www.samajalive.in
Saturday, December 6, 2025
15.1 C
Bhubaneswar

‘ସମାଜ’ ନାଁରେ ଅପପ୍ରଚାର, ସାଇବର ଥାନାରେ ଏତଲା

କଟକ :‘ସମାଜ’ର ସମ୍ପାଦକ, ମୁଦ୍ରାକର ଓ ପ୍ରକାଶକ ପରିଚୟ ଦେଇ ଆଶିଷ କୁମାର ନାମକ ଜଣେ ବ୍ୟକ୍ତି ଅପପ୍ରଚାର ଚଳାଇଛନ୍ତି। ସେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ବାର୍ତ୍ତା ପଠାଇ ଅର୍ଥ ମାଗିବା ସହ ସରକାରୀ ଅଧିକାରୀ ଓ ନାମକରା ବ୍ୟକ୍ତିବିଶେଷଙ୍କୁ ଧମକ ଚମକ ଦେଉଛନ୍ତି। ଏପରିକି ‘ସମାଜ’ ଖବରକାଗଜ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର ଚଳାଇବା ସହ ଭିତ୍ତିହୀନ ପୋଷ୍ଟ କରୁଛନ୍ତି। ଏହା ଦ୍ବାରା ଓଡ଼ିଶାବାସୀଙ୍କ ସ୍ବର ପାଲଟିଥିବା ‘ସମାଜ’ର ଛବି ସାଧାରଣରେ ମଳିନ ହେଉଛି। ଏପରି ମିଥ୍ୟା ତଥା ଅପପ୍ରଚାର ଚଳାଇଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ‘ସମାଜ’ର କାର୍ଯ୍ୟବାହୀ ମୁଖ୍ୟ ପରିଚାଳକ ତଥା ସମ୍ପାଦକ ତପନ କୁମାର ମିଶ୍ର ଏ ସଂକ୍ରାନ୍ତରେ କଟକର ସାଇବର ଥାନାରେ ଏତଲା ଦେଇଛନ୍ତି। ସାଇବର ଥାନା ପୁଲିସ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ଫେସବୁକ୍‌ରେ ଆଶିଷ କୁମାର ନାଁରେ ଆକାଉଣ୍ଟ ଖୋଲି କେତେବେଳେ ନିଜକୁ ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଏବଂ କେତେବେଳେ ସମ୍ପାଦକ ବୋଲି ପରିଚୟ ଦେଉଛି। ପ୍ରତିଦିନ ଦିନ କିଛି ନା କିଛି ଭିତ୍ତିହୀନ ପୋଷ୍ଟ କରିବାସହ ବହୁ ଲୋକଙ୍କୁ ବାର୍ତ୍ତା ପଠାଉଛି। ଏପରିକି ମିଥ୍ୟା ଓ ବିବାଦୀୟ ପୋଷ୍ଟ କରି କମେଣ୍ଟ ମାଧ୍ୟମରେ ବିତର୍କ ସୃ​‌ଷ୍ଟି କରୁଛି।
ଏହାଦ୍ବାରା ଲୋକଙ୍କ ଆସ୍ଥାଭାଜନ ହୋଇ ଆସିଥିବା ‘ସମାଜ’ ପ୍ରତି ସାଧାରଣରେ ଭୁଲ୍‌ ବାର୍ତ୍ତା ଯାଉଛି। ଏପରି କାର୍ଯ୍ୟ କରୁଥିବା ସମ୍ପୃକ୍ତ ବ୍ୟକ୍ତିର ଆକାଉଣ୍ଟକୁ ତୁରନ୍ତ ବନ୍ଦ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଅନ୍ୟପକ୍ଷେ, ଗତ ୮ମାସ ତଳେ ଆଶିଷ କୁମାର ନାମକ ଜଣେ ବ୍ୟକ୍ତି ‘ସମାଜ’ ଅଧିକାରୀ ଭାବେ ପରିଚୟ ଦେଇ ପୂର୍ବତନ ଜିଲାପାଳ ଓ ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀଙ୍କଠାରୁ ଚାନ୍ଦା ମାଗୁଥିବା ନେଇ ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ସୂଚନା ମିଳିବା ପରେ ‘ସମାଜ’ କର୍ତ୍ତୃପକ୍ଷ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦେଇଥିଲେ। ହେଲେ ପୁଲିସ ଅଭିଯୁକ୍ତ ବିରୋଧରେ ସେପରି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଏବେ ଉକ୍ତ ନାମରେ ଫେସବୁକ୍‌ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ଆକାଉଣ୍ଟ ଖୋଲି ଅପପ୍ରଚାର ଜାରି ରଖିଛି। ଯଥାଶୀଘ୍ର ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାଇବର ଥାନା ପୁଲିସ ପ୍ରତିଶ୍ରୁତି ଦେଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories