ ଘରକୁ ଫେରିନଥିଲେ। ଘରକୁ ନ ଫେରିବାରୁ ପରିବାର ଲୋକେ ପ୍ରକାଶଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ତାଙ୍କର କୌଣସି ଖୋଜଖବର ନ ପାଇବାରୁ ଆଜି ଭରତପୁର ଥାନାରେ ଏତଲା ଦିଆଯାଇଛି। ଏଏସଓ ନିଖୋଜ ହୋଇଯାଇଥିବା ନେଇ ଭରତପୁର ଥାନାରେ ସମ୍ପର୍କୀୟ ଭାଇ ଏତଲା ଦାୟର କରିଛନ୍ତି। ପ୍ରକାଶଙ୍କ ମୋବାଇଲ ଫୋନ୍ ସ୍ୱିଚ୍ ଅଫ ରହିଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।



