www.samajalive.in
Friday, December 5, 2025
17.1 C
Bhubaneswar

ଟ୍ରମ୍ପଙ୍କ ବାଡାବନ୍ଦୀ

ଭୁନେଶ୍ବର: ବିଶିଷ୍ଠ ଆମେରିକୀୟ ଐତିହାସିକ ଓ ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ପ୍ରଫେସର ଓସ୍କାର ହାଣ୍ଡରିନ୍‌ ଥରେ କହିଥିଲେ, ‘ଭାବିଲି ଆମେରିକାର ପ୍ରବାସୀଙ୍କ ଉପରେ ଗୋଟିଏ ଇତିହାସ ଲେଖିବି; କିନ୍ତୁ ଆବିଷ୍କାର କଲି ଯେ ପ୍ରବାସୀମାନେ ହିଁ ଥିଲେ ଆମେରିକାର ଇତିହାସ।’ ଆମେରିକାର ସମୃଦ୍ଧି ପଛରେ ପ୍ରବାସୀଙ୍କ ଉଲ୍ଲେଖନୀୟ ଅବଦାନ ସୂର୍ଯ୍ୟ ରଶ୍ମି ପରି ସତ୍ୟ। ୨୦୨୫ ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ଶାସନ ଭାର ଗ୍ରହଣ କରିବା ପରେ ଆମେରିକାର ପୂର୍ବ ଗୌରବ ଫେରାଇ ଆଣିବାକୁ ଅନେକ ପ୍ରତିଶ୍ରୁତି ମଧ୍ୟରୁ ଆମେରିକା-ମେକ୍ସିକୋ ସୀମା ସୁରକ୍ଷା ଅନ୍ୟତମ। ଆମେରିକା-ମେକ୍ସିକୋ ସୀମା ମରୁ ଅଞ୍ଚଳ ଓ ସହରକୁ ନେଇ ସମୁଦାୟ ୩୧୪୫ କିଲୋମିଟର ଦୀର୍ଘ ଇଲାକା। ଟ୍ରମ୍ପଙ୍କ ନିର୍ଦେଶରେ ସୀମା ସୁରକ୍ଷାକୁ ଦୃଢ଼ କରିବା ଲକ୍ଷ୍ୟ ନେଇ ପୂର୍ବରୁ ୧୧୪୪ କିଲୋମିଟର ପ୍ରାଚୀରରେ ଯେଉଁ ୭୦୫ କିଲୋମିଟର ସିମେଣ୍ଟ-ଲୌହ ନିର୍ମିତ ପ୍ରାଚୀର ଯୋଡ଼ାଗଲା, ତାହାକୁ କୁହାହେଲା- ଟ୍ରମ୍ପଙ୍କ ପ୍ରାଚୀର।
ଅତୀତରେ ଦେଶ ସୀମା ସୁରକ୍ଷା ଲାଗି ଅନେକ ପ୍ରାଚୀର ନିର୍ମାଣ ହୋଇଛି। ଚୀନର ଗ୍ରେଟ ୱାଲ, ବର୍ଲିନ ୱାଲ ଆଦି। ପ୍ରଶ୍ନ ଉଠେ, ଯଦି ପ୍ରବାସୀଙ୍କ ବିନା ଆମେରିକାର ସମୃଦ୍ଧି ଅସମ୍ଭବ ତେବେ ଟ୍ରମ୍ପ ବେଆଇନ ପ୍ରବାସୀଙ୍କୁ ତଡ଼ିବା ଲାଗି ଏବଂ ସୀମା ସୁରକ୍ଷା ଉପରେ ଏତେ ଗୁରୁତ୍ବ ଦେଉଛନ୍ତି କାହିଁକି? ଅବଶ୍ୟ ଜର୍ଜ ବୁଶ୍‌, ଓବାମା ଏବଂ ବାଇଡେନ୍‌ଙ୍କ ପ୍ରଶାସନ ମଧ୍ୟ ଆମେରିକା-ମେକ୍ସିକୋ ସୀମା ସୁରକ୍ଷା ଉପରେ ଗୁରୁତ୍ବ ଦେଇଥିଲେ। ତଥାପି ଯୁଗେ ଯୁଗେ ସୀମା ଆଖପାଖରେ ଶରଣାର୍ଥୀଙ୍କ ଭିଡ଼ ଅପେକ୍ଷା କରିଥାଏ ବିକଶିତ ଦେଶ ଆମେରିକାରେ ପାଦ ଦେବାକୁ; ରାଜନୈତିକ ଅଶାନ୍ତି, ଯୁଦ୍ଧ ଓ ଅର୍ଥନୈତିକ ବିକାଶରେ ମାନ୍ଦା ଅବସ୍ଥା କାରଣରୁ ଯେଉଁଭଳି ବାଂଲାଦେଶୀ ଶରଣାର୍ଥୀ ଛୁଟି ଆସନ୍ତି ଭାରତକୁ। ଅନୁପ୍ରବେଶକାରୀ ମେକ୍ସିକୋ ସୀମା ପାରି ହେବାକୁ ପାଉଣା ଦେଇ ଯେଉଁ ଦଲାଲ(କାୟୋଟି)ର ସାହାଯ୍ୟ ନିଅନ୍ତି, ସେ ସୀମା ପର୍ଯ୍ୟନ୍ତ ମରୁ, ଦୁର୍ଗମ ଅଞ୍ଚଳର ଇଞ୍ଚଇଞ୍ଚ ମାନଚିତ୍ର ଜାଣିଥାଏ। ଭାଗ୍ୟ ଅନ୍ବେଷଣରେ କିଛି ହତଭାଗା ସୀମା ଯାଏ ପହଞ୍ଚିବା ପୂର୍ବରୁ ହିଁ ଅସହ୍ୟ ପ୍ରତିକୂଳ ପରିବେଶରେ ଜୀବନ ହରାନ୍ତି।
