www.samajalive.in
Saturday, December 6, 2025
14.1 C
Bhubaneswar

ଆଇପିଏଲ୍ ମହାସମର: ଆଜି ଗୁଜୁରାଟ୍‌-ବେଙ୍ଗାଲୁରୁ ଟକ୍କର

ବେଙ୍ଗାଲୁରୁ : ଆଇପିଏଲ୍ ମହାସମର। ଆଜି  ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁୁରୁ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ୧୪ତମ ମ୍ୟାଚ ଖେଳାଯିବ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ହାସଲ କରିଥିବାରୁ ଉକ୍ତ ଧାରାକୁ ବଜାୟ ରଖିବା ଲକ୍ଷ୍ୟ ନେଇ ଖେଳିବ। ଗୁଜରାଟ ଟାଇଟାନ୍‌ସ ଶେଷ ମ୍ୟାଚରେ ବିଜୟ ସହ ପ୍ରତ୍ୟାବର୍ତ୍ତନ କରିଛି। ମ୍ୟାଚ ମୁଖ୍ୟତଃ ଗୁଜରାଟ ଟାଇଟାନ୍‌ସ ବୋଲିଂ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟିଂ ମଧ୍ୟରେ ଲଢେଇ ହେବ। ରଜତ ପଟିଦାରଙ୍କ ନେତୃତ୍ବାଧିନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ମ୍ୟାଚରେ କଲକାତା ନାଇଟ୍‌ ରାଇଡର୍ସକୁ ୭ ୱିକେଟରେ ଓ ଦ୍ବିତୀୟ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍‌ସକୁ ୫୦ରନରେ ପରାସ୍ତ କରିଥିଲା। ବ୍ୟାଟିଂ କ୍ରମରେ ବିରାଟ କୋହଲି ଓ ଫିଲ୍‌ ସଲ୍‌ଟ ଭଲ ଫର୍ମରେ ରହିବା ସହ ରନ କରୁଛନ୍ତି । ଏହାଛଡ଼ା ରଜତ ପଟିଦାର ଦୁଇଟି ମ୍ୟାଚରୁ ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଦେବଦତ୍ତ ପାଡ଼ିକଲ, ଲିଆମ ଲିଭିଙ୍ଗଷ୍ଟୋନ ଓ ଜିତେଶ ଶର୍ମା ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ଟିମ୍‌ ଡେଭିଡ୍‌ ​ଚେନ୍ନଇ ବିପକ୍ଷ ମ୍ୟାଚରେ ଦଳକୁ ଭଲ ଫିନିସିଂ ଦେଇଥିଲେ। ବୋଲିଂରେ ଜୋଶ ହାଜେଲଉଡ୍‌ ଚେନ୍ନଇ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ୩ଟି ୱିକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର କୁମାର, ୟଶ ଦୟାଲ ୱିକେଟ ନେବାରେ ସଫଳ ହୋଇଛନ୍ତି। ସ୍ପିନ ବୋଲିଂ ଦାୟିତ୍ବ କ୍ରୁନାଲ ପାଣ୍ଡ୍ୟା ଓ ଲିୟାମ ଲିଭିଙ୍ଗଷ୍ଟୋନ ତୁଲାଉଛନ୍ତି। ଦଳ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ସନ୍ତୁଳିତ ପ୍ରଦର୍ଶନ କରୁଛି। ଗୁଜରାଟ ଟାଇଟାନ୍‌ସ ବିପକ୍ଷରେ ଉକ୍ତ ପ୍ରଦର୍ଶନକୁ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଶୁବମାନ ଗିଲ୍‌ଙ୍କ ନେତୃତ୍ବାଧିନ ଗୁଜରାଟ ଟାଇଟାନ୍‌ସ ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗ୍‌ସ ନିକଟରୁ ୧୧ରନରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍‌ସକୁ ୩୬ରନରେ ପରାସ୍ତ କରି ପ୍ରତ୍ୟାବର୍ତ୍ତନ କରିଛି। ବ୍ୟାଟିଂରେ ସାଇ ସୁଦର୍ଶନ ଚମତ୍କାର ଫର୍ମରେ ରହିବା ସହ ଦୁଇଟି ମ୍ୟାଚରୁ ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଗିଲ୍‌ ଓ ଜୋଶ ବଟ୍‌ଲର ମଧ୍ୟ ରନ କରୁଛନ୍ତି। ଏହାବାଦ୍‌ ଦଳ ନିକଟରେ ସିରିଫାନେ ରଦରଫୋର୍ଡ, ରାହୁଲ ତିୱାତିଆ ଓ ସାହାରୁଖ ଖାନ ରହିଛନ୍ତି। ଦ୍ରୁତ ବୋଲିଂ କ୍ଷେତ୍ରରେ ମହମ୍ମଦ ସାମି, କାଗିସୋ ରାବଡା, ଇଶାନ୍ତ ଶର୍ମା ଓ ପ୍ରସିଦ୍ଧ କୃଷ୍ଣ ରହିଛନ୍ତି। ପ୍ରସିଦ୍ଧ ମୁମ୍ବଇ ବିପକ୍ଷରେ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ। ଦଳ ନିକଟରେ ବିଶ୍ବସ୍ତରୀୟ ସ୍ପିନର ରସିଦ ଖାନଙ୍କ ସମେତ ସାଇ କିଶୋର ରହିଛନ୍ତି। ରସିଦ ମହଙ୍ଗା ସାବ୍ୟସ୍ତ ହେଉଥିବାବେଳେ ସାଇ କିଶୋର ଭଲ ପ୍ରଦର୍ଶନ କରୁଛନ୍ତି। ବେଙ୍ଗାଲୁରୁ ଓ ଗୁଜରାଟ ଉଭୟ କ୍ଷେତ୍ରରେ ସ୍ଥିର ପ୍ରଦର୍ଶନ କରୁଥିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଗୁଜରାଟ ଟାଇଟାନ୍‌ସ ୨ ଟି ଓ ର୍ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩ଟି ମ୍ୟାଚରେ ବିଜୟୀ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories