ଫୁଲବାଣୀ: ନୂତନ ପିସିସି ସଭାପତି ନିଯୁକ୍ତି ପରେ ଚଳଚଞ୍ଚଳ ହୋଇଛି କଂଗ୍ରେସ। କର୍ମୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ନୂଆ ଉତ୍ସାହ। ତଳ ସ୍ତରରେ ଦୁର୍ବଳ ହୋଇ ପଡିଥିବା ସଙ୍ଗଠନକୁ ପୁଣି ଉଜ୍ଜୀବିତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ଏଆଇସିସି ସମ୍ପାଦିକା ତଥା ଓଡିଶା ପାଇଁ ନିଯୁକ୍ତ ସହ ପ୍ରଭାରୀ ରୋଷେଲିନା ତିର୍କୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏକ କର୍ମୀ ସମ୍ମିଳନୀକୁ ଉଦବୋଧନ ଦେଇ ଜିଲ୍ଲାରୁ ଆରମ୍ଭ କରି ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ସଙ୍ଗଠନକୁ ମଜବୁତ କରି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଆହ୍ବାନ ଦେଇଛନ୍ତି। ନିଜ ନିଜ ମଧ୍ୟରେ ବାଦ ବିବାଦ ଓ ବ୍ୟକ୍ତିଗତ ସ୍ବାର୍ଥକୁ ଭୂଲି ଗାଁ ସ୍ତର ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ବାର୍ତ୍ତାକୁ ପହଞ୍ଚାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏ ଅବସରରେ ସେ ରାଜ୍ୟ ସରକାରଙ୍କ ଅପାରଗତା ଓ ଅନିୟନ୍ତ୍ରିତ ନାରୀ ନିର୍ଯାତନା ବିରୋଧରେ ହେବାକୁ ଥିବା ବିଧାନସଭା ଘେରାଉ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ମଧ୍ୟ ଆହ୍ବାନ ଦେଇଥିଲେ। ସୂଚନାଯୋଗ୍ୟ, ସୁଶ୍ରୀ ତିର୍କୀ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଗୁରୁବାର ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଯାଇ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ବରଣ କରିଥିବା ପରିବାର ଲୋକଙ୍କୁ ଭେଟିଥିଲେ। ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର କର୍ମୀ ସମ୍ମିଳନୀରେ ଜିଲ୍ଲା ପର୍ଯ୍ୟବେକ୍ଷକ ଲଲାଟେନ୍ଦୁ ମହାପାତ୍ର, ଅମରେଶ ପରିଡା, ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ନକୁଳ ନାୟକ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ ଜିଲ୍ଲା ସଭାପତି ଅନାମ ନାୟକ, ବରିଷ୍ଠ ନେତା ଅମୀରଚାନ୍ଦ ନାୟକ, ଘନକୁମାର ଶବର, ବସନ୍ତ ପାଢୀ, ରଜତ ମହାନ୍ତି, ଚନ୍ଦନ ପଣ୍ଡାଙ୍କ ସମେତ ସମସ୍ତ ବ୍ଲକ କର୍ମକର୍ତ୍ତା ଓ ବହୁ ସଂଖ୍ୟାରେ କର୍ମୀ ଊ
ଉପସ୍ଥିତ ଥିଲେ। ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଗାମୀ ୨୭ ତାରିଖରେ ହେବାକୁ ଥିବା ବିଧାନସଭା ଘେରାଉ କାର୍ଯ୍ୟକ୍ରମର ରୂପରେଖ ଉପରେ ଆଲୋକପାତ କରି ରାଜ୍ୟର ବିଜେପି ସରକାରଙ୍କ ବିଫଳତା ବିରୋଧରେ କଂଗ୍ରେସର ଆନ୍ଦୋଳନ ଜୋରଦାର କରାଯିବ ବୋଲି କହିଥିଲେ ପର୍ଯ୍ୟବେକ୍ଷକ ଶ୍ରୀ ମହାପାତ୍ର।