ଆମେରିକାର ସର୍ବସାଧାରଣ ସ୍ବାସ୍ଥ୍ୟସେବା ନୀତି ‘ଟାଇଟେଲ୍‌-୪୨’ ଅନୁଯାୟୀ ସୀମା ଭିତରେ ବେଆଇନ ଅନୁପ୍ରବେଶ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ; କିନ୍ତୁ ୨୦୨୧ ମସିହାରେ ବାଇଡେନ ପ୍ରଶାସନ ଏହି ନୀତିକୁ କିଛି ମାତ୍ରାରେ କୋହଳ କରିଦେଲେ। ଅର୍ଥାତ୍‌ ବିଶ୍ବରୁ ଯେ କେହି ସୀମା ଅତିକ୍ରମ କରି ଦେଶ ଭିତରକୁ ଅନୁପ୍ରବେଶ କରିପାରିବେ। ମେକ୍ସିକୋ ସୀମାରେ ପରିସ୍ଥିତି ଏମିତି ହେଲା ଯେ ମୁଖ୍ୟତଃ ଆଫ୍ରିକା, ଦକ୍ଷିଣ ଆମେରିକା ଆଡୁ ପଶିଆସୁଥିଲେ ଦିନକୁ ପ୍ରାୟ ଦଶହଜାର ପ୍ରବାସୀ। ସ୍ବତନ୍ତ୍ର ବସ୍‌ ଯୋଗେ ସେମାନଙ୍କୁ ନ୍ୟୁୟର୍କର ହୋଟେଲଗୁଡ଼ିକରେ ରଖିବାର ବ୍ୟବସ୍ଥା, ଖାଦ୍ୟ ଏବଂ ଚିକିତ୍ସା ଇତ୍ୟାଦି ପାଇଁ ବର୍ଷକୁ ଖର୍ଚ୍ଚ ହେଲା ୧୧୬ ବିଲିଅନ ଡଲାର। ନିଶାଦ୍ରବ୍ୟ ଚାଲାଣକାରୀ, ଆସାମୀ, ଆତଙ୍କବାଦୀ ଓ ମାନସିକ ରୋଗୀଙ୍କ ଅନୁପ୍ରବେଶ ଓ ଉତ୍ପାତ ନ୍ୟୁୟର୍କର ଶୃଙ୍ଖଳାକୁ ଖୋଲା ଚାଲେଞ୍ଜ କଲା। ଯାହା ଫଳରେ ଆମେରିକାରେ ବଡ଼ ବଡ଼ ଅପରାଧ ବଢ଼ି ଚାଲିଲା।
ଟ୍ରମ୍ପଙ୍କ ଦ୍ବାରା ଦେଶ ସୁରକ୍ଷା ଦାୟିତ୍ବରେ ନୂଆ କରି ନିଯୁକ୍ତି ପାଇଥିବା କ୍ରିଷ୍ଟି ନୋମ୍‌ ଦାବି କରନ୍ତି- ଦକ୍ଷିଣ ଆମେରିକାର ଅବୈଧ ପ୍ରବାସୀଙ୍କୁ ବାସ ଦେଇଥିଲା ନ୍ୟୁୟର୍କର ୧୦୨୫ କୋଠରି ବିଶିଷ୍ଟ ବିଳାସମୟ ହୋଟେଲ। ସେହିଠାରୁ ଭେନିଜୁଏଲାର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗର ଜଘନ୍ୟ ଅପରାଧର ଯୋଜନାମାନ ହେଉଥିଲା। ସ୍ପେସ୍‌ ଏକ୍ସର ସିଇଓ ଏଲନ୍‌ ମସ୍କ ଏବଂ ଆମେରିକୀୟ ରାଜନେତା ବିବେକ ରାମସ୍ବାମୀଙ୍କୁ ନେଇ ଗଠିତ ଡିଓଜିଇ ଟିମ୍‌- ‘ଡିପାର୍ଟମେଣ୍ଟ ଅଫ୍‌ ଗଭର୍ଣ୍ଣମେଣ୍ଟ ଏଫିସିଏନ୍‌ସି’(ଭାରତରେ ଏପରି ଏକ ସଂସ୍ଥାର ଆବଶ୍ୟକତା ରହିଛି) ଅଯଥା ବ୍ୟୟ ରୋକିବାକୁ ଯାଇ ଜାଣିବାକୁ ପାଇଲେ ବାଇଡେନଙ୍କ ପ୍ରଶାସନରେ ଅବୈଧ ପ୍ରବାସୀଙ୍କ ଥଇଥାନ ବାବଦରେ ୮୦ ମିଲିଅନ ଡଲାର ନ୍ୟୁୟର୍କକୁ ହସ୍ତାନ୍ତର ହୋଇଛି। ତା’ଛଡ଼ା ସ୍କୁଲ, ସର୍ବସାଧାରଣ ପାର୍କ, ହୋଟେଲ, ଆପାର୍ଟମେଣ୍ଟ ଆଦିକୁ ଏହି ରାଜନୈତିକ ଖେଳରେ ଆମେରିକୀୟ ନାଗରିକଙ୍କ ସମସ୍ୟାକୁ ଉପେକ୍ଷା କରି ଅନୁପ୍ରବେଶକାରୀଙ୍କ ଥଇଥାନ ବାବଦରେ ବ୍ୟବହାର କରିବା କେତେ ଯୁକ୍ତିଯୁକ୍ତ?
ଟ୍ରମ୍ପ ପ୍ରଶାସନର କିଛି ନୀତି ବା ନିଷ୍ପତ୍ତି ଅନେକ ଦେଶ ଓ ରାଜନୀତିଜ୍ଞଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥାଇପାରେ, ତେବେ ସୀମା ସୁରକ୍ଷାକୁ ନେଇ ଟ୍ରମ୍ପଙ୍କ କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଆମେରିକୀୟମାନେ ଯେ କିଛି ମାତ୍ରାରେ ଆଶ୍ବସ୍ତ ସେ ବିଷୟରେ ସମ୍ବାଦ ମାଧ୍ୟମଗୁଡ଼ିକରୁ ଜାଣିବାକୁ ମିଳୁଛି।
ସୀମାରେ ବର୍ଡର ପୁଲିସଙ୍କ ନିୟନ୍ତ୍ରଣରେ ମଧ୍ୟେମଧ୍ୟେ ବନ୍ଧୁକର ଆବାଜ୍‌, ସାମରିକ ଶିବିର ପରି କଠୋର ପରିବେଶ ଆଉ ନଈବଢ଼ି ବନ୍ଧ ଭାଙ୍ଗି ପଶିଆସିଲା ପରି ପ୍ରବାସୀଙ୍କ ଭିଡ଼ ଯଥେଷ୍ଟ ହ୍ରାସ ହୋଇଛି ଟ୍ରମ୍ପଙ୍କ ପ୍ରଶାସନ ଦ୍ବାରା। ପ୍ରବାସୀଙ୍କ ସଫଳତା, ଆମେରିକାର ସମୃଦ୍ଧି ଏହା ଦୁଇଟି ସମାନ୍ତରାଳ ରେଖା ହୋଇ ନପାରନ୍ତି। ଯୁଗେଯୁଗେ ମାନବିକତାର କୋମଳତା ଭିତରେ ଏହି ରେଖା ସମ୍ମିଳିତ ହୋଇଯାଏ। ବ୍ରିଟିଶ ଗାୟକ ଜନ୍‌ ଲେନନ୍‌, ଚାର୍ଲି ଚାପଲିନ୍‌, ଆଲବର୍ଟ ଆଇନଷ୍ଟାଇନ୍‌ ଏପରି ଅନେକ ପ୍ରବାସୀ ଆମେରିକାକୁ ସାଧନା ଭୂଇଁ କରି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ଜନ୍ମଭୂମିକୁ ହୃଦୟରେ ସାଇତି ଥିବା ପ୍ରବାସୀଙ୍କ ସ୍ବପ୍ନକୁ ସୀମା ପ୍ରାଚୀର କ’ଣ ଅଟକାଇ ପାରିଲାଣି? ଇତିହାସରେ ଯେଉଁ ସବୁ ବିଶାଳ ସୀମା ପ୍ରାଚୀରଗୁଡ଼ିକ ପ୍ରବାସୀଙ୍କୁ ରୋକିବାକୁ ଯେତେ ନୁହେଁ, ସେତେ ଦେଶର ମର୍ଯ୍ୟାଦା ଓ ଶକ୍ତିର ପ୍ରଦର୍ଶନ ଲାଗି ଏକ ପ୍ରତୀକ ସ୍ବରୂପ ଓ ଚେତେଇ ଦେବା ପାଇଁ ଯେ ବେଆଇନ ସୀମାରେଖା ଅତିକ୍ରମ କଲେ ବିପଦ।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories